କଟକ: ଆସନ୍ତା ସେପ୍ଟେମ୍ୱର ୩୦ ତାରିଖ ପୂର୍ବରୁ ୧୦ଟି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଜିଲ୍ଲାଗୁଡିକ ହେଲା କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, ନୟାଗଡ, ମୟୁରଭଂଜ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ପୁରୀ । ଏଥିପାଇଁ ଆଜି କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ତେବେ ଖାଦ୍ୟ ସୁରକ୍ଷା ତାଲିକାରେ ଅର୍ନ୍ତଭୁକ୍ତ ହେବା ପାଇଁ ବିଭିନ୍ନ ଜିଲ୍ଲାରେ ଆବେଦନ କରିଥିବା ନକଲି ହିତାଧୀକାରୀମାନଙ୍କୁ ଚିହ୍ନଟ କରିବା ସହିତ ପ୍ରକୃତ ବ୍ୟକ୍ତିଙ୍କୁ ସୁଯୋଗ ଦେବା ଉପରେ ବୈଠକରେ ଜୋର ଦିଆଯାଇଥିଲା। ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟ ସଚେତକ ଅନନ୍ତ ଦାସ, ସଚିବ ମଧୁସୂଦନ ପାଢ଼ୀଙ୍କ ସମେତ ୧୦ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ ।