ପାରାଦୀପ(ଏନ୍ଏମ୍ ବୈଶାଖ): ଜୀବନ ଓ ଜୀବିକା ପାଇଁ ସେମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍ ମାଡ଼ି ଆସିଲା ଝଡ ତୋଫାନ୍। ମତ୍ସ୍ୟଜୀବୀମାନେ କିଛି ବୁଝିପାରିଲେ ନାହିଁ। ସମୁଦ୍ରର କୋପ ଦେଖି କିଛି କୂଳକୁ ଫେରିଆସିବାକୁ ଉଦ୍ୟମ କଲା ବେଳେ ୧୪ ଜଣ ମତ୍ସ୍ୟଜୀବୀ ମଝି ସମୁଦ୍ରରେ ଫସି ଯାଇଥିଲେ।
ସୌଭାଗ୍ୟକ୍ରମେ କୋଷ୍ଟଗାର୍ଡ ଅଧିକାରୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନେ ଏବେ ସୁରକ୍ଷିତ ଭାବେ ଘାରକୁ ଫେରିଛନ୍ତି।
ଗତ ୨୦ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ଝଡ଼ ବାତ୍ୟା ହୋଇଥିଲା। ମାତ୍ର ଏ ସମ୍ପର୍କରେ ସୂଚନା ନପାଇ ପାରାଦୀପରୁ କେତେକ ମତ୍ସ୍ୟଜୀବୀ ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିଲେ।
ଝଡ଼ବାତ୍ୟାର ପ୍ରକୋପ ବଢିବା ସାଙ୍ଗକୁ ୧୪ଜଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖା ଦେଇଥିଲା। ଏ ସମ୍ପର୍କରେ ମତ୍ସଜୀବୀ ସଂଘର କର୍ମକର୍ତ୍ତା ସ୍ଥାନୀୟ କୋଷ୍ଟଗାର୍ଡ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ଖବର ପାଇ କୋଷ୍ଟଗାର୍ଡ ଜାହାଜ ‘ସୁଜୟ’ ସମୁଦ୍ର ମଧ୍ୟକୁ ଯାଇ ୨ଟି ବୋଟ୍କୁ ଠାବ କରିବା ସହ ୧୪ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।
ତେବେ ଆଜି ପାଗ ବଦଳିବା ପରେ କୂଳକୁ ଅଣାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଛାଡ଼ି ଦିଆଯାଇଛି।