୩୦ ଏକର ମକା ଫସଲ ନଷ୍ଟ କରିଦେଲେ, ଘରେ ନିଆଁ ଲଗାଇଦେଲେ

ନବରଙ୍ଗପୁର (ନବଘନ ବିଷୋୟୀ): ଝାଳକୁ ରକ୍ତ କରି ଚାଷ ଜମିରେ ଖଟିଥିଲେ। ଯେଉଁଥିପାଇଁ ଏଥର ଭଲ ଚାଷ ହୋଇଥିଲା। ହେଲେ ଆଜି ଆଖି ଆଗରେ ମାଟିରେ ଲୋଟିଛି ମକା ଫସଲ। ୩୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଚାଷ ହୋଇଥିବା ମକା ଚାଷ ନଷ୍ଟ କରିବା ସହିତ ଗୋରୁ ଛାଡ଼ିଦେଲେ ପ୍ରତିପକ୍ଷ ଗୋଷ୍ଠୀ। ଏପରି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ। ଲୋକଙ୍କ ଆକ୍ରୋଷ ଆଗରେ ପୁଲିସ ଓ ପ୍ରଶାସନ ଅସହାୟ। ଉମରକୋଟ ବ୍ଲକ୍‌ ବୁର୍ଜା […]

Nabarangpur

  • Published: Saturday, 13 August 2022
  • , Updated: 13 August 2022, 07:55 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ଝାଳକୁ ରକ୍ତ କରି ଚାଷ ଜମିରେ ଖଟିଥିଲେ। ଯେଉଁଥିପାଇଁ ଏଥର ଭଲ ଚାଷ ହୋଇଥିଲା। ହେଲେ ଆଜି ଆଖି ଆଗରେ ମାଟିରେ ଲୋଟିଛି ମକା ଫସଲ। ୩୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଚାଷ ହୋଇଥିବା ମକା ଚାଷ ନଷ୍ଟ କରିବା ସହିତ ଗୋରୁ ଛାଡ଼ିଦେଲେ ପ୍ରତିପକ୍ଷ ଗୋଷ୍ଠୀ। ଏପରି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ। ଲୋକଙ୍କ ଆକ୍ରୋଷ ଆଗରେ ପୁଲିସ ଓ ପ୍ରଶାସନ ଅସହାୟ।

ଉମରକୋଟ ବ୍ଲକ୍‌ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ପ୍ରାୟ ୧୦୦ଟି କନ୍ଧ ଜନଜାତି ପରିବାର ୫୦ ବର୍ଷରୁ ଅଧିକ ସମୟ ଧରି ଜଙ୍ଗଲ ଜମିରେ ବସବାସ କରି ଆସୁଥିଲେ। ସେମାନେ ଚାଷ କରି ଜୀବିକା ନିର୍ବାହ କରିଆସୁଥିଲେ। ତେବେ ୨୦୦୫ ମସିହାରୁ କୁସୁମଗୁଡା ବନ ସୁରକ୍ଷା ସମିତି ଏହି ୩ ଗାଁକୁ ସେଠାରୁ ହଟାଇବାକୁ ଦାବି କରିଆସୁଥିଲା। ଯାହାର ଫଳ ସ୍ୱରୁପ ଆଜି ବନ ସୁରକ୍ଷା ସମିତିର ୮ ଖଣ୍ଡ ଗାଁର ଶହ ଶହ ମହିଳା ଓ ପୁରୁଷ କପସାଭଟା, ସାରିୟାଭଟା ଓ ଲକଟିପଖନାରେ ପଶିଥିଲେ। ଗାଁ ଲୋକଙ୍କୁ ମାଡ଼ ମାରିବା ସହିତ ଗୋଟିଏ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ୩୦ ଏକରରୁ ଅଧିକ ମକା ଚାଷକୁ ନଷ୍ଟ କରିଦେଇଥିଲେ। ପରେ ଚାଷ ଜମିରେ ଗୋରୁ ଛାଡ଼ି ଦେଇଥିଲେ।

ଗାଁରେ ପଶିବା ପୂର୍ବରୁ କୁସୁମଗୁଡା ବନ ସୁରକ୍ଷା ସମିତିର ୮ ଖଣ୍ଡ ଗ୍ରାମର ଲୋକମାନେ ପ୍ରବେଶ ପଥରେ ଗଛ କାଟି ପକାଇ ଦେଇଥିଲେ। ରାସ୍ତାରୁ ଗଛ ଗଣ୍ଡି ହଟାଇ ପୁଲିସ୍‌ ବିଳମ୍ୱରେ ପହଞ୍ଚିଥିଲା। ସେତେବେଳକୁ ମକା ଫସଲ ନଷ୍ଟ କରି ସାରିଥିଲେ କୁସୁମଗୁଡା ବନ ସୁରକ୍ଷା ସମିତିର ୮ ଖଣ୍ଡ ଗାଁର ଶହଶହ ଲୋକ। ତଥାପି ଶେଷ ମୁହୂର୍ତ୍ତରେ ମକା ଗଛ ନକାଟିବାକୁ ପୁଲିସ ଅନୁରୋଧ କରିଥିଲା। ହେଲେ ସେମାନେ କିଛି ଶୁଣିବା ମୋଡ୍‌ରେ ନଥିଲେ। ଆଖି ବୁଜା କାଟି ଚାଲି ଥିଲେ ମକା ଗଛ। ଅନ୍ୟପକ୍ଷରେ ନିଜ ଆଖି ଆଗରେ କଷ୍ଟ ଉପାର୍ଜିତ ଫସଲ ନଷ୍ଟ ହେଉଥିବା ଦେଖି ହତବାକ ହୋଇପଡ଼ିଲେ କପସାଭଟା, ସାରିୟାଭଟା ଓ ଲକଟିପଖନାର ଲୋକମାନେ। କେବଳ ଛାତି ବାଡ଼େଇବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିଲା।

ମକା ଚାଷକୁ ନେଇ କପସାଭଟା, ସାରିୟାଭଟା ଓ ଲକଟିପଖନା ଗାଁର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମକା ଚାଷ ନଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୁଲିସ୍‌ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତାକାଲି ୩ ଗାଁ ଲୋକମାନେ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିବେ ବୋଲି ଚେନାବନୀ ଦେଇଛନ୍ତି।

ସୂଚନାରୁ ପ୍ରକାଶ, କପସାଭଟା, ସାରିୟାଭଟା ଓ ଲକଟିପଖନାକୁ ଉଠାଇବାକୁ ଦାବି କରୁଛନ୍ତି କୁସୁମଗୁଡା ବନ ସୁରକ୍ଷା ସମିତିର ୮ ଖଣ୍ଡ ଗାଁର ଲୋକ। ଯାହାକୁ ନେଇ ପ୍ରତିବର୍ଷ ଗଣ୍ଡଗୋଳ ଓ ମାରପିଟ୍‌ ହେଉଛି। କଥା ପ୍ରଶାସନ ପାଖକୁ ଯାଉଛି। ହେଲେ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀମାନେ ମାମଲାକୁ ସମାଧାନ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜୁଛନ୍ତି।

Related story