ନୂଆଦିଲ୍ଲୀ: ସମ୍ବଲପୁର କୋର୍ଟରେ ଓକିଲଙ୍କ ଧସ୍ତାଧସ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ। ସମ୍ବଲପୁର ବାର୍ର ୨୯ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ସସ୍ପେଣ୍ଡ କଲା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏନେଇ ପ୍ରେସ୍ ଇସ୍ତାହାରରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଠାରୁ ତତ୍କାଳ ୨୯ ଜଣ ଓକିଲଙ୍କୁ ସସ୍ପେଣ୍ଡ ଲାଗି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି।
ସୂଚନା ଥାଉକି, ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମ୍କୋର୍ଟଙ୍କ କଡା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି ଏଡ଼ାଇ ଦିଆଯାଇପାରୁନି। ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଆଜି ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲେ ଆଇନଜୀବୀ। ଏପରିକି ସମ୍ବଲପୁରରେ ଆନ୍ଦୋଳନ ଏମିତି ଉଗ୍ର ରୂପ ନେଇଥିଲା ଯେ ଆନ୍ଦୋଳନକାରୀ ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବାକୁ ବି ପଛେଇ ନାହାନ୍ତି।
ଆଇନଜୀବୀଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସୁପ୍ରିମ୍ କୋର୍ଟ ଖୁବ୍ଧ ହୋଇଛନ୍ତି। ଯଦି ଓଡ଼ିଶା ପୁଲିସ୍ ଏହି ଆନ୍ଦୋଳନକୁ ସମ୍ଭାଳିବାରେ ଅସମର୍ଥ ତେବେ, ଆମକୁ କୁହନ୍ତୁ। ଆମେ ଓଡ଼ିଶାରେ କୋର୍ଟର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ପାରାମିଲିଟାରୀ ଫୋର୍ସ ନିୟୋଜିତ କରିବୁ ବୋଲି ସୁପ୍ରିମ୍ କୋର୍ଟ ଆଜି କହିଥିଲେ।