ଭୟାବହ ହେଉଛି କରୋନା, ଗ୍ରାମାଞ୍ଚଳରେ ପ୍ରସ୍ତୁତି ଶୂନ: ୭୭ ହଜାର ସକ୍ରିୟ କରୋନା ରୋଗୀ, ରେଡ୍ ଜୋନରେ ୨୩ ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଆଜି ଆଉ ୩ଟି ଜିଲ୍ଲାକୁ ମିଶାଇ ମୋଟ୍ ୨୩ଟି ରେଡ୍ ଜୋନରେ ଥିବାବେଳେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୭୭୨୫୭ରେ ପହଂଚିଛି। କରୋନାର ନୂଆ ମ୍ୟୁଟାଣ୍ଟର ଭୟାବହତା ଆଶଙ୍କା କରି ରାଜ୍ୟ ସରକାର ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ନେଗେଟିଭ୍ ରିପୋର୍ଟ ଅବା କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଥିବାବେଳେ ଗାଁକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ କୌଣସି ଆଖିଦୃଶିଆ ପଦକ୍ଷେପ […]

odisha

Ordigital Desk
  • Published: Wednesday, 05 May 2021
  • , Updated: 05 May 2021, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଆଜି ଆଉ ୩ଟି ଜିଲ୍ଲାକୁ ମିଶାଇ ମୋଟ୍ ୨୩ଟି ରେଡ୍ ଜୋନରେ ଥିବାବେଳେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୭୭୨୫୭ରେ ପହଂଚିଛି। କରୋନାର ନୂଆ ମ୍ୟୁଟାଣ୍ଟର ଭୟାବହତା ଆଶଙ୍କା କରି ରାଜ୍ୟ ସରକାର ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ନେଗେଟିଭ୍ ରିପୋର୍ଟ ଅବା କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଥିବାବେଳେ ଗାଁକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ କୌଣସି ଆଖିଦୃଶିଆ ପଦକ୍ଷେପ ଏପର୍ଯ୍ୟନ୍ତ ନେଇନଥିବା ଜଣାପଡ଼ିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟର ମୋଟ ୭୭୨୫୭ଜଣ ବ୍ୟକ୍ତି ଏବେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସଂକ୍ରମିତ ବ୍ୟକ୍ତିମାନେ ଘରେ ଅବା ହସ୍ପିଟାଲରେ ରହି ଚିକିତ୍ସା କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୯୧ ପ୍ରତିଶତ ରୋଗୀ କେବଳ ୨୩ଟି ଜିଲ୍ଲାର। ଆଜି ଜଗତସିଂହପୁର, କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଥିବାବେଳେ ମୋଟ ୨୩ଟି ଜିଲ୍ଲାରେ ହଜାରେ ଲେଖାଏଁ ଉପରେ ସକ୍ରିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସକ୍ରିୟ ସଂକ୍ରମିତ ରୋଗୀ ଖୋର୍ଦ୍ଧା ଜିଲ୍ଲାରେ ୧୩୦୫୦ଜଣ ଥିବାବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୯ହଜାରରୁ ଅଧିକ ସକ୍ରିୟ ରୋଗୀ ରହିଛନ୍ତି । ପ୍ରଥମଥର ପାଇଁ ରାଜ୍ୟରେ ଏତେ ସଂଖ୍ୟକ ସକ୍ରିୟ କରୋନା ରୋଗୀ ଚିହ୍ନଟ ହେବା ଉଦବେଗର ବିଷୟ ପାଲଟିଥିବାବେଳେ ରାଜ୍ୟ ସରକାର ଲକଡାଉନ୍ ଓ ଶଟଡାଉନ୍ କରି ଏବଂ ସାମୁହିକ ଟିକାକରଣ ମାଧ୍ୟମରେ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଏବେ ମୁଖ୍ୟ ସମସ୍ୟା ପାଲଟିଛି।

କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଏବେ ରାଜ୍ୟର ସହରାଂଚଳରେ ଚିହ୍ନଟ ହେଉଥିବାବେଳେ ଗ୍ରାମାଂଚଳରେ କୋଭିଡ୍ ସଂକ୍ରମିତ ମାମଲା ବେଶୀ ନାହିଁ। କିନ୍ତୁ ରାଜ୍ୟର ଗ୍ରାମାଂଚଳରେ କୋଭିଡ୍ ଗାଇଡଲାଇନ ପ୍ରତି ଲୋକେ ସଚେତନ ନଥିବା ତଥା ଏବେବି ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଲୋକେ ଗୁରୁତ୍ୱ ଦେଉନଥିବାରୁ ଆଗାମୀ ଦିନରେ ଗାଁ ଗହଳିରେ ସ୍ଥିତି ଅଧିକ ଭୟାବହ ହେବାର ଆଶଙ୍କା ରହିଛି। ତା’ଛଡ଼ା ତାମିଲନାଡ଼ୁ, କେରଳ, ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ବେଧଡ଼କ ଆସିବାରେ ଲାଗିଛନ୍ତି । ସେମାନେ ଘରକୁ ଫେରିବାପରେ ନିଜକୁ ନିର୍ଦ୍ଦିଷ୍ଟ ଭାବେ ସଙ୍ଗରୋଧ ବା କ୍ୱାରେଣ୍ଟାଇନରେ ରଖିବାର ନିୟମ ଥିଲେ ମଧ୍ୟ ଗାଁ ଗହିଳରେ ଅଧିକାଂଶ ଏହାକୁ ଉଲ୍ଲଘଂନ କରୁଛନ୍ତି। ଏପରିକି ଫେରୁଥିବା ପ୍ରବାସୀ ସଂକ୍ରମିତ କି ନାହିଁ ତାହା ମଧ୍ୟ ଜଣାପଡ଼ୁନି।

ଗତବର୍ଷ ସରପଂଚଙ୍କୁ ରାଜ୍ୟ ସରକାର ଜିଲ୍ଲାପାଳ କ୍ଷମତା ପ୍ରଦାନ କରି ପ୍ରବାସୀ ଓଡ଼ିଆଙ୍କ ଉପରେ ନଜର ରଖି କରୋନା ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଥିଲେ। ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ସ୍ଥାନୀୟ ପଂଚାୟତସ୍ତରରେ କ୍ୱାରେଣ୍ଟାଇନ ସେଣ୍ଟର କରି ସେମାନଙ୍କୁ ୧୪ଦିନିଆ ସଙ୍ଗରୋଧରେ ରଖିବାର ବନ୍ଦୋବସ୍ତ କରାଯାଇଥିଲା। ମାତ୍ର ଏଥର ସେଭଳି ବ୍ୟବସ୍ଥା ନଥିବାରୁ ପ୍ରବାସୀ ଓଡ଼ିଆ କେଉଁଠି ରହିବେ ତାହା ସାଧାରଣ ଲୋକେ ଜାଣିବାର ସୁଯୋଗ ରହୁନି। ଯଦିଓ ଜିଲ୍ଲା ପରିଷଦ ଜୋନ୍‌ସ୍ତରରେ ଗୋଟିଏ ଲେଖାଏଁ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ସ୍ଥାପନ କରାଯାଇଥିବା ନେଇ ସରକାର କହୁଛନ୍ତି ତଥାପି ଘରଠୁ ଦୂର ହେଉଥିବା ଯୋଗୁଁ ଫେରୁଥିବା ପ୍ରବାସୀ ସେଠାରେ ରହୁନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଗାଁ ଗହଳିରେ କରୋନା ସଂକ୍ରମିତ ମାମଲା ଏବେ ଧୀରେଧୀରେ ବଢ଼ିବାରେ ଲାଗିଛି।

ଗାଁ ଗହଳିରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ପଂଚାୟତସ୍ତରର ପ୍ରତିନିଧିମାନେ ଥିଲେ ମଧ୍ୟ ରାଜ୍ୟ ସରକାର ଏହି ଘର ବାହୁଡ଼ା କରୁୁଥିବା ପ୍ରବାସୀ ଓଡ଼ିଆଙ୍କ ଉପରେ ନଜର ରଖିବା କିମ୍ବା ସେମାନଙ୍କର ଡାଟାବେସ୍ ପ୍ରସ୍ତୁତ କରିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଦେଇନଥିବାରୁ ସେହି ପ୍ରବାସୀଙ୍କ ଉପରେ ଅଙ୍କୁଶ ଲଗାଇବା ସମ୍ଭବପର ହୋଇପାରୁନି। ଗାଁ ଗହଳିରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଥିବାବେଳେ ସ୍ଥାନୀୟ ପ୍ରଶାସନ ଏସବୁ ପ୍ରତି ଦୃଷ୍ଟି ଦେବା ସହ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ସରକାର ଯଦି ଏବେଠୁ ସତର୍କ ନହେବେ ତା’ହେଲେ ଆଗାମୀ ଦିନରେ ଗ୍ରାମାଂଚଳରେ କରୋନା ସଂକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୧୫୪ ଥିବାବେଳେ କଟକ ଜିଲ୍ଲାରେ ୫୪୨୩, ନବରଙ୍ଗପୁରରେ ୩୦୬୭, ପୁରୀରେ ୩୪୯୫, ଝାରସୁଗୁଡ଼ାରେ ୩୧୨୬, ବରଗଡ଼ରେ ୩୭୮୯, ଅନୁଗୁଳରେ ୩୪୧୫, ବଲାଙ୍ଗିରରେ ୨୭୮୯, ଯାଜପୁରରେ ୨୩୭୧ଜଣ ଏବେ ସକ୍ରିୟ ସଂକ୍ରମିତ ରହିଛନ୍ତି।

Related story