ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ପୁଣି ସାମ୍ନାକୁ ଆସିଛି ଦାଦନ ଦୁଃଖ। ଏ ଦୁଃଖ ଜଣେ ନୁହେଁ, ୧୫ ଯୁବକଙ୍କର। ପରିବାରର ଦୁଃଖ ସହିନପାରି ଚାଲି ଯାଇଥିଲେ ପରଦେଶ। ଭାବିଥିଲେ ବିଦେଶରେ କାମ କରି ଦି’ ପଇସା ରୋଜଗାର କରିବେ ଓ ନିଜ ପରିବାରକୁ ସୁଖରେ ରଖିବେ। ହେଲେ ସୁଖର ସ୍ୱପ୍ନ ନିମିଶକେ ଆଖିର ଲୁହରେ ବୋହିଗଲା। ସୁଖର ସଉଦା କରିବାକୁ ଯାଇ ଓମାନରେ ବନ୍ଧା ପଡ଼ିଗଲେ ୧୫ ଯୁବକ। ଏହା ଭିତରେ ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏବେ ଜନ୍ମମାଟିକୁ ଫେରିବା ପାଇଁ ସେମାନେ ଆକୁଳ ନିବେଦନ କରୁଛନ୍ତି। ହେଲେ ଦାଦନର ଏ ଦୁଃଖ ଓ ଯନ୍ତ୍ରଣା ନା ଜିଲ୍ଲା ପ୍ରଶାସନର କାନରେ ପଡ଼ୁଛି ନା ରାଜ୍ୟ ସରକାରଙ୍କର। ସତେ ଯେମିତି ସମସ୍ତେ ନିଘୋଡ଼ ନିଦ୍ରାରେ ଶୋଇଥିଲା ପରି ଲାଗୁଛନ୍ତି। ସୁଦୂର ଓମାନରେ ବନ୍ଦୀ ପଡ଼ିଥିବା ୧୪ ଶ୍ରମିକ ହେଉଛନ୍ତି ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର।
ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା କମଳାପଦର ଗାଁର ପ୍ରଦୀପ ପାହାନ ପରିବାର ଦୁଃଖ ଦୂର ପାଇଁ କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ। ସେ ଡ଼ଲ୍ଫିନ୍ ଟ୍ରେଡିଂ ଏଣ୍ଡ ଇନ୍ଭେଷ୍ଟମେଣ୍ଟ୍ ଏଲଏଲ୍ଟିରେ କାମ କରୁଥିଲେ। ତାଙ୍କ ସହିତ ଆହୁରି ୧୪ ଓଡ଼ିଆ ଶ୍ରମିକ ସେଠାରେ କାମ କରୁଥିଲେ। ସେମାନଙ୍କ ଭିସା ଅବଧି ବର୍ଷେ ତଳୁ ଶେଷ ହୋଇଗଲାଣି। ହେଲେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଭିସା ନବୀକରଣ କରୁନାହିଁ। ସେମାନଙ୍କୁ କମ୍ପାନୀ କ୍ୟାମ୍ପସ ବାହାରକୁ ଯିବା ପାଇଁ ଦେଉନାହିଁ। ଯାହାଫଳରେ ସେମାନେ ଘରକୁ ଫେରିପାରୁନାହାନ୍ତି। ଏବେ ସେମାନେ ଏକ ପ୍ରକାର ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି।
କିଛିଦିନ ତଳେ ପ୍ରଦୀପ ସିମ୍ କିଣିବାକୁ ମାର୍କେଟ୍ ଯାଇଥିଲେ। ସିମ୍କାର୍ଡ କିଣି ସେ ଫେରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ରୟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ପ୍ରଦୀପ ରୁମ୍କୁ ନଫେରିବାରୁ ସାଥୀଙ୍କ ଭିତରେ ଭାଳେଣି ପଡ଼ି ଯାଇଥିଲା। ବହୁ ଖୋଜାଖୋଜି ପରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଗତ ମଙ୍ଗଳବାର ଜାଣିବାକୁ ପାଇଥିଲେ। ମୃତଦେହ ମେଡିକାଲ୍ର ଶବାଗାରରେ ଥିବା ଜଣାପଡ଼ିଥିଲା।
ପ୍ରଦୀପଙ୍କ ମୃତ୍ୟୁ ପରି ସାଥୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏନେଇ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପ୍ରଦୀପଙ୍କ ମୃତ୍ୟୁ ଖବର ପାଇବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ମରଶରୀରକୁ ଭିଟାମାଟିକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି। ବାପା-ମାଆ ରୋଜଗାରିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି। ପତ୍ନୀ ଓ ଦୁଇ କୋମଳମତି ପୁଅ-ଝିଅ ବାପାଙ୍କୁ ଝୁରି ହେଉଛନ୍ତି।
ପ୍ରଦୀପଙ୍କ ମୃତ୍ୟୁ ଖବର ପାଇ ସହାୟତାର ହାତ ବଢ଼ାଇଛନ୍ତି ‘ଆମ ଓଡ଼ିଆ ସମାଜ’ର ପ୍ରତିଷ୍ଠିତା ଡକ୍ଟର ଅରୁଣ କୁମାର ପ୍ରହରାଜ। ସେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଫୋନ୍ରେ କଥା ହୋଇଥିଲେ। ଏପରିକି ପ୍ରଦୀପଙ୍କ ମୃତଦେହ କିଭଳି ଗାଁକୁ ଫେରିବ, ସେ ସମ୍ପର୍କରେ ଡକ୍ଟର ପ୍ରହରାଜ ଆଲୋଚନା କରିଛନ୍ତି।
ସେପଟେ ବନ୍ଦୀ ଜୀବନ କାଟୁଥିବା ଅନ୍ୟ ଶ୍ରମିକମାନେ ଘରକୁ ଫେରିବା ପାଇଁ ନିବେଦନ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଭିସା ନବୀକରଣ କରୁନଥିବାରୁ ଘରକୁ ଫେରିବାକୁ ବ୍ୟବସ୍ଥା କରିବା ପାଇଁ ଶ୍ରମିକମାନେ ଅନୁରୋଧ କରିଛନ୍ତି।