ବାପା ବିରୋଧରେ ସଙ୍ଗିନ ଅଭିଯୋଗ ଆଣି ଝିଅ ଚାଲିଲା ୧୦ କିମି

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ମିଡ୍‌ ଡେ’ ମିଲ୍‌ ବାବଦରେ ଝିଅକୁ ମିଳୁଥିବା ସରକାରୀ ଟଙ୍କା ଓ ଚାଉଳ ହଡପ୍‌ କରୁଛନ୍ତି ନିଜ ବାପା। ଏଭଳି ଅଭିଯୋଗ ଆଣି କୁନି ଝିଅଟି ୧୦ କିମି ଚାଲିବା ପରେ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଞ୍ଚଳରୁ ଆସିଥିବା ଏ ସଙ୍ଗିନ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂରା ଘଟଣାଟି ଏମିତି। ମାର୍ଶାଘାଇ ବ୍ଲକ ଡୁମୁକା […]

kendrapara

Manoranjan Sial
  • Published: Tuesday, 17 November 2020
  • , Updated: 17 November 2020, 08:19 PM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ମିଡ୍‌ ଡେ’ ମିଲ୍‌ ବାବଦରେ ଝିଅକୁ ମିଳୁଥିବା ସରକାରୀ ଟଙ୍କା ଓ ଚାଉଳ ହଡପ୍‌ କରୁଛନ୍ତି ନିଜ ବାପା। ଏଭଳି ଅଭିଯୋଗ ଆଣି କୁନି ଝିଅଟି ୧୦ କିମି ଚାଲିବା ପରେ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଞ୍ଚଳରୁ ଆସିଥିବା ଏ ସଙ୍ଗିନ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପୂରା ଘଟଣାଟି ଏମିତି। ମାର୍ଶାଘାଇ ବ୍ଲକ ଡୁମୁକା ବିଦ୍ୟାପୀଠରେ ପଢ଼ନ୍ତି ସୁଶ୍ରୀ ସଙ୍ଗିତା ସେଠୀ। ଦୁଇ ବର୍ଷ ତଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ମାଆଙ୍କ ମୃତ୍ୟୁ ପରେ ସୁଶ୍ରୀ ବାପା ରମେଶ ଚନ୍ଦ୍ର ସେଠୀଙ୍କ ପାଖରେ ରହୁଥିଲେ। ଏହାରି ଭିତରେ ରମେଶ ଦ୍ୱିତୀୟ ବିବାହ କରିଥିଲେ, ଆଉ ଘରକୁ ସାବତ ମାଆ ଆସିବା ପରେ ସୁଶ୍ରୀଙ୍କ ଉପରେ ନିର୍ଯାତନା ବଢ଼ି ଯାଇଥିଲା। ଏପରିକି ସୁଶ୍ରୀଙ୍କ ଯତ୍ନ ନେଇପାରିବେ ନାହିଁ ବୋଲି ସାବତ ମାଆ ଓ ବାପା ରମେଶ କହିଥିବା ଅଭିଯୋଗ ହୋଇଥିଲା।

ଶେଷରେ ସୁଶ୍ରୀ ବାପାଙ୍କୁ ଛାଡ଼ି ବଡ଼ ବାପାଙ୍କ ପାଖରେ ରହିଥିଲେ। ହେଲେ ତାଙ୍କୁ ମିଳୁଥିବା ଷ୍ଟାଇପେଣ୍ଟ୍‌ ଓ ମହାମାରୀ କରୋନା ସମୟରେ ସ୍କୁଲ ପିଲାଙ୍କୁ ରାଜ୍ୟ ସରକାର ଦେଉଥିବା ପ୍ରୋତ୍ସାହନ ରାଶିକୁ ବାପା ହଡ୍‌ପ କରିନେଉଥିଲେ। ବ୍ୟାଙ୍କ ଖାତାରେ ଜମା ହେଉଥିବା ମଧ୍ୟାହ୍ନ ଭୋଜନ ମିଲ୍‌ (ଏମ୍‌ଡିଏମ୍‌) ଅର୍ଥ ରମେଶ ଉଠାଇ ନେଉଥିଲେ। ସରକାରଙ୍କ ତରଫରୁ ମିଳୁଥିବା ଅର୍ଥ ଓ ଚାଉଳ ସମ୍ପର୍କରେ ସୁଶ୍ରୀ ପଚାରିଲେ ବାପା ଦେବାକୁ ମନା କରୁଥିବା ଅଭିଯୋଗ ହୋଇଛି।

ବାପାଙ୍କ ଏପରି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସୁଶ୍ରୀ ସୋମବାର ୧୦ କିମି ପାଦରେ ଚାଲି ଚାଲି ଯାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି।

ସୁଶ୍ରୀଙ୍କ ଅଭିଯୋଗକୁ ଗୁରୁତର ସହ ନେବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାର ତଦନ୍ତ କରିବା ସହ ତୁରନ୍ତ ମିଡ୍‌ଡେ ମିଲ୍‌ ବାବଦକୁ ମିଳୁଥିବା ପଇସା ସୁଶ୍ରୀଙ୍କ ବ୍ୟାଙ୍କ ଖାତାରେ ଜମା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ରମେଶ ନେଉଥିବା ଚାଉଳ ଓ ଟଙ୍କା ଫେରାଇ ଆଣିବାର ବନ୍ଦୋବସ୍ତ କରିବାକୁ ଡିଇଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଡିଇଓ ସଞ୍ଜିବ ସିଂହ କହିଛନ୍ତି, ଛାତ୍ରୀ ସୁଶ୍ରୀଙ୍କ ଆକାଉଣ୍ଟରେ ମିଡ୍‌ଡେ ମିଲ୍‌ ଅର୍ଥ ଜମା କରାଯିବ। ଆଉ ତାଙ୍କ ବାପାଙ୍କଠାରୁ ଅର୍ଥ ଫେରାଇବାର ବ୍ୟବସ୍ଥା କରାଯିବ। ସେହିପରି ସିଧାସଳଖ ଚାଉଳ ଦେବାକୁ ସୁଶ୍ରୀ ପଢ଼ୁଥିବା ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଇଓ କହିଛନ୍ତି।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ରାଜ୍ୟର ସବୁ ସ୍କୁଲ ବନ୍ଦ ରହିଛି। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ତେଣୁ ମଧ୍ୟାହ୍ନ ଭୋଜନ ବାବଦକୁ ରାଜ୍ୟ ସରକାର ପିଲା ପିଛା ଦିନକୁ ୧୫୦ ଗ୍ରାମ ଚାଉଳ ଓ ୮ଟଙ୍କା ୧୦ ପଇସା ଦେଉଛନ୍ତି। ମିଳୁଥିବା ଅର୍ଥ ଛାତ୍ରୀ ବା ତାଙ୍କ ବାପା-ମାଆଙ୍କ ଆକାଉଣ୍ଟରେ ଜମା ହେଉଥିଲା।

Related story