ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜିଠାରୁ ପୁଣି ଚାଲିବ ନମୋ ରାଜ୍। କେନ୍ଦ୍ରରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂଧ୍ୟା ୭ଟାରେ ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବେ। ଏଥିପାଇଁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ଆୟୋଜନ କରାଯାଇଛି। ତେବେ ମୋଦିଙ୍କ ଟିମ୍ରେ କିଏ ରହିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ସ୍ୱାସ୍ଥ୍ୟଗ କାରଣରୁ ଅରୁଣ ଜେଟଲୀ ମନ୍ତ୍ରୀ ହେବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ଗତ ରାତିରେ ଜେଟଲିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମୋଦି । ଅସୁସ୍ଥତା କାରଣରୁ ସୁଷମା ସ୍ୱରାଜ ମଧ୍ୟ ମନ୍ତ୍ରୀ ହେବାର ସମ୍ଭାବନା ନାହିଁ । ବିଜେପି ସଭାପତି ଅମିତ୍ ଶାହ କ୍ୟାବିନେଟ୍ରେ ଯୋଗ ଦେବେ ନା ନାହିଁ ତାହା ବି ସ୍ପଷ୍ଟ ହୋଇନି । ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଗତକାଲି ୩ ଘଣ୍ଟା ଧରି ମନ୍ତ୍ରିମଣ୍ଡଳ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ମଧ୍ୟ ଅମିତ ଶାହ, ପ୍ରଧାନମନ୍ତ୍ରୀ ବାସଭବନରେ ପହଞ୍ଚି ମନ୍ତ୍ରିମଣ୍ଡଳ ଗଠନ ନେଇ ଆଲୋଚନା କରୁଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ଏନଡିଏ ମେଣ୍ଟ ସହଯୋଗୀ ଜେଡିୟୁ, ଅକାଳୀ ଦଳ, ଶିବସେନା ଓ ଏଲଜେପିକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ଆଶା କରାଯାଉଛି । ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ, କେରଳ ଓ ଆନ୍ଧ୍ରକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ମିଳିପାରେ । ଉତ୍ତରପ୍ରଦେଶରେ ଆପ୍ନା ଦଳର ମୁଖ୍ୟ ଅନୁପ୍ରିୟା ପଟେଲ ଏଥର ମୋଦି କ୍ୟାବିନେଟ୍ରେ ଯୋଗ ଦେଇପାରନ୍ତି ।
ପଶ୍ଚିମବଙ୍ଗରେ ବିଜେପିର ଭଲ ପ୍ରଦର୍ଶନ ଦୃଷ୍ଟିରୁ ମନ୍ତ୍ରିମଣ୍ଡଳରେ ସେହି ରାଜ୍ୟକୁ ଗୁରୁତ୍ୱ ଦିଆଯାଇପାରେ। ତେବେ ଓଡ଼ିଶାରୁ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦ ବଜାୟ ରଖିପାରନ୍ତି । ଆଉ ନୂଆ ସାଂସଦଭାବେ ସୁରେଶ ପୁଜାରୀ, ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରୁ କେହି ଜଣେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଚର୍ଚ୍ଚା ହେଉଛି ।