ଭବାନୀପାଟଣା/ନବରଙ୍ଗପୁର(ରାଜକୁମାର/ନବଘନ): ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ପାଣି ଅତିକ୍ରମ କରି ପୁଅର ନିର୍ବନ୍ଧ କରିବାକୁ ଯାଉଥିଲେ। ହେଲେ ଜଳଭଣ୍ଡାର ମଝିରେ ଅଟକିଗଲା ଲଞ୍ଚ। ପାଣି ଭିତରେ ୩ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପୁଅ ଘରର ୭ ଜଣ। ବୋଟ୍ ଆମ୍ୱୁଲାନ୍ସରେ ସେମାନଙ୍କୁ ଉଦ୍ଧାର କରିଛି।
ଗତକାଲି ଥିଲା କଳାହାଣ୍ଡି ଉପରପଙ୍ଗା ଗାଁର ହରି ହରିଜନଙ୍କ ଝିଅର ନିର୍ବନ୍ଧ। ସେଥିପାଇଁ ନବରଙ୍ଗପୁର ଜିଲ୍ଲାର ବିଜ୍ରାଗୁଡା ଗାଁର ପୁଅ ଘର ପରିବାର ଓ ବନ୍ଧୁବାନ୍ଧବ ୭ ଜଣ ଏକ ଲଞ୍ଚରେ ଇନ୍ଦ୍ରବତୀ ଜଳଭଣ୍ଡାର ଅତିକ୍ରମ କରି ଝିଅ ଘରକୁ ଯାଉଥିଲେ। ହେଲେ ମଧ୍ୟାହ୍ନରେ ହଠାତ ଜଳଭଣ୍ଡାର ମଝିରେ ଲଞ୍ଚ ଖରାପ ହୋଇଯାଇଥିଲା।
ସୂଚନାରୁ ପ୍ରକାଶ, ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଥୁଆମୂଳ-ରାମପୁର ବ୍ଲକର ଗୋଟିଏ ପଞ୍ଚାୟତ ପୋଡାପଦର ସହ ୧୭ଟି ଗାଁ ରହିଛି। ଏହି ଗାଁ ଗୁଡ଼ିକୁ ଯିବା ପାଇଁ ରାସ୍ତା ନଥିବାରୁ ଲୋକମାନଙ୍କର ଏକ ମାତ୍ର ସାହାଭରସା ଦେଶୀ ଲଞ୍ଚ। ଲୋକମାନେ ଜୀବନକୁ ବାଜି ଲଗାଇ ସେଥିରେ ଯା’ଆସ କରିଥାଆନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନର ତିଳେମାତ୍ର ନଜର ଦେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।