ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। ସେପ୍ଟେମ୍ବର ୧୮ରୁ ୨୨ ଯାଏ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସିବ। ଏପରି ହଠାତ୍ ୫ ଦିନିଆ ଅଧିବେଶନ ଡାକିବାର ପଛର କାରଣ ଜଣାପଡ଼ିନାହିଁ। କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଶେଷ ଅଧିବେଶନ ବସିବାକୁ ଯାଉଥିବା ଟ୍ୱିଟରରେ(ଏବେ ଏକ୍ସ) ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ସଂସଦର ସ୍ୱତନ୍ତ୍ର ଅଧିବେଶନ(୧୭ତମ ଲୋକସଭାର ୧୩ତମ ଅଧିବେଶନ ଓ ରାଜ୍ୟସଭାର ୨୬୧ତମ ଅଧିବେଶନ) ସେପ୍ଟେମ୍ବର ୧୮ରୁ ୨୨ ଯାଏ ଡକା ଯାଉଛି। ଏଥିରେ ୫ଟି କାର୍ଯ୍ୟ ଦିବସ ରହିବ। ଅମୃତ କାଳରେ ବସିବାକୁ ଯାଉଥିବା ଅଧିବେଶନରେ ଗଠନ ମୂଳକ ଆଲୋଚନା ଓ ବିତର୍କ ହେବେ ବୋଲି ଆଶା।”
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୫ ଦିନିଆ ଅଧିବେଶନର ଏଜେଣ୍ଡା ସରକାର ସାର୍ବଜନୀନ କରି ନାହାନ୍ତି। ସେହିପରି ଅଧିବେଶନ ସଂସଦର ନୂଆ ବିଲଡିଂରେ ବସିବ କି ପୁରୁଣା ବିଲଡିଂରେ ବସିବ, ସେକଥା ମଧ୍ୟ ସ୍ପଷ୍ଟ ହୋଇନି। ଲୋକସଭା ଓ ରାଜ୍ୟସଭାର ଯୁଗ୍ମ ଅଧିବେଶନ ମଧ୍ୟ ବସିବାର କାର୍ଯ୍ୟକ୍ରମ ନାହିଁ। ୫ ଦିନିଆ ଅଧିବେଶନରେ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାର ସମ୍ଭବନା ନଥିବା ଗୋଟିଏ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
Special Session of Parliament (13th Session of 17th Lok Sabha and 261st Session of Rajya Sabha) is being called from 18th to 22nd September having 5 sittings. Amid Amrit Kaal looking forward to have fruitful discussions and debate in Parliament.
— Pralhad Joshi (@JoshiPralhad) August 31, 2023
ಸಂಸತ್ತಿನ ವಿಶೇಷ ಅಧಿವೇಶನವನ್ನು… pic.twitter.com/k5J2PA1wv2
ସେହିପରି ଆଉ ଗୋଟିଏ ଗଣମାଧ୍ୟମରେ ଦାବି କରାଯାଇଛି ଯେ ସରକାର ସମ୍ଭବତଃ ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବାକୁ ଏପରି ଅଧିବେଶନ ଡାକିଛନ୍ତି। କାରଣ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦ ବିରୋଧୀ ଆବେଦନ ଶୁଣାଣି କରିବା ବେଳେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ମାନ୍ୟତା କେବେ ମିଳିବ ବୋଲି ପ୍ରଶ୍ନ କରିଥିଲେ।
କେନ୍ଦ୍ର ସରକାର ଏଥିପାଇଁ ସମୟ ଲାଗିବ ବୋଲି କହିଛନ୍ତି। ତଥାପି ବିଲ୍ ମାଧ୍ୟମରେ ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କୁହାଯାଉଛି। ଏହାବାଦ ୫ ଦିନିଆ ଅଧିବେଶର ଏଜେଣ୍ଡାରେ ଅମୃତକାଳର ଉତ୍ସବ ଓ ଭାରତକୁ ଗୋଟିଏ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପ୍ରସ୍ତାବ ମଧ୍ୟ ସାମିଲ ହୋଇପାରେ।