ଫୁଲବାଣୀ/ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ୭ମ ଛାତ୍ରୀ ପ୍ରସବ ପରେ ମୃତ୍ୟୁ ଘଟଣାରେ ହଷ୍ଟେଲ ମାଟ୍ରନ ରଂଜିତା ବେହେରା କାର୍ଯ୍ୟରୁ ନିଲମ୍ବିତ। ପ୍ରଧାନ ଶିକ୍ଷକ, ସହକାରୀ ଅଧୀକ୍ଷକ, ଏଏନ୍ଏମ୍ଙ୍କୁ କାରଣ ଦର୍ଶାଅ ନୋଟିସ୍। ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।
ସେପଟେ ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଥିବା ବେଳେ ଝିଅର ମୃତ୍ୟୁ ପାଇଁ ପ୍ରଶାସନର ବେପରୁଆ ମନୋଭାବ ଓ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାପା ଅଭିଯୋଗ କରିଛନ୍ତି, ମୃତ ଶିଶୁକୁ ଜନ୍ମ ଦେବା ପରେ ଝିଅର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା। ପରିବାର ଲୋକ ଝିଅର ଭଲମନ୍ଦ କଥା ହୋଇଥିଲେ। ହେଲେ ହଠାତ ଝିଅର ମୃତ୍ୟୁ କେମିତି ହେଲା, ତାହା ସମସ୍ତଙ୍କୁ ଚକିତ କରିଛି।
ଅନ୍ୟପଟେ ଛାତ୍ରୀର ମୃତ୍ୟୁଦେହ ଗତକାଲି ତାଙ୍କ ଗାଁରେ ପହଞ୍ଚିବା ପରେ ଅଞ୍ଚଳବାସୀ ରାତି ତମାମ ଥାନା ଆଗରେ ବସି ନ୍ୟାୟ ପ୍ରଦାନ ଦାବି କରିଥିଲେ। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମୃତଦେହ ଦାହ କରାଯାଇଥିଲା। ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଇଛି। ଆଉ ୫୦ ହଜାର ଟଙ୍କା ପରେ ପ୍ରଦାନ କରାଯିବ ବୋଲି ତୁମୁଡିବନ୍ଧ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲିକ କହିଛନ୍ତି। ଏହି ଘଟଣା ପାଇଁ ପ୍ରଶାସନ ମର୍ମାହତ ଥିବା ଓ ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ସେ କହିଛନ୍ତି।
ସୂଚନା ଥାଉକି, ଛାତ୍ରୀ ଜଣକ ବେଲଘର ଥାନା ଅଂଚଳର ଏକ ସେବାଶ୍ରମ ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ମାସ ୨୪ ତାରିଖରେ ସମ୍ପୃକ୍ତ ଛାତ୍ରୀ ଜଣକ ୪ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏ ନେଇ ସେବାଶ୍ରମ ସ୍କୁଲ କର୍ତ୍ତୃପକ୍ଷ ବେଲଘର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ବେଲଘର ପୁଲିସ ସେହି ଅଂଚଳର ଅନ୍ୟ ଏକ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖିଥିଲା। ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ପ୍ରଶାସନ ଜି.ଉଦୟଗିରି ସୁଭଦ୍ରା ମହତାବ ସେବାସଦନରେ ଥଇଥାନ କରିଥିଲା। ଏହି ସମୟରେ ସ୍ୱାସ୍ଥ୍ୟବସ୍ଥା ଖରାପ ପରେ ଛାତ୍ରୀଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ହେଲେ ୩୦ ତାରିଖରେ ଛାତ୍ରୀଙ୍କୁ ଥଇଥାନ କେନ୍ଦ୍ରକୁ ଫେରାଇ ଅଣାଯାଇଥିଲା। ଏହାପରେ ଛାତ୍ରୀଙ୍କ ପେଟ ବ୍ୟଥା ହେବା ସହ ସେ ଡାକ୍ତରଖାନାରେ ଏକ ମୃତ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଛୁଆ ଜନ୍ମ ପରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହା ପରଦିନ ଜି.ଉଦୟଗିରି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।