୨୫ହଜାର ଅଙ୍ଗନୱାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଘର, ସ୍କୁଲ ଘରେ ଚଳାଇବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ପରିଚାଳିତ ହେଉଥିବା ନେଇ ବାରମ୍ବାର ସମାଲୋଚିତ ହେବାପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଏଣିକି ଯଥାସମ୍ଭବ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରର କୋଠା ନିର୍ମାଣ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ କୌଣସି ଅଙ୍ଗନୱାଡ଼ି ପିଲା ଯେଭଳି ବାରଣ୍ଡାରେ ବସି ପାଠ ନପଢ଼ିବେ ସେ ନେଇ ମଧ୍ୟ ତାଗିଦ୍ କରିଛନ୍ତି। ରାଜ୍ୟ ମହିଳା ଓ ଶିଶୁ […]

anganwadi

Ordigital Desk
  • Published: Thursday, 25 November 2021
  • , Updated: 25 November 2021, 09:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ପରିଚାଳିତ ହେଉଥିବା ନେଇ ବାରମ୍ବାର ସମାଲୋଚିତ ହେବାପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଏଣିକି ଯଥାସମ୍ଭବ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରର କୋଠା ନିର୍ମାଣ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ କୌଣସି ଅଙ୍ଗନୱାଡ଼ି ପିଲା ଯେଭଳି ବାରଣ୍ଡାରେ ବସି ପାଠ ନପଢ଼ିବେ ସେ ନେଇ ମଧ୍ୟ ତାଗିଦ୍ କରିଛନ୍ତି।

ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗ ଏବଂ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଆଜି ଏକ ମିଳିତ ନିର୍ଦ୍ଦେଶନାମାରେ ସମସ୍ତ ଜିଲ୍ଲାପାଳଙ୍କୁ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି। ଉଭୟ ବିଭାଗର ସଚିବ ତାଙ୍କ ଚିଠିରେ କହିଛନ୍ତି ଯେ, ଏବେ ବି ବହୁ ସଂଖ୍ୟକ ଅଙ୍ଗନୱାଡ଼ି କେନ୍ଦ୍ର ଭଡ଼ାଘରେ ଅବା କମ୍ୟୁନିଟି ହଲରେ ପରିଚାଳିତ ହେଉଛି। ପରିଚାଳନାଗତ ସୁବିଧା ଦୃଷ୍ଟିରୁ ଗାଁରେ ଥିବା ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରର କୋଠା ନିର୍ମାଣ କରାଯିବା ଉଚିତ୍। ତେବେ କେତେକ ସମସ୍ୟା ଯୋଗୁ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ସରକାରୀ ସ୍କୁଲ ପରିସରରେ ନିର୍ମାଣ ହୋଇପାରୁନି । ଏହି ସମସ୍ୟାକୁ ଦୂର କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସହ ଉପଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ପ୍ରାଥମିକତା ଭିତ୍ତିରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିବାକୁ କହିଛନ୍ତି । ସରକାରୀ ସ୍କୁଲ ପରିସରରେ ଯଥାସମ୍ଭବ ଅଙ୍ଗନୱାଡ଼ି କେନ୍ଦ୍ର ଅବସ୍ଥାପିତ ହେବା ହେଉଛି ସରକାରଙ୍କ ନୀତି । ତେଣୁ ଏଥିପାଇଁ କୌଣସି ଅଧିକାରୀଙ୍କ ଏନଓସି ଆବଶ୍ୟକ ନାହିଁ । ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ବିଡିଓ ପ୍ରୋତ୍ସାହିତ କରିବା ଆବଶ୍ୟକ । ଅଙ୍ଗନୱାଡ଼ି କେନ୍ଦ୍ର କେଉଁଠି ନିର୍ମାଣ ହେବ ସେ ନେଇ ସ୍ଥାନ ଚୟନ ଚୂଡ଼ାନ୍ତ କରିବା ବିଡିଓଙ୍କ ଦାୟିତ୍ୱ ।

ସେହିପରି ଏବେ ପିଲାଙ୍କ ସଂଖ୍ୟା ଅଭାବ ଯୋଗୁ ଅନେକ ପ୍ରାଥମିକ ସ୍କୁଲ ଅନ୍ୟତ୍ର ମିଶ୍ରଣ ହୋଇଥିବାରୁ ସ୍କୁଲ କୋଠାଗୁଡ଼ିକ ବନ୍ଦ ହୋଇ ପଡ଼ିରହିଛି । ସେସବୁ ସ୍କୁଲ କୋଠାଗୁଡ଼ତିକ ଭଲ ଅବସ୍ଥାରେ ରହିଛି ଓ ପାନୀୟ ଜଳଠୁ ଆରମ୍ଭ କରି ଶୌଚାଳୟ, କିଚେନ୍ ଆଦି ମଧ୍ୟ ଭଲ ଅବସ୍ଥାରେ ରହିଛି । ଏସବୁ ସ୍କୁଲ କୋଠାରେ ପ୍ରାଥମିକତା ଭିତ୍ତିରେ ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପଜିଳ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି କରି ପ୍ରାଥମିକ ସ୍କୁଲକୁ ଅଙ୍ଗନୱାଡ଼ି କେନ୍ଦ୍ର ଭାବେ ବ୍ୟବହାର ନିମନ୍ତେ ଆବଶ୍ୟକ ମୋଡ଼ାଲିଟି ନିର୍ଦ୍ଧାରଣ କରିବାକୁ କୁହାଯାଇଛି ।

ଯେଉଁ ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ଭଡ଼ାରେ ଚାଲିଛି ଓ ସେହି ଗାଁର ପ୍ରାଥମିକ ସ୍କୁଲରେ ଅଧିକ କ୍ଲାସରୁମ୍ ରହିଛି, ସେଠାରେ ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପର୍ଯ୍ୟନ୍ତ ସମ୍ପୃକ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଘର ତିଆରି ହୋଇନାହିଁ । ତେବେ କୌଣସି ପରିସ୍ଥିତିରେ ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପଢ଼ିବେ ନାହିଁ । କୋଭିଡ୍ ପରିସ୍ଥିତି ଯୋଗୁ ସ୍ଥାନୀୟ ଆବଶ୍ୟକତା ଅନୁସାରେ ସମୟ ନିର୍ଘଣ୍ଟ କରାଯାଇପାରିବ । ସ୍କୁଲର କୋଠାରେ ଥିବା ଶୌଚାଳୟ, କିଚେନ୍ ଗାର୍ଡେନର ପରିବା ଓ କିଚେନକୁ ଅଙ୍ଗନୱାଡ଼ି ପିଲାଙ୍କ ନିମନ୍ତେ ଉପଯୋଗ କରାଯାଇ ପାରିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ୭୨୫୮୭ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବାବେଳେ ସେଥିରୁ ୨୫୩୯୭ଟି କେନ୍ଦ୍ର ଭଡ଼ାଘରେ ଚାଲିଛି । ଏହି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୩୨୭୨୮ଟି କେନ୍ଦ୍ରରେ ଶୌଚାଳୟ ମଧ୍ୟ ନାହିଁ ।

Related story