Advertisment

ମଣିପୁର ଦଙ୍ଗା: ଘରମୁହାଁ ବାହାର ରାଜ୍ୟ ଲୋକ, ସ୍ୱତନ୍ତ୍ର ଫ୍ଲାଇଟ ବ୍ୟବସ୍ଥା

ଅଶାନ୍ତ ମଣିପୁରରେ ଫସି ରହିଥିବା ନିଜ ରାଜ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ଫେରାଇ ନେବାକୁ ଉଦ୍ୟମ ଆରମ୍ଭ କଲେଣି ବହୁ ରାଜ୍ୟ ସରକାର। ଫଳରେ ଇମ୍ଫାଲରୁ ଆସନ୍ତା କିଛି ଦିନ ପାଇଁ ସବୁ ବିମାନ ସକାଶେ ବୁକିଂ ଶେଷ ହୋଇଗଲାଣି।

author-image
Niharika Rout
Violence

Violence

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ପ୍ରାୟ ୬ ଦିନ ହେଲା ଅଶାନ୍ତ ହୋଇପଡ଼ିଛି ମଣିପୁର । ଏହି ରକ୍ତାକ୍ତ ସଂଘର୍ଷରେ ଏ ଯାବତ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ବେସରକାରୀ ଭାବେ କିନ୍ତୁ ଏହି ସଂଖ୍ୟା ବହୁ ଅଧିକ ବୋଲି ଦାବି ହେଉଛି। ଏପରି ସ୍ଥିତିରେ ଅଶାନ୍ତ ମଣିପୁରରେ ଫସି ରହିଥିବା ନିଜ ରାଜ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ଫେରାଇ ନେବାକୁ ଉଦ୍ୟମ ଆରମ୍ଭ କଲେଣି ବହୁ ରାଜ୍ୟ ସରକାର।

Advertisment

ମଣିପୁର ରେ ଫସି ରହିଥିବା ବାହାର ରାଜ୍ୟର ଲୋକଙ୍କ ମଧ୍ୟରେ ମୁଖ୍ୟତଃ ବହୁ ସଂଖ୍ୟାରେ ଛାତ୍ର ଅଛନ୍ତି। ସେମାନେ ସେଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପାଠ ପଢ଼ୁଛନ୍ତି। ଏପରି ସ୍ଥିତିରେ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଦେବାକୁ ବିଭିନ୍ନ ରାଜ୍ୟ ସରକାର ସ୍ୱତନ୍ତ୍ର ଫ୍ଲାଇଟ ବ୍ୟବସ୍ଥା କରୁଛନ୍ତି।  

ମୁଖ୍ୟତଃ ମହାରାଷ୍ଟ୍ର, ଆନ୍ଧ୍ର, ରାଜସ୍ଥାନ, ତେଲେଙ୍ଗାନା, ୟୁପି, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ରାଜ୍ୟବାସୀଙ୍କୁ ଫେରାଇ ନେବାକୁ ପଦକ୍ଷେପ ନିଆଯାଉଛି। ଫଳରେ ଇମ୍ଫାଲରୁ ଆସନ୍ତା କିଛି ଦିନ ପାଇଁ ସବୁ ବିମାନ ସକାଶେ ବୁକିଂ ଶେଷ ହୋଇଗଲାଣି।

Advertisment

ମଣିପୁର ଦଙ୍ଗାକୁ ନେଇ ସୁପ୍ରିମକୋର୍ଟରେ ୩ଟି ପିଟିସନ ଫାଇଲ ହୋଇଥିବା ବେଳେ ଆଜି ତାହାର ଶୁଣାଣି ହେବ । ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ପିଏସ ନରସିଂମା ଏବଂ ଜେ.ବି ପାରଦିୱାଲାଙ୍କୁ ନେଇ ଗଠିତ ୩ ଜଣିଆ ବେଞ୍ଚ ଆଜି ଏହି ମାମଲାର ଶୁଣାଣି କରିବ । ଏହି ୩ଟି ପିଟିଶନ ମଧ୍ୟରୁ ଗୋଟିଏରେ ଜଣେ ବିଜେପି ଏମଏଲଏ ମୈତୈ ସଂପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ହାଇକୋର୍ଟଙ୍କ ଅର୍ଡରକୁ ଚ୍ୟାଲେଞ୍ଜ କରିଛନ୍ତି। ଏହାବାଦ ଏହି ଦଙ୍ଗା ଘଟଣାର ଏସଆଇଟି ତଦନ୍ତ ପାଇଁ ଆଉ ଏକ ପିଟିଶନ ଫାଇଲ ହୋଇଛି।

ଅପରପକ୍ଷେ, କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଜି କିଶନ ରେଡ୍ଡି ଏହି ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି। ସରକାର ପ୍ରସ୍ତୁତ ଅଛନ୍ତି, ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣ ଆଗଭର ହୁଅନ୍ତୁ ବୋଲି ସେ ଟ୍ୱିଟ କରିଛନ୍ତି।

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷର ଚିହ୍ନ ଏବେବି ମଣିପୁରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ବହୁ ପରିମାଣର ସରକାରୀ ସମ୍ପତ୍ତି ପୋଡ଼ି ପାଉଁଶ କରି ଦେଇଛନ୍ତି। ଭାରତୀୟ ସେନା ଓ ଆସାମ ରାଇଫଲ୍ସ ପକ୍ଷରୁ ମିଳିତ ଅପରେସନ କରାଯାଇ ହିଂସାଗ୍ରସ୍ତ ଅଞ୍ଚଳରୁ ପ୍ରାୟ ୨୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଇଣ୍ଟରନେଟ ସେବାକୁ କାଟି ଦିଆଯାଇଥିଲା। ଏପରିକି ସ୍ଥିତି ଅଣାୟତ୍ତ ହେବାରୁ ଶୁଟ୍‌ ଆଟ୍‌ ସାଇଟ୍‌ ଅର୍ଡର ଦେଇଥିଲେ ରାଜ୍ୟପାଳ। ତେବେ ରବିବାର ସକାଳେ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଥିବା ବେଳେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବାକୁ ବାହାରକୁ ଯାଇଥିଲେ।

ସୂଚନାଯୋଗ୍ୟ, ମୈତୈ ସଂପ୍ରଦାୟର ଲୋକମାନେ ନିଜକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ଦାବି କରୁଥିବା ବେଳେ ଏହାକୁ ଆଦିବାସୀ ଛାତ୍ର ସଙ୍ଗଠନ ‘ଆଦିବାସୀ ଏକତା ମୋର୍ଚ୍ଚା’ ବିରୋଧ କରୁଛି। ବୁଧବାର ‘ଆଦିବାସୀ ଏକତା ମୋର୍ଚ୍ଚା’ ପକ୍ଷରୁ ଏହା ବିରୋଧରେ ଗୋଟିଏ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ଉକ୍ତ ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିବା ବେଳେ ଏହି ଦଙ୍ଗା ଆରମ୍ଭ ହୋଇଥିଲା।

Communal Violence Manipur