ମୋଦିଙ୍କ ୫ ସଫଳ ଓ ୫ ବିଫଳ ମନ୍ତ୍ରୀଙ୍କୁ ନେଇ ବିବାଦ: କାହିଁକି ଖୁସି ଓଡ଼ିଶା ବିଜେପି?

ଭୁବନେଶ୍ୱର (ଦେବଦତ୍ତ ରଥ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ୫ ଜଣ ଅମୂଲ୍ୟ ରତ୍ନ ଅଛନ୍ତି। ସେଥିରୁ ଜଣେ ଓଡ଼ିଆ ବି ଅଛନ୍ତି। ଏମିତି ଏକ ଖବର ଏବେ ସୋସିଆଲ୍ ମିଡିଆରେ ଖୁବ୍ ବୁଲୁଛି। ବାସ୍ତବ କଥାଟି ହେଲା, ଏଠି ରତ୍ନ ମାନେ ମନ୍ତ୍ରୀ। ଅର୍ଥାତ ମୋଦିଙ୍କ କ୍ୟାବିନେଟ୍‌ରେ ୫ ଜଣ ଯୋଗ୍ୟ ମନ୍ତ୍ରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ କାଳେ ଓଡ଼ିଶାର ବି ଜଣେ ଅଛନ୍ତି। ସେ ହେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀଙ୍କର ଏହି […]

Modi

Ordigital Desk
  • Published: Thursday, 24 May 2018
  • , Updated: 24 May 2018, 09:04 PM IST

ଭୁବନେଶ୍ୱର (ଦେବଦତ୍ତ ରଥ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ୫ ଜଣ ଅମୂଲ୍ୟ ରତ୍ନ ଅଛନ୍ତି। ସେଥିରୁ ଜଣେ ଓଡ଼ିଆ ବି ଅଛନ୍ତି। ଏମିତି ଏକ ଖବର ଏବେ ସୋସିଆଲ୍ ମିଡିଆରେ ଖୁବ୍ ବୁଲୁଛି। ବାସ୍ତବ କଥାଟି ହେଲା, ଏଠି ରତ୍ନ ମାନେ ମନ୍ତ୍ରୀ। ଅର୍ଥାତ ମୋଦିଙ୍କ କ୍ୟାବିନେଟ୍‌ରେ ୫ ଜଣ ଯୋଗ୍ୟ ମନ୍ତ୍ରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ କାଳେ ଓଡ଼ିଶାର ବି ଜଣେ ଅଛନ୍ତି। ସେ ହେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀଙ୍କର ଏହି ଯୋଗ୍ୟତା ତାଲିକାରେ ଧର୍ମେନ୍ଦ୍ରଙ୍କ ସ୍ଥାନ ହେଲା ୪ର୍ଥ। ଏହାକୁ ନେଇ ଏବେ ଓଡ଼ିଶା ବିଜେପି କାଳେ ଖୁବ୍ କୁରୁଳୁଛି। ନେତାଏ ଭାରି ଖୁସି। ଖବରଟିକୁ କେହି କେହି ବିଜେପିର ଛାମୁଆଁ ନେତା ଉତ୍ସାହିତ ହୋଇ ସୋସିଆଲ ମିଡିଆରେ ବି ପୋଷ୍ଟ କରୁଛନ୍ତି। ବାସ୍ତବ କଥାଟି କ’ଣ ଆସନ୍ତୁ ଜାଣିବା।

କେନ୍ଦ୍ରମନ୍ତ୍ରୀଙ୍କ ଯୋଗ୍ୟତା ତାଲିକା ତିଆରି କରିଛି କିଏ?: ବାସ୍ତବରେ ଏହା ସରକାରୀ ତଥ୍ୟ ନୁହେଁ। ନା ମୋଦି ସରକାରଙ୍କର ଆକଳନ ନା ବିଜେପି ଦଳ ପକ୍ଷରୁ ଏପରି ଆକଳନ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି, ଏହି ତାଲିକା ପ୍ରସ୍ତୁତ କଲା କିଏ? ଖବର ନେବାରେ ଜଣା ଯାଇଛି ଯେ, ଏହା ହେଉଛି ଏକ ଟେଲିଭିଜନ ନିଉଜ୍ ଚ୍ୟାନେଲର ସର୍ଭେ। ଚ୍ୟାନେଲ ପକ୍ଷରୁ ନିଜସ୍ୱ ଶୈଳୀରେ ମୋଦି ସରକାରଙ୍କ ମନ୍ତ୍ରୀ ମାନଙ୍କର ଏକ ରିପୋର୍ଟ କାର୍ଡ ପ୍ରକାଶ କରାଯାଇଛି। ଯେଉଁଥିରେ ଧର୍ମେନ୍ଦ୍ରଙ୍କ ନାଁ ରହିଥିବାରୁ ରାଜ୍ୟ ବିଜେପିର କିଛି ନେତା ଖୁସି ପ୍ରକଟ କରୁଛନ୍ତି।

୫ ଜଣ ଅଯୋଗ୍ୟ ମନ୍ତ୍ରୀଙ୍କ ତାଲିକା ବି ଅଛି: ବାସ୍ତବରେ ଦେଖିବାକୁ ଗଲେ, ଏହି ରିପୋର୍ଟ ବିଜେପି ପାଇଁ କିଛି ଲାଭଦାୟକ ନୁହେଁ। କେବଳ ନିର୍ଦ୍ଦିଷ୍ଟ କେତେକ ନେତା ଓ ସେମାନଙ୍କର ଅନୁଗତଙ୍କୁ ହୁଏତ ଏହା ଆନନ୍ଦ ଦେଉଥିବ। ବିଜେପି ଦଳକୁ ନୁହେଁ। କାରଣ ଏହି ରିପୋର୍ଟରେ ୫ ଜଣ ଯୋଗ୍ୟ ମନ୍ତ୍ରୀଙ୍କ ସମେତ ୫ ଜଣ ଅଯୋଗ୍ୟ ମନ୍ତ୍ରୀଙ୍କ ନାଁ ମଧ୍ୟ ପ୍ରକାଶ କରାଯାଇଛି। ଗୋଟେ ସରକାର ସେତେବେଳେ ସଫଳ ହୁଏ ଯେତେବେଳେ ଏହାର ପ୍ରାୟ ସବୁ ମନ୍ତ୍ରୀ ସଫଳତାର ସହ କାମ କରନ୍ତି। ସଂପୃକ୍ତ ନିଉଜ୍ ଚ୍ୟାନେଲ ରିପୋର୍ଟରେ ମୋଦି ସରକାରର ମନ୍ତ୍ରୀଙ୍କ ଭିତରେ ଏକ ତୁଳନା କରାଯାଇଛି।

ସଫଳ ତାଲିକାରେ କିଏ, ବିଫଳ ତାଲିକାରେ କିଏ: ସଂପୃକ୍ତ ନିଉଜ ଚ୍ୟାନେଲ ରିପୋର୍ଟ ଅନୁଯାୟୀ ଯୋଗ୍ୟମନ୍ତ୍ରୀ ୫ ଜଣଙ୍କ ହେଉଛନ୍ତି- (୧) ନୀତିନ ଗଡ଼କରି (୨) ରାଜନାଥ ସିଂହ (୩) ସୁଷମା ସ୍ୱରାଜ (୪) ଧର୍ମେନ୍ଦ୍ର ପ୍ରଧାନ ଓ (୫) ନିର୍ମଳା ସୀତାରମଣ। ସେହିପରି ଅଯୋଗ୍ୟ ମନ୍ତ୍ରୀମାନେ ହେଲେ- (୧) ଉମା ଭାରତୀ (୨) ଗିରିରାଜ ସିଂହ (୩) ସ୍ମୃତି ଇରାନୀ (୪) କେ.ଜେ. ଆଲଫୋନ୍ସ ଏବଂ (୫) ସନ୍ତୋଷ ଗ୍ୟାଙ୍ଗୱାର।

କେତେ ନମ୍ବର ପାଇଛନ୍ତି ସଫଳ ମନ୍ତ୍ରୀ: ଏହି ମନ୍ତ୍ରୀମାନଙ୍କୁ ନମ୍ବର ମଧ୍ୟ ଦିଆଯାଇଛି। ଫୁଲ୍‌ ମାର୍କ ହେଲା ୧୦। ଏଥିରୁ ନୀତିନ ଗଡ଼କରି ପାଇଛନ୍ତି ୭.୧୪ ମାର୍କ। ସେ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ରାଜନାଥ ସିଂହ ୫.୯୫ ନମ୍ବର ପାଇ ଦ୍ୱିତୀୟ ସ୍ଥାନରେ, ସୁଷମା ସ୍ୱରାଜ ୫.୮୪ ନମ୍ବର ପାଇ ତୃତୀୟ ସ୍ଥାନରେ, ଧର୍ମେନ୍ଦ୍ର ପ୍ରଧାନ ୫.୫୪ ମାର୍କ ପାଇ ଚତୁର୍ଥ ସ୍ଥାନରେ ଓ ନିର୍ମଳା ସୀତାରମଣ ୫.୪୪ ନମ୍ବର ପାଇ ପଞ୍ଚମ ସ୍ଥାନରେ ରହିଛନ୍ତି।

କେତେ ନମ୍ବର ପାଇଛନ୍ତି ବିଫଳ ମନ୍ତ୍ରୀ: ସେହିପରି ଖରାପ ପ୍ରଦର୍ଶନ କରି ୩.୨୭ ସହ ଅଯୋଗ୍ୟ ମନ୍ତ୍ରୀ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଉମା ଭାରତୀ। ସେହିପରି ଗିରିରାଜ ସିଂହ ୩.୩୯ ମାର୍କ ପାଇ ଦ୍ୱିତୀୟ ସ୍ଥାନରେ, ସ୍ମୃତି ଇରାନୀ ୩.୮୭ ମାର୍କ ପାଇ ତୃତୀୟ ସ୍ଥାନରେ, ୩.୯୫ ନମ୍ବର ପାଇ କେ.ଜେ. ଆଲଫୋନ୍ସ ଚତୁର୍ଥ ସ୍ଥାନରେ ଏବଂ ୪ ମାର୍କ ପାଇ ସନ୍ତୋଷ ଗ୍ୟାଙ୍ଗୱାର ପଞ୍ଚମ ସ୍ଥାନରେ ଅଛନ୍ତି।

ଶେଷକଥା: ଏଠି କହିବାର କଥା ହେଲା, ଯଦି ଓଡ଼ିଶା ବିଜେପି ଧର୍ମେନ୍ଦ୍ରଙ୍କ ସଫଳତା ପାଇଁ ଖୁସି ଅଛି, ଏହାର ଅର୍ଥ ହେଲା, ଯେଉଁ ୫ ଜଣ ମନ୍ତ୍ରୀ ବିଫଳ ହୋଇଛନ୍ତି, ସେମାନଙ୍କୁ ବି ଓଡ଼ିଶା ବିଜେପି ସ୍ୱୀକାର କରୁଛି। ନା କେବଳ ଧର୍ମେନ୍ଦ୍ରଙ୍କ ନାଁ ଲିଷ୍ଟରେ ଥିବା ଦେଖି ଖୁସି ହେଉଛନ୍ତି? ଏଠାରେ ସୂଚନାଯୋଗ୍ୟ ଯେ, ଏହି ରିପୋର୍ଟ ପ୍ରକାଶ କରିଥିବା ସଂପୃକ୍ତ ନିଉଜ ଚ୍ୟାନେଲକୁ ମୋଦି ବିରୋଧୀ ବୋଲି କହି ବିଜେପି ସପକ୍ଷବାଦୀମାନେ ସଂପୃକ୍ତ ଚ୍ୟାନଲ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

(ନିବନ୍ଧରେ ପ୍ରକାଶ ପାଇଥିବା ମତ ଲେଖକଙ୍କର ନିଜସ୍ୱ)

Related story