କୋଳ ଖାଲି କରିଦେଲା ହାତୀ; ବାପାମା’ ଆଗରେ ୨ ପୁଅଙ୍କୁ ଦେଲା କଚାଡ଼ି

କୁଚିଣ୍ଡା( ଓଡ଼ିଶା ରିପୋର୍ଟର): ହାତୀ ଉଜାଡ଼ିଦେଲା ସଂସାର ।  ଖାଲି କରିଦେଲା ବାପାମା’ଙ୍କ କୋଳ। ଶୋଇଥିବା ଅବସ୍ଥାରେ ଟେକି ନେଇ ୨ ଭାଇଙ୍କୁ କଚାଡ଼ି ମାରିଲା ହାତୀ। ବାପାମା’ ଏବେ ଆଖିରୁ ଲୁହ ଗଡ଼ାଉଥିବା ବେଳେ ୨ ପୁଅଙ୍କୁ ଝୁରି ହେଉଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଝାରସୁଗୁଡା ଜିଲ୍ଲା ବାଗଡିହି ରେଂଜ ଭଉଁରା ନିକଟରେ ଘଟିଛି। ମୃତ ୨ ଭାଇ ହେଲେ  ଧନଞ୍ଜୟ ସତନମୀ ଓ ଅଭୟ ସତନମୀ । ସେମାନେ ଛତିଶଗଡ଼ […]

hati

  • Published: Friday, 04 November 2022
  • , Updated: 04 November 2022, 11:37 AM IST

କୁଚିଣ୍ଡା( ଓଡ଼ିଶା ରିପୋର୍ଟର): ହାତୀ ଉଜାଡ଼ିଦେଲା ସଂସାର ।  ଖାଲି କରିଦେଲା ବାପାମା’ଙ୍କ କୋଳ। ଶୋଇଥିବା ଅବସ୍ଥାରେ ଟେକି ନେଇ ୨ ଭାଇଙ୍କୁ କଚାଡ଼ି ମାରିଲା ହାତୀ। ବାପାମା’ ଏବେ ଆଖିରୁ ଲୁହ ଗଡ଼ାଉଥିବା ବେଳେ ୨ ପୁଅଙ୍କୁ ଝୁରି ହେଉଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଝାରସୁଗୁଡା ଜିଲ୍ଲା ବାଗଡିହି ରେଂଜ ଭଉଁରା ନିକଟରେ ଘଟିଛି।

ମୃତ ୨ ଭାଇ ହେଲେ  ଧନଞ୍ଜୟ ସତନମୀ ଓ ଅଭୟ ସତନମୀ । ସେମାନେ ଛତିଶଗଡ଼ ବାସିନ୍ଦା ବୋଲି ଜଣାଯାଇଛି। ୨ ଦିନ ତଳେ ବାପାମା’ ଉମେଶ ରାମ ସତନମୀ  ଓ ଲେହେରାବାଈ ସତନମୀ ସହ ଇଟାଭାଟିରେ କାମ କରିବା ପାଇଁ ଓଡ଼ିଶା  ଆସିଥିଲେ।

ଗତରାତିରେ ୨ ପୁଅ ନିଜ ବାପାମା’ଙ୍କ ସହ ଏକ ପଲିଥିନ ତଳେ ଶୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ହାତୀ ସେଠାରେ ପହଞ୍ଚି ପଲିଥିନକୁ ଟାଣି ନେଇଥିଲା। ଉମେଶ ରାମ ସତନମୀ  ଓ ଲେହେରାବାଈ ସତନମୀ ଉକ୍ତ ପଲିଥିନ ଭିତରୁ ବାହାରି ଆସିଥିଲେ। ମାତ୍ର ପିଲା ୨ଟି କିଛି ଜାଣି ପାରି ନ ଥିବା ବେଳେ ହାତୀ ପଲିଥିନ ସହ ସେମାନଙ୍କୁ ବି ଟେକି ନେଇଥିଲା।

ପରିବାର ଲୋକେ ପ୍ରାୟ ୨ ଘଣ୍ଟା କାଳ ଖୋଜାଖୋଜି କରିବା ପରେ ଜଙ୍ଗଲରେ ପଲିଥିନ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ପଲିଥିନ ଭିତରୁ ମୃତ ଅବସ୍ଥାରେ ୨ ପୁଅଙ୍କୁ ଉଦ୍ଧାର କରିଥିଲେ। ହାତୀ କଚାଡ଼ି ଦେବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ପୁଅ ୨ ଜଣଙ୍କୁ ଦୌଡ଼ାଦୌଡ଼ି କରି ଖୋଜାଖୋଜି କରୁଥିବା ବେଳେ ଲେହେରାବାଈ ସତନମୀଙ୍କ ହାତ ଭାଙ୍ଗିଥିବା ବେଳେ ଧନଞ୍ଜୟ ସତନମୀ ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁଅ ୨ଜଣଙ୍କୁ ହରାଇ ଏହି ଦମ୍ପତି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ପୁଲିସ୍‌ ଓ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନେଇ ଝାରସୁଗୁଡ଼ା ଡିଏଫଓ କହିଛନ୍ତି, ଗତ ରାତିରେ ସୁନ୍ଦରଗଡ଼ରୁ ୨ ହାତୀ ଝାରସୁଗୁଡ଼ାରେ ପଶିଥିଲେ। ଉକ୍ତ ପରିବାର ଜଙ୍ଗଲରେ ଥିବା ବେଳେ ହାତୀ ଆକ୍ରମଣରେ ୨ ଛୋଟ ପିଲାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ରେଞ୍ଜ ଅଫିସରଙ୍କ ନେତୃତ୍ୱରେ ଟିମ୍‌ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏଥିସହ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

Related story