ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ନିୟମିତ ଭାବେ ସରକାରକୁ ଟାର୍ଗେଟ୍ କରୁଛି। ଏପଟେ କ୍ଷମତାସୀନ ବିଜେଡି ସରକାର ମନମୁଖୀ ଭାବେ ଏଡିଜି(ଅତିରିକ୍ତ ଡିଜି) ପାହ୍ୟାରେ ବରିଷ୍ଠ ଆଇପିଏସଙ୍କୁ ଥଇଥାନ କରି ତୁଷ୍ଟୀକରଣ ରଣନୀତି ଆପଣାଇଛନ୍ତି। ଏଡିଜି ପାହ୍ୟାରେ ମୋଟ ୮ଟି ସ୍ୱୀକୃତିପ୍ରାପ୍ତ ପଦ ଥିବାବେଳେ ଏବେ ୨୦ଜଣ ଏଡିଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି। ଯାହାକି ଦେଉଳକୁ ମୁଖଶାଳା ଗିଳିବା ସଦୃଶ ହୋଇଛି। ଏତେ ପରିମାଣର ଆଇପିଏସଙ୍କୁ ଏଡିଜି ପାହ୍ୟାରେ ଅବସ୍ଥାପିତ କରାଯିବା ଯୋଗୁ ରାଜକୋଷ ଉପରେ ଅତିରିକ୍ତ ଚାପ(ଦରମା ଓ ଅନ୍ୟାନ୍ୟ ସୁବିଧା) ପଡ଼ୁଥିଲେ ମଧ୍ୟ ତା’ର ସୁଫଳ ରାଜ୍ୟବାସୀଙ୍କୁ ମିଳିପାରୁନି। ଖାଲି ସେତିକି ନୁହେଁ ଆଇପିଏସ୍ କ୍ୟାଡ଼ରର ଅଫିସରଙ୍କ ନିଯୁକ୍ତିକୁ ନେଇୁ ମନମୁଖୀ କାରବାର ଚାଲିଥିବାରୁ ଏବେବି ଡିଜି ଓ ଏଡିଜି ପାହ୍ୟାର ୩ଜଣ ବରିଷ୍ଠ ଅଫିସର ଘରେ ବସି ଦରମା ନେବାକୁ ବାଧ୍ୟ ହେଉଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତ ସପ୍ତାହରେ ୧୯୯୬ ବ୍ୟାଚର ୨ଜଣ ଆଇପିଏସ ଅରୁଣ ବ୍ରୋଥା ଓ ସଞ୍ଜୟ କୁମାର ସିଂଙ୍କୁ ରାଜ୍ୟ ସରକାର ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ପଦୋନ୍ନତି ସହ ରାଜ୍ୟରେ ଏଡିଜି ପାହ୍ୟାର ଅଫିସରଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଯଦିଓ ରାଜ୍ୟରେ ଏଡିଜି ପାହ୍ୟାରେ ସର୍ବାଧିକ ୮ଟି ସ୍ୱୀକୃତିପ୍ରାପ୍ତ ପଦବୀ ରହିଛି। ଜଣେ ଆଇପିଏସ ଅଫିସର ୨୫ବର୍ଷ ଚାକିରି କରିବାପରେ ଏଡିଜି ପାହ୍ୟାକୁ ଉନ୍ନୀତ ହେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି। କିନ୍ତୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦେବାବେଳେ ସେହି ପାହ୍ୟାରେ ଥିବା ଅଫିସରଙ୍କ ସଂଖ୍ୟା ଓ ତଳସ୍ତରରେ ଥିବା ପଦବୀ ମଧ୍ୟରେ ସନ୍ତୁଳନ କାଏମ ରଖିବା ସରକାରଙ୍କ ମୁଖ୍ୟ ଦାୟିତ୍ୱ ହୋଇଥାଏ। ମାତ୍ର ଓଡ଼ିଶା କ୍ଷେତ୍ରରେ ଏଡିଜି ପାହ୍ୟାରେ ଅଫିସରଙ୍କୁ ନିଯୁକ୍ତି ଦିଆଯିବାବେଳେ ସେଭଳି କୌଣସି ନୀତିନିୟମକୁ ପାଳନ କରାଯାଉନଥିବା ଜଣାପଡ଼ିଛି। ଆଇନରେ ଥିବା ଫାଙ୍କରୁ ଫାଇଦା ଉଠାଇ ୨୫ବର୍ଷ ଅତିକ୍ରାନ୍ତ ହେଉଥିବା ଅଫିସରମାନଙ୍କୁ ସଙ୍ଗେସଙ୍ଗେ ମନମୁଖୀ ଏଡିଜି ପାହ୍ୟାରେ ଅବସ୍ଥାପିତ କରିବାକୁ ପଛାଉନାହାନ୍ତି। ଯଦିଓ ରାଜ୍ୟରେ ଡିଜି ପାହ୍ୟାରେ କାର୍ଯ୍ୟ କରିବା ନିମନ୍ତେ ଏବେ ୮ଜଣ ବରିଷ୍ଠ ଏଡିଜି ଅପେକ୍ଷାରତ ଅଛନ୍ତି। ଯଦି ନିୟମ ବର୍ହିଭୁତ ଏଡିଜି ପାହ୍ୟାରେ ନିଯୁକ୍ତି ଦିଆଯାଇପାରୁଛି ତା’ହେଲେ ଡିଜି ପାହ୍ୟାରେ ଦେବାକୁ ସରକାର କାହିଁକି କୁଣ୍ଟାବୋଧ କରୁଛନ୍ତି ତାକୁ ନେଇ ଆଇପିଏସ ମହଲରେ ଚର୍ଚ୍ଚା ଚାଲିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଡିଜି ପାହ୍ୟାରେ ସର୍ବାଧିକ ୪ଟି ଅନୁମୋଦିତ ପଦ(୨ଟି କ୍ୟାଡ଼ର ଓ ୨ଟି ଏକ୍ସକ୍ୟାଡର) ରହିଛି। ଏବେ ୨ଟି କ୍ୟାଡ଼ର ଡିଜି ପଦବୀରେ ଅଭୟ ଓ ସତ୍ୟଜିତ ମହାନ୍ତି କାର୍ଯ୍ୟ କରୁଥିବାବେଳେ ଏକ୍ସକ୍ୟାଡ଼ର ଡିଜି ପଦବୀରେ ବିକେ ଶର୍ମା ଓ ମନୋଜ କୁମାର ଛାବ୍ରା ରହିଛନ୍ତି। ୩୦ବର୍ଷ ଚାକିରି ଅତ୍ରିକାନ୍ତ କରୁଥିବା ଆଇପିଏସ ଅଫିସର ଏହି ଡିଜି ପାହ୍ୟାର ପଦବୀ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏହି କ୍ରମରେ ୧୯୮୮ ବ୍ୟାଚର ଏମ.ଅକ୍ଷୟ, ସନ୍ତୋଷ କୁମାର ଉପାଧ୍ୟାୟ ଓ ବିନୟାନନ୍ଦ ଝା, ୧୯୮୯ ବ୍ୟାଚର ପ୍ରଣବିନ୍ଦୁ ଆଚାର୍ଯ୍ୟ ଓ ସିଦ୍ଧାର୍ଥ ନରୱଣେ ଏବଂ ୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ଅରୁଣ କୁମାର ଷଡ଼ଙ୍ଗୀ ଓ ମହେନ୍ଦ୍ର ପ୍ରତାପ ଏବେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି। ତଥାପି ସରକାର ସେମାନଙ୍କୁ ଡିଜି ପାହ୍ୟାକୁ ଉନ୍ନୀତ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଚଳିତମାସରେ ମହେନ୍ଦ୍ର ପ୍ରତାପ ଅବସର ନେବେ।
ସେହିପରି ବେପରୁୱା ଓ ତ୍ରୁଟିପୂର୍ଣ୍ଣ ଆଇପିଏସ କ୍ୟାଡ଼ର ପରିଚାଳନା ଯୋଗୁ ବିକେ ଶର୍ମା, ବିନୟାନନ୍ଦ ଝା ଓ ରୀତୁ ଅରୋରାଙ୍କ ଭଳି ବରିଷ୍ଠ ଆଇପିଏସଙ୍କୁ ଦୀର୍ଘଦିନ ହେବ ଘରେ ବସାଇ ଦରମା ଦିଆଯାଉଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଥିବାବେଳେ ସରକାରୀ କଳ ଏହି ବରିଷ୍ଠ ଅଫିସରମାନଙ୍କର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପରିବର୍ତ୍ତେ ନିଜସ୍ୱ ଏଜେଣ୍ଡା ରଖି ସେମାନଙ୍କୁ ହତୋତ୍ସାହିତ କରିବା ଭଳି ପଦକ୍ଷେପ ନେବାକୁ ପଛାଉ ନଥିବା ଜଣାପଡ଼ିଛି।