ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୩୩ ପ୍ରତିଶତ ମହିଳା ଡ୍ରାଇଭରଙ୍କ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ଏହି ବୃଦ୍ଧି ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ସାହଜନକ ନୁହେଁ। ତେବେ ରାଜ୍ୟ ସରକାର ଭୁବନେଶ୍ୱର ଓ ଛତିଆରେ ଥିବା ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ରରେ ମହିଳାଙ୍କୁ ମାଗଣା ପେଷାଦାର ଡ୍ରାଇଭର ପ୍ରଶିକ୍ଷଣ ଯୋଗାଇ ଏହି ସଂଖ୍ୟା ବୃଦ୍ଧି କରୁଥିବା ଜଣାପଡ଼ିଛି।
ରାଜ୍ୟ ଯୁଗ୍ମ ପରିବହନ କମିଶନର ସଞ୍ଜୟ ବିଶ୍ୱାଳ କହିଛନ୍ତି ଯେ, ୨୦୧୭ରୁ ୨୦୨୧ ମସିହା ମଧ୍ୟରେ ମହିଳା ଡ୍ରାଇଭର ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ପାଇଛି। ଏହି ଅବଧି ଭିତରେ ୮୫୮୦ଜଣ ମହିଳା ଡ୍ରାଇଭିଂ ପ୍ରଶିକ୍ଷଣ ନେଇଛନ୍ତି। ୨୦୧୭ରେ ୨୫୦୮୬ଜଣ ମହିଳା ଡ୍ରାଇଭିଂ ଲାଇସେନ୍ସ ଥିବାବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୩୬୬୬୬କୁ ବୃଦ୍ଧି ପାଇଛି। ତେବେ ୨୦୧୯ ଓ ୨୦୨୦ ମସିହାରେ ମହିଳା ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୩୬ହଜାରରୁ ଅଧିକ ରହିଥିଲା।
୨୦୨୧ରେ ଯେତିକି ସଂଖ୍ୟା ବଢ଼ିଛି ତାହା ଅନ୍ୟ ରାଜ୍ୟ ତୁଳନାରେ ଉତ୍ସାହଜନକ ନୁହେଁ ବୋଲି ସେ କହିଛନ୍ତି। ରାଜ୍ୟର ଅଧିକ ସଂଖ୍ୟକ ମହିଳା ଡ୍ରାଇଭିଂ ଲାଇସେନ୍ସଧାରୀ ହେବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ଡ୍ରାଇଭିଂ ଶିକ୍ଷା କଲେ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସେମାନେ ନିଜେ ଯାତାୟତ ପାଇଁ ଆଉ କାହାରି ଉପରେ ନିର୍ଭର କରିବେ ନାହିଁ।
ସେହିପରି ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଭୁବନେଶ୍ୱରସ୍ଥିତ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଓ ଛତିଆସ୍ଥିତ ଏଚଏମଭି ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ମହିଳା ପ୍ରଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୬-୧୭ରେ ଭୁବନେଶ୍ୱରସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରୁ ୨୫ଜଣ ମହିଳା ପ୍ରଶିକ୍ଷଣ ନେଉଥିବାବେଳେ ଏବେ ୯୦ଜଣ ମହିଳା ପ୍ରଶିକ୍ଷଣ ନେଉଛନ୍ତି। ଯେଉଁମାନେକି ବ୍ୟବସାୟିକ ଯାନ ଚଳାଚଳ ନିମନ୍ତେ ଏହି ପ୍ରଶିକ୍ଷଣ ନେଉଛନ୍ତି। ସମାଜରେ ମଧ୍ୟ ମହିଳାଙ୍କ ଡ୍ରାଇଭିଂକୁ ନେଇ ରହିଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଛି। ଯେଉଁଥିପାଇଁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରେ ୬୦ଜଣ ମହିଳା ଡ୍ରାଇଭିଂ ଲାଇସେନ୍ସଧାରୀ ବ୍ୟବସାୟିକ ଯାନ ଚଳାଚଳ କରୁଛନ୍ତି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।