ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସିଏସଆର ପାଣ୍ଠି ଖର୍ଚ୍ଚରେ ତାଳମେଳ ନାହିଁ। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ସିଏସଆର କାଉନସିଲ ଗଠନ ହୋଇଥିଲେ ମଧ୍ୟ ତାହା କେବଳ କାଗଜକଲମରେ ସୀମିତ ଥିବାରୁ ସିଏସଆର ପାଣ୍ଠି ମନଇଚ୍ଛା ଖର୍ଚ୍ଚ ହୋଇଛି। ରାଜ୍ୟର ମୋଟ ୩୦ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାରେ ସିଏସଆର ପାଣ୍ଠି ଖର୍ଚ୍ଚ ହୋଇନଥିବାବେଳେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।
କେନ୍ଦ୍ର କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ୨୦୧୪-୧୮ ମସିହା ମଧ୍ୟରେ ୧୦ଟି ଜିଲ୍ଲାରେ ୯୩ପ୍ରତିଶତ ସିଏସଆର ପାଣ୍ଠି ଖର୍ଚ୍ଚ ହୋଇଛି। ଏମାନଙ୍କ ମଧ୍ୟରୁ କେବଳ ସମ୍ବଲପୁର ଓ ଝାରସୁଗୁଡ଼ାରେ ସିଂହଭାଗ ସିଏସଆର ପାଣ୍ଠି ବିନିଯୋଗ ହୋଇଛି। ୧୩ଟି ଜିଲ୍ଲାରେ ପ୍ରାୟତଃ କିଛି ବି ପାଣ୍ଠି ଖର୍ଚ୍ଚ ହୋଇନଥିବା ଜଣାପଡ଼ିଛି। ସିଏସଆର ପାଣ୍ଠି ଖର୍ଚ୍ଚର ତଦାରଖ କାର୍ଯ୍ୟ ସିଏସଆର ଆକ୍ଟ-୨୦୧୩ ଅନ୍ତର୍ଗତ କରାଯିବାର ପ୍ରାବଧାନ ରହିଛି। ଗୋଟିଏ କମ୍ପାନୀ ନିଜର ଲାଭର ସର୍ବନିମ୍ନ ୨ ପ୍ରତିଶତ ଅର୍ଥ ସିଏସଆର ପାଣ୍ଠି ଭାବେ ଖର୍ଚ୍ଚ କରିବାର ପ୍ରାବଧାନ ରହିଛି। ଯେଉଁ କମ୍ପାନୀର ମୋଟ ସମ୍ପତ୍ତି ୫୦୦କୋଟି, କିମ୍ବା ବାର୍ଷିକ କାରବାର ୧୦୦୦କୋଟି ଟଙ୍କା ହୋଇଥିବ କିମ୍ବା ବାର୍ଷିକ ୫କୋଟି ଟଙ୍କା ଲାଭ କରୁଥିବ ସେହି କମ୍ପାନୀକୁ ନିଜର ଲାଭର ବାର୍ଷିକ ୨ପ୍ରତିଶତ ଅର୍ଥ ସିଏସଆର ପାଣ୍ଠିବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ।
ତଥ୍ୟ ଅନୁସାରେ ୨୦୧୪-୧୫ ମସିହାରେ ଓଡ଼ିଶାରେ ସିଏସଆର ପାଣ୍ଠି ବାବଦରେ ୨୫୨କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୫-୧୬ରେ ୬୨୪.୦୫ ଟଙ୍କା, ୨୦୧୬-୧୭ରେ ୩୧୬.୭୧ କୋଟି ଟଙ୍କା ଓ ୨୦୧୭-୧୮ରେ ୪୬୯.୩୪ କୋଟି ଟଙ୍କା ସିଏସଆର ପାଣ୍ଠି ଖର୍ଚ୍ଚ ହୋଇଛି। ତେବେ ସିଏସଆର ପାଣ୍ଠି ଖର୍ଚ୍ଚରେ ତାଳମେଳ ରହୁନଥିବାରୁ ରାଜ୍ୟ ସରକାର ଏଥିରେ ସମନ୍ୱୟ ରଖିବା ନିମନ୍ତେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସିଏସଆର କାଉନସିଲ ଗଠନ କରିଥିଲେ। କିନ୍ତୁ ତାହା ଏପର୍ଯ୍ୟନ୍ତ ବାସ୍ତବ ରୂପ ନେଇପାରିନି । ଯେଉଁଥିପାଇଁ ଅଧିକାଂଶ ଜିଲ୍ଲାରେ କମ୍ପାନୀଗୁଡ଼ିକର ସିଏସଆର ପାଣ୍ଠି ଖର୍ଚ୍ଚ ହୋଇପାରୁନି।