ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ କଲବଲ ହୋଇ ଘାଣ୍ଟି ହୋଇଥିବା ରାଜଧାନୀବାସୀଙ୍କୁ ଏବେ ଘାରିଛି ଡେଙ୍ଗୁ ଭୟ। ସମଗ୍ର ରାଜ୍ୟରେ କରୋନା ତଳମୁହାଁ ଥିଲେ ମଧ୍ୟ ତାଲିକାର ଉପରେ ରହୁଛି ଭୁବନେଶ୍ୱର। ଉଭୟ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ରାଜଧାନୀରୁ ହିଁ ସର୍ବାଧିକ ବାହାରୁଛି। ଏପରି ସ୍ଥିତିରେ ଘାରିଲାଣି ଡେଙ୍ଗୁ ଭୟ। କେବଳ ରାଜଧାନୀ ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଏହି ସମସ୍ତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବ୍ୟତୀତ ଆଉ ପ୍ରାୟ ୨୦ ଜଣଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥିବାରୁ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ରିପୋର୍ଟ ଆସି ନ ଥିବା ଜଣାଯାଇଛି।
ବିଏମ୍ସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱରର ବସ୍ତି ଅଞ୍ଚଳ ଏବଂ ନିଳାଦ୍ରୀ ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲି ଡେଙ୍ଗୁ କାହିଁକି ବ୍ୟାପୁଛି, ତାର ସ୍ଥିତି ପରଖିଥିଲେ।
[caption id="attachment_656585" align="aligncenter" width="650"]
ଘର ଚାରିପାଖ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ବିଶେଷଜ୍ଞ ଟିମ୍ । ତା ସହ ବିଏମ୍ସି ପକ୍ଷରୁ ମଶା ଧୂଆଁ ସ୍ପ୍ରେ କରାଯାଇଥିଲା । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଡେଙ୍ଗୁ ବ୍ୟାପୁଥିବା କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି, ଏହି ସମୟରେ ମ୍ୟାଲେରିଆ, ଡେଙ୍ଗୁ ବ୍ୟାପେ । ୬ ଜଣଙ୍କଠାରେ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୨୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଛି। ସେମାନଙ୍କୁ ନିରୀକ୍ଷଣରେ ରଖାଯାଇଛି। ବିଏମ୍ସି ଦ୍ୱାରା ମଶା ଧୂଆଁ ସ୍ପ୍ରେ କରାଯିବା ସହ ପାଣି ଜମିଥିବା ସ୍ଥାନକୁ ସଫା କରାଯାଉଛି।