୨୦୭୧କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଆଜି ୨୦୭୧ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟରେ ମୋଟ ୩୫୩୫ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଗତ ୧୧୦ଦିନ ମଧ୍ୟରେ ରାଜ୍ୟରେ ମୋଟ ୫୮୪୧କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ୨୦୩୮୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଜଣାପଡ଼ିଛି । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ […]

Industry

Ordigital Desk
  • Published: Monday, 28 March 2022
  • , Updated: 28 March 2022, 07:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଆଜି ୨୦୭୧ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟରେ ମୋଟ ୩୫୩୫ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଗତ ୧୧୦ଦିନ ମଧ୍ୟରେ ରାଜ୍ୟରେ ମୋଟ ୫୮୪୧କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ୨୦୩୮୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଜଣାପଡ଼ିଛି ।

ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ପାମ୍ ରିସୋର୍ଟ ସ୍ଥାପନ କରିବାକୁ ସ୍ୱସ୍ତି ପ୍ରିମିୟମ ଗ୍ରୁପ୍ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ୯୫କୋଟି ଟଙ୍କାର ନିବେଶ ସହ ୨୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ପୁରୀ ଜିଲ୍ଲାରେ ରିସୋର୍ଟ ଆଣ୍ଡ ସ୍ପା ସ୍ଥାପନ ନିମନ୍ତେ ପୁଷ୍ପମ ରିଏଲିଟି ୬୭.୨୭କୋଟି ଟଙ୍କା ନିବେଶ କରିବ ଓ ଏଥିରେ ୫୦୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିବ ।

ଖୋର୍ଦ୍ଧାରେ ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ୫୯.୩୩କୋଟି ଟଙ୍କା ବ୍ୟୟରେ ପଂଚତାରକା ହୋଟେଲ ନିର୍ମାଣ କରିବ । ଏଥିରେ ୧୫୧ଜଣଙ୍କୁ ନିଯୁକ୍ତି ମିଳିବ । କେନ୍ଦୁଝର ଜିଲ୍ଲାରେ ଶ୍ରୀ ମେଟାଲିକ୍ସ ୬୫୦କୋଟି ଟଙ୍କା ବ୍ୟୟରେ ପିଲେଟ୍ ତିଆରି କାରଖାନା ସ୍ଥାପନ କରିବ । ଏଥିରେ ୭୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସିଦ୍ଧିରିଦ୍ଧି ଇଂଟରନ୍ୟାସନାଲ ପ୍ରାଃ ଦ୍ୱାରା କେନ୍ଦୁଝରରେ ୩୦୮କୋଟି ଟଙ୍କା ବ୍ୟୟରେ ବିଲେଟ୍ ଓ ପିଲେଟ୍ ପ୍ଲାଂଟ୍ ସ୍ଥାପନ ହେବ । ଏଥିରେ ୫୧୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପଂଚବଟୀ ଷ୍ଟିଲ୍ ଦ୍ୱାରା ୨୦୩କୋଟି ଟଙ୍କା ବ୍ୟୟରେ କେନ୍ଦୁଝରରେ ସ୍ପଞ୍ଜ ଆଇରନ ଆଣ୍ଡ ଷ୍ଟିଲ୍ ବିଲେଟ୍ ପ୍ଲାଂଟ୍ ସ୍ଥାପନ ହେବ । ଜେକେ ବାୟୋଟେକ୍ ଲିମିଟେଡ୍ ଦ୍ୱାରା ୨୧୫କୋଟି ଟଙ୍କା ବ୍ୟୟରେ କଟକରେ ଖାଦ୍ୟଶସ୍ୟ ଆଧାରିତ ଇଥନଲ ଓ ପାୱାର ପ୍ଲାଂଟ ନିର୍ମାଣ କରାଯିବ । ଏଥିରେ ୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସୁନ୍ଦରଗଡ଼ରେ ଏଲଏମବି କଞ୍ଜିମେରଟ ପ୍ରାଃ ୧୪୮କୋଟି ଟଙ୍କା ବ୍ୟୟରେ ଇଥନଲ ପ୍ଲାଂଟ ସ୍ଥାପନ କରି ୧୧୨ଜଣଙ୍କୁ ନିଯୁକ୍ତି ସୁଯୋଗ, ରାଉରକେଲା ସ୍ପଞ୍ଜ ୧୩୫କୋଟି ଟଙ୍କା ବରେ ସୁନ୍ଦରଗଡ଼ରେ ଇଥନଲ ପ୍ଲାଂଟ୍ ଓ ୧୫୦ଜଣଙ୍କୁ ନିଯୁକ୍ତି ସୁଯୋଗ, ଖୋର୍ଦ୍ଧାରେ ଉତ୍କଳ ଫିଡର ପ୍ରାଃ ଦ୍ୱାରା ବ୍ରିଡର ପାରେଂଟ୍ ୟୁନିଟ୍ , ହାଚେରୀ ଓ ଅଣ୍ଡା ଲେୟାର ୟୁନିଟ୍ ସ୍ଥାପନ ପାଇଁ ୫୪.୧୭କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ୧୬୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସ୍ପିନୋ ପେପର ଆଣ୍ଡ ବୋର୍ଡସ ପ୍ରାଃ ଲିଃ ଦ୍ୱାରା ୫୬.୧୭କୋଟି ଟଙ୍କା ବ୍ୟୟରେ କଟକରେ କ୍ରାଫ୍ଟ ପେପର ଓ ଡୁପ୍ଲେକ୍ସ ବୋର୍ଡ ତିଆରି ୟୁନିଟ୍ ସ୍ଥାପନ ହେବ। ଏଥିରେ ୨୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ହିନ୍ଦୁସ୍ତାନ ଆକ୍ୱା ପ୍ରାଃ ଲିଃ ଦ୍ୱାରା ୮୦କୋଟି ଟଙ୍କା ବ୍ୟୟରେ ପୁରୀରେ ଫୁଡ୍ କୋର୍ଟ, ରିଟେଲ୍ ସୁବିଧା, ଲଜିଷ୍ଟିକ ପାର୍କ ସ୍ଥାପନ କରାଯିବ । ଏଥିରେ ୩୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ। ଏସବୁ ପ୍ରକଳ୍ପ ପ୍ରସ୍ତାବକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟି ମଞ୍ଜୁରୀ ଦେଇଛନ୍ତି । ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story