Advertisment

ଆଉ ସମସ୍ତେ କ’ଣ ଅପାରଗ? କେନ୍ଦ୍ରକୁ ପ୍ରଶ୍ନ କଲେ, ତଥାପି ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ାଇଲେ ସୁପ୍ରିମକୋର୍ଟ

ଆଉ ସମସ୍ତେ କ’ଣ ଅପାରଗ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ହେଁ ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି।

ଅଦ୍ୟତନ ହୋଇଛି
ED

ED

Advertisment

ନିଜର ଅସନ୍ତୋଷ ପ୍ରକାଶ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଅକ୍ଟୋବର ୧୫ ଯାଏ ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିବେଦନ କରିଥିଲେ।

Advertisment

ହେଲେ ସର୍ବୋଚ୍ଚ ଅଦାଲତ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଉ ସମସ୍ତେ କ’ଣ ଅପାରଗ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ହେଁ ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ୧୫ ତାରିଖ ରାତି ୧୨ଟା ପରେ ସେ ଆଉ ଇଡି ମୁଖ୍ୟ ଭାବେ କାମ କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରୋକଠୋକ ଶୁଣାଇ ଦେଇଛନ୍ତି।

ଇଡି ମୁଖ୍ୟ ଭାବେ ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ୩ଥର ବୃଦ୍ଧି କରି ସାରିଲେଣି। ଏହାକୁ ପୂର୍ବରୁ ବେଆଇନ ବୋଲି ସୁପ୍ରିମକୋର୍ଟ କହିଥିଲେ। ଆଜି କେନ୍ଦ୍ର ସରକାର ଅସାମାନ୍ୟ ପରିସ୍ଥିତିର ଦ୍ୱାହି ଦେଇ ମିଶ୍ରା ଇଡି ମୁଖ୍ୟ ଭାବେ କାର୍ଯ୍ୟ କରିବା ଦରକାର ବୋଲି ଯୁକ୍ତି ବାଢ଼ିଥିଲେ। ତାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଜୁଲାଇ ୩୧ରେ ସରିବାକୁ ଥିଲା। ହେଲେ କେନ୍ଦ୍ରର ଅସାମାନ୍ୟ ପରିସ୍ଥିତି ଯୁକ୍ତି ପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୫ ଯାଏ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।

Advertisment

କେନ୍ଦ୍ର ସରକାର ଆହୁରି ଯୁକ୍ତି କରିଥିଲେ ଯେ କିଛି ପଡ଼ୋଶୀ ଦେଶ ଚାହୁଁଛନ୍ତି ଯେ ଟେରର ଫାଇନାନ୍ସିଂ ୱାଚଡଗ ଏଫଏଟିଏଫର ଗ୍ରେ ଲିଷ୍ଟରେ ଫସିଯାଉ। ଏହାକୁ ମାତ୍‌ ଦେବା ପାଇଁ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ଜାରି ରହିବା ଅତ୍ୟନ୍ତ ଜରୁରୀ। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ ଏଫଏଟିଏଫର ପରବର୍ତ୍ତୀ ସମୀକ୍ଷା ଦୃଷ୍ଟିରୁ ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳକୁ ଅସାମାନ୍ୟ ପରିସ୍ଥିତି ଭାବେ ବିବେଚନା କରାଯିବା ଉଚିତ।

ସମୀକ୍ଷା ପାଇଁ ନଭେମ୍ବର ମାସରେ ଟିମ ଆସିବ। ସେମାନେ ନଭେମ୍ବର ୩ରେ ପହଞ୍ଚିବେ। ତେଣୁ ଏହି ସମୟରେ ମନି ଲଣ୍ଡରିଂ ବିରୋଧରେ କାମ କରୁଥିବା ମିଶ୍ରା ଇଡି ମୁଖ୍ୟ ଭାବେ ନିରନ୍ତର କାମ କରିବା ଦରକାର।

ଏହା ଶୁଣି ଜଷ୍ଟିସ ବିଆର ଗାବାଇ, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠ କହିଥିଲେ ଯେ “ଆପଣ କହିବାକୁ ଚାହୁଁଛନ୍ତି ଯେ ଅନ୍ୟ ସମସ୍ତ ଅଫିସର ଅପାରଗ? କେବଳ ଜଣେ ଅଫିସର ଏହି କାମ କରିପାରିବେ?” ଜବାବରେ କେନ୍ଦ୍ର ସରକାର କହିଥିଲେ ଯେ “କୌଣସି ଅଫିସର ଅପାରଗ ନୁହନ୍ତି। ପ୍ରତି ସଂଗଠନରେ ନେତୃତ୍ୱ କଥା ରହିଥାଏ। କିନ୍ତୁ ଏଠାରେ ନିରନ୍ତରତା ରହିବା ଦରକାର।

ଆପଣଙ୍କର ପ୍ରଶ୍ନ ଠିକ। କିନ୍ତୁ ଏଠାରେ ପରିସ୍ଥିତି ସାମାନ୍ୟ ଭିନ୍ନ। ସଞ୍ଜୟ ମିଶ୍ରାଙ୍କ ଏଫଏଟିଏଫ ସମ୍ପର୍କରେ ଅଭିଜ୍ଞତା ରହିଛି। ଅନ୍ତର୍ଜାତୀୟସ୍ତରରେ ଭାରତ ଟେରର ଫାଇନାନ୍ସିଂ ବିରୋଧରେ କରୁଥିବା ଉଦ୍ୟମକୁ ଧକ୍କା ଲାଗିବାର ଆଶଙ୍କା ରହିଛି। ବିଶ୍ୱସ୍ତରରେ ଅର୍ଥନୀତିକ ସଂସ୍କାର ଆଡ଼କୁ ସଫଳତାର ସହ ଆଗକୁ ବଢ଼ୁଥିବା ଆମ ଦେଶର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇପାରେ ବୋଲି ସେ କହିଥିଲେ।

କୋର୍ଟ ୨୦୨୧ରୁ ଚାଲିଥିବା କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ବୋଲି ଦର୍ଶାଇବା ସହ କେନ୍ଦ୍ରକୁ ଜୁଲାଇ ୩୧ ଯାଏ ସମୟ ଦିଆଯାଇଥିବା କଥା କହିଥିଲେ। କେନ୍ଦ୍ର ସରକାର ଏଫଏଟିଏଫ କଥା ବାରମ୍ବାର କହିବାରୁ କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧ କରୁଥିବା ଅଭିଷେକ ମନୁସଙ୍ଘଭୀ କହିଥିଲେ, “୪୦ଟି ପାରା ମିଟରକୁ ଆଧାର କରି ଏଫଏଟିଏଫ ସମୀକ୍ଷା କରିଥାଏ।

ମନି ଲଣ୍ଡରିଂ ଏହା ମଧ୍ୟରୁ ଗୋଟିଏ ପାରାମିଟର। ସେହିପରି ଏଫଏଟିଏଫର ଯାଞ୍ଚ ପ୍ରକ୍ରିୟା ୨୦୨୪ ଯାଏ ଚାଲିବ। କ’ଣ ସେମାନେ କାର୍ଯ୍ୟକାଳ ବୃଦ୍ଧିକୁ ୨୦୨୪ ଯାଏ ବୃଦ୍ଧି କରିବାକୁ ଆବେଦନ କରିବେ? ୧୪୦ କୋଟି ଲୋକଙ୍କ ମଧ୍ୟରୁ ଆମେ କେବଳ ଜଣେ ଅଫିସରଙ୍କ ଉପରେ ନିର୍ଭର କରିବା? କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ବାରମ୍ବାର ଆବେଦନ କରିବା ନିନ୍ଦନୀୟ।”

ଶ୍ରୀ ମିଶ୍ରା ଇଡି ମୁଖ୍ୟ ଭାବେ ୨୦୧୮ ନଭେମ୍ବର ମାସରେ ଦାୟିତ୍ୱ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ୨ ବର୍ଷ ଅର୍ଥାତ ତାଙ୍କୁ ୬୦ ବର୍ଷ ବୟସ ହେବା ପରେ ଶେଷ ହୋଇଥାଆନ୍ତା। କିନ୍ତୁ ୨୦୨୦ ନଭେମ୍ବରରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏହାପରେ ପୁଣି ୨ ଥର କେନ୍ଦ୍ର ସରକାର ଶ୍ରୀ ମିଶ୍ରାଙ୍କୁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଥିଲେ।

ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ କରାଯାଇଥିଲା। ସୁପ୍ରିମକୋର୍ଟ ଏପରି କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ କହିବା ସହ ଜୁଲାଇ ୩୧ ଯାଏ ସେ ଏହି ପଦରେ ରହିପାରିବେ ବୋଲି କହିଥିଲେ। କିନ୍ତୁ କେନ୍ଦ୍ର ସରକାର ଏଫଏଟିଏଫର ଆଳ ଦେଖାଇ ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳକୁ ଅକ୍ଟୋବର ୧୫ ଯାଏ ବୃଦ୍ଧି କରିବାକୁ ଆବେଦନ କରିଥିଲେ।

ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ସାଧାରଣ ପରିସ୍ଥିତିରେ ଆମେ ଏପରି ଆବେଦନର ଶୁଣାଣି କରି ନଥାଉ। କିନ୍ତୁ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ୨୦୨୩ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କରୁଛୁ।

ଆମେ ଏହା ମଧ୍ୟ ସ୍ପଷ୍ଟ କରୁଛୁ ଯେ ଏସଂକ୍ରାନ୍ତରେ ଅନ୍ୟ କୌଣସି ଆବେଦନର ଶୁଣାଣି ହେବ ନାହିଁ। ଶ୍ରୀ ମିଶ୍ରା ୧୫ ତାରିଖ ମଧ୍ୟରାତ୍ରି ପରେ ଆଉ ଇଡି ନିର୍ଦ୍ଦେଶକ ଭାବେ କାମ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ED Raid Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe