୧୦ ଲକ୍ଷରୁ ଅଧିକ ‘ଜାଲ୍’ ହିତାଧିକାରୀଙ୍କୁ ମାସିକ ଭତ୍ତା, ଧରାଛୁଆଁ ଦେଉନାହାନ୍ତି ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜର ନିଷ୍ପେଷିତ ବର୍ଗର ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ରାଜ୍ୟର ବିଜେଡି ସରକାର ‘ମଧୁବାବୁ ପେନସନ୍’ ନାଁରେ ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହି ଯୋଜନାରେ ରାଜ୍ୟ ରାଜକୋଷରୁ ପ୍ରାୟ ୧୦ଲକ୍ଷରୁ ଅଧିକ ‘ଜାଲ୍’ ହିତାଧିକାରୀ ମାସିକ ଭତ୍ତା ନେଉଥିବାର ଆଶଙ୍କା କରାଯାଉଥିବାବେଳେ ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ଜିଲ୍ଲାପାଳମାନେ ଧରାଛୁଆଁ ଦେଉନଥିବାରୁ ଏହି ଆଶଙ୍କା ଏବେ ସତ ପ୍ରମାଣିତ ହେବାକୁ […]

madhubabu.jpg111

Manoranjan Sial
  • Published: Monday, 07 October 2019
  • , Updated: 07 October 2019, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜର ନିଷ୍ପେଷିତ ବର୍ଗର ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ରାଜ୍ୟର ବିଜେଡି ସରକାର ‘ମଧୁବାବୁ ପେନସନ୍’ ନାଁରେ ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହି ଯୋଜନାରେ ରାଜ୍ୟ ରାଜକୋଷରୁ ପ୍ରାୟ ୧୦ଲକ୍ଷରୁ ଅଧିକ ‘ଜାଲ୍’ ହିତାଧିକାରୀ ମାସିକ ଭତ୍ତା ନେଉଥିବାର ଆଶଙ୍କା କରାଯାଉଥିବାବେଳେ ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ଜିଲ୍ଲାପାଳମାନେ ଧରାଛୁଆଁ ଦେଉନଥିବାରୁ ଏହି ଆଶଙ୍କା ଏବେ ସତ ପ୍ରମାଣିତ ହେବାକୁ ଯାଉଛି। ରାଜନୀତିକ ଫାଇଦା ପାଇଁ ବିଜେଡି ସରକାର କିଭଳି ପାଟକୁରା ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ କିଭଳି ଅତିରିକ୍ତ ଭାବେ ୫ହଜାର ହିତାଧିକାରୀଙ୍କୁ ବାଣ୍ଟିବାକୁ ପଛାଇ ନାହାନ୍ତି ତା’ର ମଧ୍ୟ ଗୁମର ଏବେ ପଦାକୁ ଆସିଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ମୋଟ ୨୭.୮୬ ଲକ୍ଷ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନର ବିଭିନ୍ନ ସବ୍-ସ୍କିମରେ ମାସିକ ଭତ୍ତା ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ଅନିୟମିତାକୁ ଏଡ଼ାଇବା ଓ ଜାଲ୍ ହିତାଧିକାରୀ ସଂଖ୍ୟା ଚିହ୍ନଟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ଆଧାର ନମ୍ବରକୁ ସଂଯୁକ୍ତ କରି ଡିଜିଟାଲ ଡାଟାବେସ ପ୍ରସ୍ତୁତ ନିମନ୍ତେ ନିଷ୍ପତ୍ତି ନେଇଥିଲେ। ୨୦୧୯ ଫେବୃୟାରୀ ୧୧ତାରିଖରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖି ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ନେଉଥିବା ସମସ୍ତ ହିତାଧିକାରୀଙ୍କ ଆଧାର ନମ୍ବର ସିଡିଙ୍ଗ୍ ପ୍ରକ୍ରିୟାକୁ ମାସକ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବାରମ୍ବାର ତାଗିଦ୍ ସତ୍ତେ୍ୱ ହିତାଧିକାରୀଙ୍କ ଆଧାର ନମ୍ବର ସଂଯୁକ୍ତ ଓ ଯାଞ୍ଚ କରିବା ଦିଗରେ ଜିଲ୍ଲା ପ୍ରଶାସନ କୌଣସି ଆଗ୍ରହ ଦେଖାଇ ନଥିଲେ। ଜିଲ୍ଲାପାଳମାନଙ୍କ ଏଭଳି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କରଜ୍ୟୋତି ଶର୍ମା ଗତ ଅଗଷ୍ଟ ୩୦ତାରିଖରେ ପୁଣିଥରେ ଚିଠି ଲେଖି ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହି ଆଧାର ନମ୍ବର ସିଡିଙ୍ଗ୍ ପ୍ରକ୍ରିୟା ଶେଷ କରିବାକୁ ତାଗିଦ୍ କରିଥିଲେ।

ମାତ୍ର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀଙ୍କ ଆଧାର ନମ୍ବର ସିଡିଙ୍ଗ୍ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନଗୁଡ଼ିକର କାର୍ଯ୍ୟ ଅତ୍ୟନ୍ତ ନିରାଶାଜନକ ହୋଇଛି । ଏ ସମ୍ପର୍କରେ ପୁଣିଥରେ ଚଳିତମାସ ୪ତାରିଖରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ବିଭାଗ ଅସନ୍ତୋଷ ଜଣାଇଛି । କେନ୍ଦୁଝର ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି ଯୋଜନାର ହିତାଧିକାରୀଙ୍କ ଆଧାର ସିଡିଙ୍ଗ୍ ପ୍ରକ୍ରିୟା ମାତ୍ର ୫.୭% ଥିବାବେଳେ, ଢେଙ୍କାନାଳରେ ୧୭.୨୩%, ବଲାଙ୍ଗିରରେ ୨୬.୦୩% ହୋଇଥିବାବେଳେ କଟକ, ବରଗଡ଼, ଜଗତସିଂହପୁର, ଯାଜପୁର, କନ୍ଧମାଳ, ବାଲେଶ୍ୱର ଆଦି ଜିଲ୍ଲାରେ ଏହା ୪୦%ରୁ କମ୍ ରହିଛି । ଚଳିତମାସ ୧୫ତାରିଖରେ ହିତାଧିକାରୀମାନେ ନିଜର ମାସିକ ଭତ୍ତା ନେବାକୁ ଆସିବାବେଳେ ସେମାନଙ୍କୁ ନିଜର ଆଧାର କାର୍ଡ ସହ ଆସିବା ପାଇଁ ଆବଶ୍ୟକ ପ୍ରଚାରପ୍ରସାର କରାଇବାକୁ ଜିଲ୍ଲାପାଳମାନଙ୍କୁ ପୁଣିଥରେ ନିର୍ଦ୍ଦେଶ ଦିଆଯାଇଛି ।

ମଧୁବାବୁ ପେନସନ ଯୋଜନାର ମୋଟ୍ ୨୭.୮୬ଲକ୍ଷ ହିତାଧିକାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୪.୨୪ଲକ୍ଷ ହିତାଧିକାରୀଙ୍କ ଆଧାର ନମ୍ବର ଯାଞ୍ଚ ହୋଇପାରିଛି । ବାକି ୧୩.୫୦ଲକ୍ଷ ହିତାଧିକାରୀ ଅସଲି କି ନକଲି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି।

ଅନ୍ୟପକ୍ଷରେ ପାଟକୁରା ନିର୍ବାଚନ ପୂର୍ବରୁ ଜୁନ୍ ୧୩ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ୫ହଜାର ଅତିରିକ୍ତ ଭତ୍ତା ଆବଣ୍ଟନ କରିଥିଲେ। ଯେଉଁ ପାଣ୍ଠି ଅଛି ସେଥିରୁ ହିତାଧିକାରୀଙ୍କୁ ଭତ୍ତା ଦେବାକୁ କହିଥିଲେ। ମାତ୍ର ଅର୍ଥ ବିଭାଗ ଜୁଲାଇ ୧୨ତାରିଖରେ ଏହି ପାଣ୍ଠି କିଭଳି ଖର୍ଚ୍ଚ ହୋଇଛି ସେ ନେଇ ସ୍ପଷ୍ଟୀକରଣ ମାଗିବା ପରେ ଚଳିତମାସ ୪ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏନେଇ ଆବଶ୍ୟକ ତଥ୍ୟ ଦେବାକୁ କୁହାଯାଇଛି।

ଏସବୁ ତଥ୍ୟ ହିଁ ମଧୁବାବୁ ପେନସନ ଯୋଜନା ଆଳରେ ରାଜ୍ୟ ରାଜକୋଷରୁ ବେଧଡ଼କ ପାଣ୍ଠି ଲୁଟ୍ ହେଉଥିବାକୁ ପ୍ରମାଣିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ।

Related story