Advertisment

ପାୱାରଙ୍କ ମଧ୍ୟସ୍ଥତା ପରେ ସାବରକର ପ୍ରସଙ୍ଗ ନ ଉଠାବାକୁ ରାଜି ହେଲେ ରାହୁଲ ଗାନ୍ଧି

ରାହୁଲ ଗାନ୍ଧି ସାବରକର ପ୍ରସଙ୍ଗ ଉଠାଇ କ୍ଷମା ମାଗିବେ ନାହିଁ ବୋଲି କହିବା ପରେ ଏମଭିଏରେ ଥିବା ଉଦ୍ଧବ ଠାକରେଙ୍କ ଶିବସେନା ଆପତ୍ତି ଉଠାଇଥିଲା।

ଅଦ୍ୟତନ ହୋଇଛି
undefined

Rahul Gandhi

Advertisment

ସାବରକର ପ୍ରସଙ୍ଗକୁ ନେଇ ମହାବିକାଶ ଅଘାଡ଼ିରେ ସୃଷ୍ଟି ହୋଇଥିବା ଫାଟରେ ମଧ୍ୟସ୍ଥତା କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। କଂଗ୍ରେସ ନେତା ରାହୁଲ ଗାନ୍ଧି ସାବରକର ପ୍ରସଙ୍ଗ ଉଠାଇ କ୍ଷମା ମାଗିବେ ନାହିଁ ବୋଲି କହିବା ପରେ ଏମଭିଏରେ ଥିବା ଉଦ୍ଧବ ଠାକରେଙ୍କ ଶିବସେନା ଆପତ୍ତି ଉଠାଇଥିଲା। ଏପରି କି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗତକାଲି ବିରୋଧୀଙ୍କ ପାଇଁ ଆୟୋଜନ କରିଥିବା ଡିନର ପାର୍ଟିରେ ଉଦ୍ଧବ ଗୋଷ୍ଠୀ ସାମିଲ ହୋଇ ନଥିଲା।

Advertisment

ତେବେ ଉଦ୍ଧବଙ୍କ ଶିବସେନା ଓ କଂଗ୍ରେସ ମଧ୍ୟରେ ସାବରକର ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମାଧାନ କରିଛନ୍ତି ଶରଦ ପାୱାର। ତାଙ୍କ ପରାମର୍ଶ ପରେ ରାହୁଲ ଗାନ୍ଧି ଆଗକୁ ଆଉ ସାବରକର ପ୍ରସଙ୍ଗ ଉଠାଇବେ ନାହିଁ ବୋଲି ରାଜି ହୋଇଛନ୍ତି। ଏନେଇ ସେ ଉଦ୍ଧବ ସେନାର ଅତ୍ୟନ୍ତ ଘନିଷ୍ଠ ସଞ୍ଜୟ ରାଉତଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ବିରୋଧୀ ଏକାଠି ହେଉଛନ୍ତି। ଏପରି ସ୍ଥିତିରେ ସାବରକରଙ୍କୁ ନେଇ କାଳେ ଆଗକୁ ମେଣ୍ଟରେ ଫାଟ ଦେଖାଯିବ, ସେଥିପାଇଁ ଶରଦ ପାୱାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିଥିଲେ। ସେ ଦୁଇ ପକ୍ଷଙ୍କ ସହ କଥା ହେବା ସହ ସ୍ଥିତିକୁ ଠିକଣା ସମୟରେ ସ୍ଥିତି ସମ୍ଭାଳି ନେଇଥିବା କୁହାଯାଉଛି।

Advertisment

ସଦସ୍ୟତା ପଦ ରଦ୍ଦ ହେବା ପରେ ରାହୁଲ ଗାନ୍ଧି ଶନିବାର ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ “ମୋ ନାଁ ସାବରକର ନୁହେଁ। ମୋ ନାଁ ରାହୁଲ ଗାନ୍ଧି। ଗାନ୍ଧି କେବେ ହେଲେ କାହାକୁ କ୍ଷମା ମାଗନ୍ତି ନାହିଁ।”

ଏହି ମନ୍ତବ୍ୟକୁ ଉଦ୍ଧବ ସେନା ଗୋଷ୍ଠୀ ସହଜରେ ଗ୍ରହଣ କରିପାରି ନଥିଲେ। ଏହାର ମୁଖ୍ୟ ଉଦ୍ଧବ ଠାକରେ ସିଧାସଳଖ ଏହାକୁ ନିନ୍ଦା କରିବା ସହ ତାଙ୍କ ଦଳ ହିନ୍ଦୁତ୍ୱ ନେତା ଭିଡି ସାବରକରଙ୍କୁ ଭଗବାନ ଭାବେ ବିବେଚନା କରେ ବୋଲି କହିଥିଲେ। ଏଥିସହ ସାବରକରଙ୍କୁ ଅପମାନିତ କଲେ ବିରୋଧ ମେଣ୍ଟରେ ଫାଟ ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଥିଲେ। 

ଏହାପରେ ରାହୁଲଙ୍କ ସାବରକର ମନ୍ତବ୍ୟକୁ ବିରୋଧ କରି ଉଦ୍ଧବ ସେନାର କୌଣସି ନେତା ଖଡଗେଙ୍କ ଡିନର ପାର୍ଟିରେ ସାମିଲ ହୋଇ ନଥିଲେ। ଏସବୁ ଭିତରେ ଆଜି ଶରଦ ପାୱାର ମଧ୍ୟସ୍ଥି ସାଜିଥିଲେ। ସେ ଆଜି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ବିରୋଧୀଙ୍କ ବୈଠକ ବେଳେ ଏହି ପ୍ରସଙ୍ଗ ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ରାହୁଲ ଗାନ୍ଧି ଆଗକୁ ସାବରକର ପ୍ରସଙ୍ଗରେ ମତ ଦେବାରୁ ଦୂରେଇ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe