Advertisment

West Bengal Gang Rape: ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ବିବାଦ

ଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଛାତ୍ରୀଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ। ସେ ଦୁର୍ଗାପୁରର ଶୋଭାପୁର ଅଞ୍ଚଳରେ ଥିବା ଆଇକ୍ୟୁ ସିଟି ମେଡିକାଲ କଲେଜର ଏମ୍‌ବିବିଏସ୍‌ର ଦ୍ୱିତୀୟ ବର୍ଷର ଛାତ୍ରୀ।

author-image
Jitendra Garnayak
Mamata

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗର ଦୁର୍ଗାପୁରର ଶୋଭାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ରବିବାର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ତାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏଭଳି ଏକ ଘଟଣାକୁ ନେଇ ସେ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି।

Advertisment

ପୀଡ଼ିତା ଏକ ଘରୋଇ ମେଡିକାଲ କଲେଜର ଛାତ୍ରୀ ହୋଇଥିବାରୁ ଏହି ଘଟଣା ପାଇଁ ପୂରା ଦାୟିତ୍ୱ ସରକାରଙ୍କଠାରୁ ହଟାଇ ଉକ୍ତ ମେଡିକାଲ କଲେଜ ଉପରେ ଲଦିବାକୁ ପ୍ରୟାସ କରିଛନ୍ତି ମମତା।

ସେ କହିଛନ୍ତି, ସେ (ପୀଡ଼ିତା) ଏକ ଘରୋଇ ମେଡିକାଲ କଲେଜରେ ପଢ଼ନ୍ତି। ତା’ହେଲେ ଏହା କାହାର ଦାୟିତ୍ୱ? ସେ କାହିଁକି ରାତି ସାଢ଼େ ୧୨ଟା ବେଳେ ବାହାରକୁ ଆସିଥିଲେ? ଘରୋଇ ମେଡିକାଲ କଲେଜଗୁଡ଼ିକ ନିଜେ ସେମାନଙ୍କ ଶିକ୍ଷାର୍ଥୀଙ୍କ ଯତ୍ନ ନେବା ଉଚିତ। ତା’ସହିତ ରାତିରେ ବାହାରେ ବୁଲିବା ପ୍ରସଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦେବା ଉଚିତ। ସେମାନଙ୍କୁ ରାତିରେ ବାହାରେ ବୁଲାବୁଲି କରିବାକୁ ଅନୁମତି ଦିଆନଯିବା ଉଚିତ। ସେମାନେ ନିଜକୁ ନିଜେ ରକ୍ଷା କରିବା ଉଚିତ। ମୁଁ ଯାହା ଜାଣିଛି ଘଟଣା ଘଟିଥିବା ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଅଛି।

Advertisment

ଏହା ସହିତ ସେ ଓଡ଼ିଶାର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତିନି ସପ୍ତାହ ତଳେ ଓଡ଼ିଶାରେ ସମୁଦ୍ର କୂଳରେ ୩ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେହି ମାମଲାରେ ଓଡ଼ିଶା ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କିନ୍ତୁ ପଶ୍ଚିମବଙ୍ଗରେ ଯଦି ମହିଳାଙ୍କ ସହିତ କିଛି ବି ଘଟେ, ଆମେ ତାକୁ ସାଧାରଣ ମାମଲା ଭାବେ ନେଉ ନାହିଁ। ସେଗୁଡ଼ିକୁ ଆମେ ଗୁରୁତ୍ୱପୂର୍ଣ୍ଣ ମାମଲା ଭାବେ ଗ୍ରହଣ କରୁ।

ତାଙ୍କର ଏହି ମନ୍ତବ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ। କାରଣ ତିନି ସପ୍ତାହ ତଳେ ଓଡ଼ିଶାର କୌଣସି ସମୁଦ୍ର କୂଳରେ ଏମିତି ଏକ ଘଟଣା ଘଟି ନାହିଁ। ତଥାପି ମମତା ଜଣେ ମୁଖ୍ୟମନ୍ତ୍ରୀ ହୋଇ କେଉଁ ଆଧାରରେ ଏଭଳି ଏକ ତଥ୍ୟ ରଖିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମମତା ଆହୁରି କହିଛନ୍ତି, ଯେତେବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ଘଟଣା ଘଟେ, ତାହା ନିନ୍ଦନୀୟ। ମଣିପୁର, ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାରେ ଏଭଳି ମାମଲା ବହୁତ ଘଟୁଛି। ଆମେ ଭାବୁଛୁ ସେଠାକାର ସରକାରଗୁଡ଼ିକ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ।

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାକୁ ମମତା ନିନ୍ଦା କରିଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତିନି ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। କିନ୍ତୁ ଅନ୍ୟମାନଙ୍କ ଉପରେ ଦାୟିତ୍ୱ ଲଦିବା, ଛାତ୍ରୀମାନେ ରାତିରେ କ୍ୟାମ୍ପସ ବାହାରକୁ ଯିବା ଉପରେ ପ୍ରଶ୍ନ ଉଠାଇବା ତଥା ଓଡ଼ିଶାରେ ଦୁଷ୍କର୍ମ ନେଇ ଭୁଲ ତଥ୍ୟ ଦେବା ଘଟଣାକୁ ନେଇ ବିବାଦୀୟ ହୋଇପଡ଼ିଛନ୍ତି ମମତା

ଏହି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବୟାନ ଆସିବା ପରେ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଛି। ବିଜେପି ମୁଖ୍ୟପାତ୍ର ଗୌରବ ଭାଟିଆ ଏକ୍ସରେ ଲେଖିଛନ୍ତି, ମମତାଙ୍କ ବୟାନ ମହିଳାଙ୍କ ପ୍ରତି ଅପମାନ। ଆରଜି କର ଓ ସନ୍ଦେଶଖଲି ପରେ ଏବେ ଆଉ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ନ୍ୟାୟ ପ୍ରଦାନ କରିବା ବଦଳରେ ସେ ପୀଡ଼ିତାଙ୍କ ଉପରେ ଦୋଷ ଲଦିଛନ୍ତି।

ସେ ଲେଖିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ ଝିଅମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ବଦଳରେ ସେମାନଙ୍କୁ ରାତିରେ ବାହାରକୁ ନଯିବାକୁ କହୁଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ରହିବାର ତାଙ୍କର ଆଉ ନୈତିକ ଅଧିକାର ନାହିଁ। ଲୋକେ ଅନୁଭବ କଲେଣି ଯେ ସେମାନେ ହୃଦୟହୀନ ମମତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରି ଭୁଲ କରିଦେଇଛନ୍ତି। ସେ ଇସ୍ତଫା ଦେଇ ଦେବା ଉଚିତ।

ଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଛାତ୍ରୀଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ। ସେ ଦୁର୍ଗାପୁରର ଶୋଭାପୁର ଅଞ୍ଚଳରେ ଥିବା ଆଇକ୍ୟୁ ସିଟି ମେଡିକାଲ କଲେଜର ଏମ୍‌ବିବିଏସ୍‌ର ଦ୍ୱିତୀୟ ବର୍ଷର ଛାତ୍ରୀ।

ଗତ ଶୁକ୍ରବାର ରାତିରେ ସେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ଗୁପ୍‌ଚୁପ୍‌ ଖାଇବାକୁ ମେଡିକାଲ କଲେଜ କ୍ୟାମ୍ପସରୁ ବାହରିଥିଲେ। କ୍ୟାମ୍ପସ ଗେଟ୍ ପାଖରୁ ଅଭିଯୁକ୍ତମାନେ ତାଙ୍କୁ ଉଠାଇ ନେଇଥିଲେ। ସେମାନେ ଛାତ୍ରୀ ଜଣଙ୍କୁ ମେଡିକାଲ ପଛ ପଟକୁ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ।