ରତ୍ନଗର୍ଭା ମାଟିର ପିଲା ଅଧାରୁ ଛାଡ଼ୁଛନ୍ତି ପାଠ ପଢ଼ା; ବେଫିକର ସରକାର!

କୋଇଡ଼ା (ସୁନୀଲ କୁମାର ପଣ୍ଡା) : ରତ୍ନଗର୍ଭା କୋଇଡା! ଏ ମାଟି ତଳେ ରହିଛି ଆଇରନ୍‌ ଓ ମାଙ୍ଗାନିଜ୍‌ ଭଳି ମୂଲ୍ୟବାନ୍‌ ଖଣିଜ ପଦାର୍ଥ। ଯାହାକୁ ନେବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଦେଶୀ ବିଦେଶୀ ଲୋକ। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ ଢ଼େର୍‌ ଅଧିକ ରହିଥିବାରୁ ମାଲାମାଲ ହେଉଛନ୍ତି ଖଣି ମାଲିକ। ଆଉ ରାଜକୋଷ ମଧ୍ୟ କୁବେର ହେଉଛି। ହେଲେ କୋଇଡ଼ାର ମୂଳବାସିନ୍ଦାଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ହେଉନାହିଁ। ଦିନକୁ ଦିନ ନିମ୍ନମୁଖୀ […]

Koida

Koida

Manoranjan Sial
  • Published: Wednesday, 08 December 2021
  • Updated: 08 December 2021, 09:04 PM IST

Sports

Latest News

କୋଇଡ଼ା (ସୁନୀଲ କୁମାର ପଣ୍ଡା) : ରତ୍ନଗର୍ଭା କୋଇଡା! ଏ ମାଟି ତଳେ ରହିଛି ଆଇରନ୍‌ ଓ ମାଙ୍ଗାନିଜ୍‌ ଭଳି ମୂଲ୍ୟବାନ୍‌ ଖଣିଜ ପଦାର୍ଥ। ଯାହାକୁ ନେବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଦେଶୀ ବିଦେଶୀ ଲୋକ। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ ଢ଼େର୍‌ ଅଧିକ ରହିଥିବାରୁ ମାଲାମାଲ ହେଉଛନ୍ତି ଖଣି ମାଲିକ। ଆଉ ରାଜକୋଷ ମଧ୍ୟ କୁବେର ହେଉଛି। ହେଲେ କୋଇଡ଼ାର ମୂଳବାସିନ୍ଦାଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ହେଉନାହିଁ। ଦିନକୁ ଦିନ ନିମ୍ନମୁଖୀ ହେଉଛି ସେମାନଙ୍କ ଜୀବନ ଓ ଜୀବିକା। ଭାତ ଗୁଣ୍ଡାଏ ପାଇଁ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଯେଉଁ ବାପା-ମାଆ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି, ସେମାନଙ୍କ ପିଲା କେମିତି ପାଠ ପଢ଼ିବେ? ସେଥିପାଇଁ ତ ରତ୍ନଗର୍ଭା ମାଟିର ପୁଅ ଆଜି ଅଧାରୁ ପାଠ ପଢ଼ା ଛାଡ଼ି ଦାଦନ ଖଟୁଛି। ଯେଉଁ ବୟସରେ ହାତରେ ସିଲ୍‌ଟ ଓ ଖଡ଼ି ରହିବା କଥା, ସେ ବୟସରେ ମାଟିରେ ମାଟି ହୋଇଯାଉଛି କୋଇଡ଼ା ମାଟିର ସୁଯୋଗ୍ୟ ସନ୍ତାନ।

କୋଇଡା ବ୍ଲକ୍‌ରେ ନାନା କାରଣରୁ ଅଧାରୁ ପାଠ ପଢ଼ା ଛାଡୁଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। ତଥ୍ୟ କହୁଛି, ପ୍ରତ୍ୟେକ ବର୍ଷ ଏଠାରେ ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧାରେ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ପାରିବାରିକ ଆର୍ଥିକ ସ୍ଥିତି ଓ ସରକାରୀ ବିଧି ବ୍ୟବସ୍ଥା ପାଇଁ ସେମାନେ ଅଧାରୁ ପାଠ ପଢ଼ା ଛାଡ଼ୁଥିବା ଅଭିଯୋଗ ହୋଇଛି। ମାହାମାରୀ କରୋନା ବେଳେ ଅର୍ଥାତ ୨୦୨୦-୨୧ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀ ପାସ୍‌ କରିଥିବା ୨୯୯ ଛାତ୍ରଛାତ୍ରୀ ନବମ ଶ୍ରେଣୀରେ ନାମ ଲେଖାଇ ପାରିନାହାନ୍ତି। ଠିକ୍‌ ସେମିତି ୨୦୧୯-୨୦ ବର୍ଷରେ ୯୦୦ରୁ ଅଧିକ ପିଲା ପାଠ ପଢ଼ା ଛାଡ଼ିଛନ୍ତି। ଆଧାର କାର୍ଡରେ ନାଁ ଭୁଲ୍‌ ରହିବା, ଅଭିଭାବକଙ୍କ ନାଁ ବା ଜନ୍ମ ତାରିଖରେ ତ୍ରୁଟି, ବ୍ୟାଙ୍କ ଖାତା ନଥିବା, କିଛି ବିଦ୍ୟାଳୟରେ ସ୍ଥାନର ଅଭାବ ଓ ଗମନାଗମନର ଅସୁବିଧା ପାଇଁ ଅଧାରୁ ପାଠ ପଢ଼ା ବନ୍ଦ ରହୁଥିବା ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

କୋଇଡା ସଦର ମହକୁମାରେ ରହିଛି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ। ଏଠାରେ ବର୍ତ୍ତମାନ ୫ଟି ଶ୍ରେଣୀକୁ ସ୍ମାର୍ଟ କ୍ଲାସ୍‌ ରୁମ୍‌ରେ ରୂପାନ୍ତରିତ କରାଯାଇଛି। ଏହି ବିଦ୍ୟାଳୟଠାରୁ ୧୦ କିଲୋମିଟର ପରିଧି ଭିତରେ ଗୋଟିଏ ବି ଉଚ୍ଚ ବିଦ୍ୟାଳୟ ନାହିଁ। ଯାହା ଫଳରେ ଏହି ବିଦ୍ୟାଳୟ ଉପରେ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନେ ନିର୍ଭର କରୁଛନ୍ତି। ଆବଶ୍ୟକ ସ୍ଥଳେ ଏଠାରେ ବହୁ ଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି।

ସବୁଠାରୁ ଦୁଃଖଦ କଥା ହେଉଛି, କୋଇଡାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ଉପାର୍ଜନ କରୁଛନ୍ତି। ଏଥିସହ ବିଭିନ୍ନ କମ୍ପାନୀ ମାଲାମାଲ ହେଉଛନ୍ତି। ହେଲେ ଏ ଅଞ୍ଚଳର ବିକାଶ କରିବା କଥା ଭୁଲି ଯାଇଛନ୍ତି। ଗାଁ ଲୋକଙ୍କୁ ସାମାନ୍ୟ ମୌଳିକ ସୁବିଧା ଦେଉନାହାନ୍ତି। ଧୂଳି ଧୂଷରିତ ଅଞ୍ଚଳର ବିକାଶ କଥା ଛାଡ଼ନ୍ତୁ, ପିଲାଙ୍କ ପାଠ ପଢ଼ା ପ୍ରତି ରାଜ୍ୟ ସରକାର ତିଳେ ମାତ୍ର ନଜର ଦେଉନଥିବା ଅଭିଯୋଗ ହେଉଛି।

କୋଇଡ଼ା ଅଞ୍ଚଳର ଜଣେ ଛାତ୍ର କହିଛନ୍ତି, “କରୋନା କାଳରେ ଅଷ୍ଟମ ପାସ୍ କଲି। ହେଲେ କାଷ୍ଟ ସାର୍ଟିଫିକେଟ୍, ଇନକମ୍ ସାର୍ଟିଫିକେଟ୍ ବାହାର କରିପାରିଲିନି। ସେଥିପାଇଁ ସ୍କୁଲ ଯାଇପାରୁନି। ସେଥିପାଇଁ ପାଠ ପଢ଼ାକୁ ଅଧାରୁ ଛାଡ଼ିବାକୁ ପଡ଼ିଲା। ଏବେ ଘରେ ଅଛି । ଇଚ୍ଛା ଥିଲେ ମଧ୍ୟ ସ୍କୁଲ ଯାଇପାରୁନି।”

ସେହିପରି ଆଉ ଜଣେ ଛାତ୍ରୀ କହିଛନ୍ତି, “ପଇସା ପତ୍ର ଅଭାବରୁ ପାଠ ପଢ଼ି ହେଉନି। ସ୍କୁଲ ଦୂରରେ ଅଛି । ଜଙ୍ଗଲ ରାସ୍ତା ଦେଇ ଏକୁଟିଆ ଯିବାପାଇଁ ଭୟ ଲାଗୁଛି । ସାଙ୍ଗମାନେ ପାଠ ପଢ଼ୁଛନ୍ତି, ହେଲେ ମୁଁ ଘରେ ରହୁଛି । ଦୁଇ ବର୍ଷ ହେଲା ଘରେ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos