ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲା। ହେଲେ ସିଂହଦ୍ୱାର ସମ୍ମୁଖରେ ବିମାନକୁ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା । ନୂତନ ଭାବେ ହୋଇଥିବା ବ୍ୟାରିକେଡ଼୍ ବ୍ୟବସ୍ଥା ଯୋଗୁଁ ଦିଅଁଙ୍କ ବିମାନ ଯାଇପାରିନଥିଲା । ଉକ୍ତ ସମୟରେ ଏହି ବ୍ୟାରିକେଡ଼ ହଟାଇବାକୁ କେହି ନଥିବାରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡ଼ିଥିଲା ।
ପରେ ବଡ଼ୁ ସେବକ ଆସି ବ୍ୟାରିକେଡ଼୍ ହଟାଇବା ପରେ ଦିଅଁ ମଠକୁ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଜେ କରିଥିଲେ । ଏହାପରେ ବିଭିନ୍ନ ନୀତିକାନ୍ତି ଯୋଗୁ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ବିଜେ ହେଲେ ଦିଅଁ । ଗତକାଲି ଶ୍ରୀପଞ୍ଚମୀ ଅବସରରେ କିଛି ସ୍ୱତନ୍ତ୍ର ପୂଜା ପାଇଁ ବିଳମ୍ବିତ ହୋଇଥିଲା ନୀତିକାନ୍ତି । ଯାହାପରେ ରାତିରେ ଦୁଇ ଘଣ୍ଟା ବିଳମ୍ବରେ ଦିଅଁ ବିଜେ କରିଥିଲେ ।