ଶିକ୍ଷାବର୍ଷ ସରିବାକୁ ବସିଲାଣି: ୩୪୪୩ ଜଣ ଆବେଦକ, ଜଣେ ବି ପାଇଲେନି ସ୍କଲାରସିପ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିଭାଗଗୁଡ଼ିକରେ ‘ଫାଇଭ-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରିବାର ବାହାସ୍ଫୋଟ ମାରୁଥିଲେ ମଧ୍ୟ ଏହା କେବଳ ଆତ୍ମପ୍ରଚାର ସଦୃଶ ହୋଇଛି। ସମାଜର ବଂଚିତ ବର୍ଗର ପିଲାମାନଙ୍କୁ ସ୍ନାତକ ଓ ପିଜି ପଢ଼ିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ‘ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା’ରେ ରାଜ୍ୟ ସରକାର ସ୍କଲାରସିପ୍ ଦେବାକୁ ଘୋଷଣା କରିଥିଲେ ମଧ୍ୟ ସରକାରୀ ଅଧିକାରୀମାନଙ୍କ ଅବହେଳା ଯୋଗୁ ଚଳିତ ୨୦୨୧-୨୨ ଶିକ୍ଷାବର୍ଷରେ ଜଣେ ହେଲେ ବି ଏହି ସ୍କଲାରସିପ୍ […]

student

Ordigital Desk
  • Published: Saturday, 18 December 2021
  • , Updated: 18 December 2021, 10:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିଭାଗଗୁଡ଼ିକରେ ‘ଫାଇଭ-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରିବାର ବାହାସ୍ଫୋଟ ମାରୁଥିଲେ ମଧ୍ୟ ଏହା କେବଳ ଆତ୍ମପ୍ରଚାର ସଦୃଶ ହୋଇଛି। ସମାଜର ବଂଚିତ ବର୍ଗର ପିଲାମାନଙ୍କୁ ସ୍ନାତକ ଓ ପିଜି ପଢ଼ିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ‘ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା’ରେ ରାଜ୍ୟ ସରକାର ସ୍କଲାରସିପ୍ ଦେବାକୁ ଘୋଷଣା କରିଥିଲେ ମଧ୍ୟ ସରକାରୀ ଅଧିକାରୀମାନଙ୍କ ଅବହେଳା ଯୋଗୁ ଚଳିତ ୨୦୨୧-୨୨ ଶିକ୍ଷାବର୍ଷରେ ଜଣେ ହେଲେ ବି ଏହି ସ୍କଲାରସିପ୍ ପାଇବାରେ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଶୁକ୍ରବାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ‘ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା’ର ସୁଫଳ ଛାତ୍ରଛାତ୍ରୀମାନେ ପାଉନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଭାଗକୁ ୩୪୪୩ଜଣ ଛାତ୍ରଛାତ୍ରୀ ଏହି ସ୍କଲାରସିପ୍ ପାଇଁ ଆବେଦନ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଗୋଟିଏ ବି ଆବେଦନ ଉପରେ ନିଷ୍ପତ୍ତି ନେଇଥିବା କହିଛନ୍ତି । ବିଭାଗକୁ ସ୍କଲାରସିପ୍ ପୋର୍ଟାଲ ମାଧ୍ୟମରେ ୩୪୪୩ଟି ଆବେଦନ ମିଳିଥିଲା। ଚଳିତବର୍ଷ ଏହି ସ୍ଲଲାରସିପ୍ ଆବେଦନ ଅନଲାଇନରେ କାର୍ଯ୍ୟକାରୀ କରାଯାଇଛି । ଆଉ ମିଳିଥିବା ସମସ୍ତ ଆବେଦନକୁ ଉଚ୍ଚଶିକ୍ଷା ବିଭାଗ ସମ୍ପୃକ୍ତ ଆବେଦନକାରୀଙ୍କ ଜିଲ୍ଲା ପ୍ରଶାସନ ନିକଟକୁ ପଠାଇଥିଲା। କିନ୍ତୁ ବିଭାଗ ପଠାଇଥିବା ଆବେଦନ ଉପରେ ଜିଲ୍ଲା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ସୁପାରିସ୍ କରିନାହାନ୍ତି। ତେଣୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲେ ଦୁର୍ବଳ ଓ ବଂଚିତ ବର୍ଗର ପିଲାମାନେ ଏହି ଯୋଜନାରୁ ଆର୍ଥିକ ସହାୟତା ପାଇପାରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସ୍ନାତକ ଓ ପିଜି ଶ୍ରେଣୀରେ ପଢ଼ୁଥିବା ଦୁର୍ବଳ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ‘ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା’ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି । ଅନୁସୂଚିତ ଜାତି, ଜନଜାତି, ଓବିସି ଓ ଏସଇବିସି ଏବଂ ଆର୍ଥିକ ଅନୁନ୍ନତ ବର୍ଗର ପିଲାମାନେ ସ୍ନାତକ ଓ ପିଜି ପାଠ ପଢ଼ିବା ପାଇଁ ବାର୍ଷିକ ୧୦ହଜାର ଟଙ୍କାର ସ୍ଲଲାରସିପ୍ ଏହି ଯୋଜନାରେ ପାଇବାକୁ ହକଦାର । ଯେଉଁ ପିତାମାତାଙ୍କ ବାର୍ଷିକ ଉପାର୍ଜନ ୧.୨୦ଲକ୍ଷ ଟଙ୍କାରୁ କମ୍ ସେମାନଙ୍କ ପିଲାମାନେ ବି ଏହି ସ୍ଲଲାରସିପ୍ ପାଇପାରିବେ । ମାତ୍ର ଜିଲ୍ଲା ପ୍ରଶାସନ ଓ ଉଚ୍ଚଶିକ୍ଷା ମଧ୍ୟରେ ସମନ୍ୱୟ ରହୁନଥିବାରୁ ଶିକ୍ଷା ବର୍ଷ ସରିବାକୁ ବସିଥିଲେ ମଧ୍ୟ ଜଣେବି ଛାତ୍ରଛାତ୍ରୀ ଏହି ସ୍କଲାରସିପ୍ ପାଇବାକୁ ସକ୍ଷମ ହୋଇନାହାନ୍ତି ।

ଚଳିତବର୍ଷ ଓଡ଼ିଶା ଷ୍ଟେଟ ସ୍କଲାରସିପ୍ ପୋର୍ଟାଲ ମାଧ୍ୟମରେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା କାର୍ଯ୍ୟକାରୀ ହେଉଛି ଓ ଅନଲାଇନ୍ ମୋଡରେ ଆବେଦନ କରିବାକୁ କୁହାଯାଇଥିଲା । ଏହି ଯୋଜନାକୁ କିଭଳି କାର୍ଯ୍ୟକାରୀ କରାଯିବ ସେଥିପାଇଁ ଅକ୍ଟୋବର ୨୭ତାରିଖରେ ଜିଲ୍ଲାର ଡିଡବ୍ଲ୍ୟୁଓଙ୍କୁ ସ୍ୱତନ୍ତ୍ର ଭାବେ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଥିଲା । କିନ୍ତୁ ଆବେଦନ ଉପରେ ଜିଲ୍ଲା ପ୍ରଶାସନ କୌଣସି ନିଷ୍ପତ୍ତି ନନେଇ ଆବେଦନଗୁଡ଼ିକୁ ପକାଇ ରଖିଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ‘ଫାଇଭ-ଟି’କୁ ମୂଳମନ୍ତ୍ର କରି ପ୍ରଶାସନିକ କାର୍ଯ୍ୟ କରୁଥିବାର ବାହାସ୍ଫୋଟ ମାରୁଥିଲେ ମଧ୍ୟ ତାଳମେଳ ଅଭାବ ଓ ଅବହେଳା ଯୋଗୁ ହଜାର ହଜାର ଗରିବ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ଆର୍ଥିକ ସହାୟତା ଦେବାରେ ବିଫଳ ହୋଇଛନ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ମଧ୍ୟ ଚଳିତବର୍ଷ ରାଜ୍ୟରେ ଫେଲ୍ ମାରିଛି ।

Related story