ବିବାଦରେ ବିଧାୟକଙ୍କ ବୟାନ, କହିଲେ- ‘ଫାଷ୍ଟ୍ ରେଟ୍‌’ ମହିଳାମାନେ ଚାଷୀଙ୍କ ପୁଅମାନଙ୍କୁ ବାହା ହୁଅନ୍ତିନି

ଦେବେନ୍ଦ୍ର ଭୂୟାରଙ୍କ ଏହି ମନ୍ତବ୍ୟ ପରେ ରାଜନୀତିକ ବୟାନବାଜି ଆରମ୍ଭ ହୋଇଯାଇଛି। ତାଙ୍କ ମନ୍ତବ୍ୟ ମହିଳାଙ୍କ ସହିତ ପୂରା କୃଷକ ଜାତିକୁ ଅସମ୍ମାନିତ କରିଛି ବୋଲି ମତ ପ୍ରକାଶ ପାଇଛି।

ଦେବେନ୍ଦ୍ର ଭୂୟାର

  • Published: Wednesday, 02 October 2024
  • , Updated: 02 October 2024, 10:26 PM IST

ମହିଳା ଓ ଚାଷୀମାନଙ୍କ ପୁଅଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ବିବାଦରେ ପଡ଼ିଛନ୍ତି ମହାରାଷ୍ଟ୍ରର ‘ସ୍ୱାଭିମାନୀ ପକ୍ଷ’ ବିଧାୟକ ଦେବେନ୍ଦ୍ର ଭୂୟାର। ବରୁଡ଼-ମୋର୍ଶୀ ବିଧାନସଭା ଆସନରୁ ବିଜୟୀ ହୋଇଥିବା ଦେବେନ୍ଦ୍ର ଭୂୟାର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଜଣେ ସମର୍ଥକ ଭାବେ ଜଣାଶୁଣା।

ମଙ୍ଗଳବାର ଅମରାବତୀରେ ଏକ ଜନସଭାକୁ ସମ୍ବୋଧିତ କଲା ବେଳେ ସେ କହିଥିଲେ, ଯଦି ଜଣେ ମହିଳା ଦେଖିବାକୁ ଖୁବ୍ ସୁନ୍ଦର, ତା’ହେଲେ ସେ ମୋ ଭଳି କିମ୍ବା ତୁମମାନଙ୍କ ଭଳି ବ୍ୟକ୍ତିଟିଏକୁ ଜୀବନସାଥୀ ଭାବେ ବାଛିବେ ନାହିଁ। ସେ ଜଣେ ଚାକିରିଆକୁ ବାହା ହେବାକୁ ଚାହିଁବେ। ସେମାନେ ହେଲେ ‘ଫାଷ୍ଟ୍ ରେଟ୍’ ମହିଳା। ସେହିପରି ‘ସେକେଣ୍ଡ-ରେଟ୍’ ମହିଳାମାନେ ଦୋକାନୀ କିମ୍ବା ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ବାଛିବେ। ‘ଥାର୍ଡ ରେଟ୍’ ମହିଳାମାନେ ଚାଷୀମାନଙ୍କ ପୁଅମାନଙ୍କୁ ବାହା ହେବେ। ଆଉ ଏହିଭଳି ବିବାହଗୁଡ଼ିକରୁ ଜନ୍ମ ହେଉଥିବା ପିଲାମାନଙ୍କଠାରେ ଦୁର୍ବଳ ବିଶେଷତ୍ୱ ଦେଖିବାକୁ ମିଳିଥାଏ।

ଦେବେନ୍ଦ୍ର ଭୂୟାରଙ୍କ ଏହି ମନ୍ତବ୍ୟ ପରେ ରାଜନୀତିକ ବୟାନବାଜି ଆରମ୍ଭ ହୋଇଯାଇଛି। ତାଙ୍କ ମନ୍ତବ୍ୟ ମହିଳାଙ୍କ ସହିତ ପୂରା କୃଷକ ଜାତିକୁ ଅସମ୍ମାନିତ କରିଛି ବୋଲି ମତ ପ୍ରକାଶ ପାଇଛି।

କଂଗ୍ରେସ ନେତା ଯଶୋମତି ଠାକୁର କହିଛନ୍ତି ଯେ ମହିଳାମାନଙ୍କର ଏପରି ବର୍ଗୀକରଣକୁ କେହି ଗ୍ରହଣ କରିପାରିବେ ନାହିଁ। ଅଜିତ ପାୱାର ଓ ଅନ୍ୟ ଯେଉଁମାନେ କ୍ଷମତାରେ ଅଛନ୍ତି, ନିଜ ବିଧାୟକମାନଙ୍କୁ ନିୟନ୍ତ୍ରଣରେ ରଖନ୍ତୁ। ସମାଜ ସେମାନଙ୍କୁ ଉଚିତ ଶିକ୍ଷା ଦେବ।

ଅନ୍ୟପକ୍ଷରେ ବିବାଦ ବଢ଼ିବା ସତ୍ତ୍ୱେ ବିଧାୟକ ଦେବେନ୍ଦ୍ର ଭୂୟାର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ବିରୋଧୀ ଦଳର ନେତାମାନେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related story