ସମୁଦ୍ର ଖାଇଗଲାଣି ୭ ଗାଁ, ଲୀନ ହେଉଛି ପଞ୍ଚୁବରାହୀ ମନ୍ଦିର

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ହାତେ କିମ୍ବା ପୁରୁଷେ ନୁହେଁ। ପ୍ରାୟ ୨ କିଲୋମିଟର ଅଞ୍ଚଳକୁ ବ୍ୟାପୀଥିବା ୭ଟି ଗାଁକୁ ଖାଇଗଲାଣି ସମୁଦ୍ର। ଏହି ଜନବସତିର ପାଦଚିହ୍ନ ମଧ୍ୟ ଖୋଜି ପାଇବା କଷ୍ଟ। ବିଶ୍ୱ ଜଳବାୟୁ ପରିବର୍ତ୍ତନର ବିରାଟ ପ୍ରଭାବ ଏଠାରେ ସହଜରେ ବେଶ ଅନୁଭୂତ। କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମଣ୍ଡାଇ ବ୍ଲକର ସତଭାୟା ଅଞ୍ଚଳକୁ ଦେଖିଲେ ଏହା ବେଶ ସ୍ପଷ୍ଟ। ଗାଁଗୁଡ଼ିକୁ ସମୁଦ୍ର ନିଜ ଗର୍ଭରେ ଲୀନ କରିବା ପରେ ଏଠାର ବାସିନ୍ଦା ଏବେ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର ହୋଇ […]

4

  • Published: Sunday, 05 June 2022
  • , Updated: 06 June 2022, 04:06 PM IST

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ହାତେ କିମ୍ବା ପୁରୁଷେ ନୁହେଁ। ପ୍ରାୟ ୨ କିଲୋମିଟର ଅଞ୍ଚଳକୁ ବ୍ୟାପୀଥିବା ୭ଟି ଗାଁକୁ ଖାଇଗଲାଣି ସମୁଦ୍ର। ଏହି ଜନବସତିର ପାଦଚିହ୍ନ ମଧ୍ୟ ଖୋଜି ପାଇବା କଷ୍ଟ। ବିଶ୍ୱ ଜଳବାୟୁ ପରିବର୍ତ୍ତନର ବିରାଟ ପ୍ରଭାବ ଏଠାରେ ସହଜରେ ବେଶ ଅନୁଭୂତ। କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମଣ୍ଡାଇ ବ୍ଲକର ସତଭାୟା ଅଞ୍ଚଳକୁ ଦେଖିଲେ ଏହା ବେଶ ସ୍ପଷ୍ଟ। ଗାଁଗୁଡ଼ିକୁ ସମୁଦ୍ର ନିଜ ଗର୍ଭରେ ଲୀନ କରିବା ପରେ ଏଠାର ବାସିନ୍ଦା ଏବେ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର ହୋଇ ଚାଲିଯାଇଛି। ଅଳ୍ପ କେଇଜଣ ଗରିବ ଲୋକ ସମୁଦ୍ର ଠାରୁ ୫୦୦ ମିଟର ଦୂରରେ ଥଇଥାନ ଅପେକ୍ଷାରେ ପରିବାର ସହ ଅଟକି ରହିଛନ୍ତି। ତେଣେ ଏହି ଅଞ୍ଚଳକୁ ଲାଗି ରହିଥିବା ପେଣ୍ଠ ମୌଜା ଆଡ଼କୁ ମଧ୍ୟ ସମୁଦ୍ର ମାଡ଼ି ଆସିଥିବାରୁ ଘରଦ୍ୱାର କ୍ଷୟକ୍ଷତି ନେଇ ଭୟରେ ରହିଛନ୍ତି ଅଞ୍ଚଳବାସୀ।

ଏହି ସାତଭାୟା ଅଞ୍ଚଳର ଇତିହାସ ବହନ କରୁଥିବା ପଞ୍ଚୁବରାହୀ ମନ୍ଦିର ଏବେ ସମୁଦ୍ର ଗର୍ଭରେ ଧିରେ ଧିରେ ଲିନ ହୋଇଚାଲିଛି। ଏହାଛଡ଼ା ଗାଁମାନଙ୍କରେ ଲୋକଙ୍କୁ ପାନୀୟଜଳ ଯୋଗାଉଥିବା କିଛି ନଳକୂଳ ମଧ୍ୟ ସମୁଦ୍ର ଆଁରେ ତାର ଅସ୍ତିତ୍ୱ ହରାଇବାରେ ଲାଗିଛି। ଫଳରେ ଆଉ କିଛିଦିନ ପରେ ସାତଭାୟା ଗାଁର ଏହି ଚିହ୍ନବର୍ଣ୍ଣ ମଧ୍ୟ ନିଶ୍ଚିନ୍ନ ହୋଇଯିବ।

[caption id="attachment_739266" align="aligncenter" width="880"] ବାଲିବନ୍ତ ଓ ଜଙ୍ଗଲ ଭସାଇ ନେଉଛି ସମୁଦ୍ର।[/caption]

ପେଣ୍ଠ ଅଞ୍ଚଳବାସୀଙ୍କ ସୁରକ୍ଷା ନିମନ୍ତେ ତଥା ଏଠାରେ ସମୁଦ୍ରକୁ ଅଟକାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ନିକଟରେ ଖାଇଚାଲିଥିବା ସମୁଦ୍ରକୂଳରେ କରାଯାଇଛି ବିଶାଳ ଜିଓ ଟ୍ୟୁବ କାନ୍ଥ। ଏହି କାନ୍ଥରେ ମାଡ଼ ହୋଇ ଭିତରକୁ ଫେରି ଯାଉଛି ସମୁଦ୍ରର ବିଶାଳ ଢେଉ। ଫଳରେ ସମୁଦ୍ର ଭୂ-ଭାଗ ଆଡ଼କୁ ସିନା ଆଗେଇ ଆସିପାରୁନି, ହେଲେ ବେଳକୁ ବେଳ ଢେଉର ତୀବ୍ରତା ବଢ଼ିବାରେ ଲାଗିଛି। ଯାହାକୁ ଦେଖି ଅଞ୍ଚଳବାସୀ ଚିନ୍ତାରେ ପଡ଼ିଛନ୍ତି।

[caption id="attachment_739269" align="alignnone" width="879"] ପେଣ୍ଠ ଅଞ୍ଚଳର ସୁରକ୍ଷା ନିମନ୍ତେ ହୋଇଥିବା ପଥର ବନ୍ଧରେ ମାଡ଼ ହେଉଛି ସମୁଦ୍ର ଢେଉ।[/caption]

ଏନେଇ ସ୍ଥାନୀୟ ପେଣ୍ଠ ମୌଜାର ୭୦ ବର୍ଷିୟ ଶରତ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ୫ବର୍ଷ ତଳେ ସମୁଦ୍ର ପ୍ରାୟ ୨ କିଲୋମିଟର ଦୂରରେ ଥିଲା। ଗୋଟିଏ ନଦୀ ଓ ଏହା ପରେ ଥିବା ଜଙ୍ଗଲ ଡେଇଁବା ପରେ ସମୁଦ୍ର କୂଳ ରହିଥିଲା। ସେ ମଧ୍ୟ ସମୁଦ୍ର କୂଳକୁ ଯିବାକୁ ହେଲେ ନଦୀ ଓ ଜଙ୍ଗଲକୁ ପାର କରୁଥିଲେ। ସମୁଦ୍ରପାଣି ଧିରେ ଧିରେ ମାଡ଼ି ଆସିଲା। ଜଙ୍ଗଲ ସହ ଭୂ-ଭାଗକୁ ଭସାଇ ନେଲା। ବିଶ୍ୱତାପନ ବୃଦ୍ଧି ଯୋଗୁ ସମୁଦ୍ର ଏଭଳି ମାଡ଼ି ଆସୁଥିବା ଅନୁମାନ ହେଉଛି। ବାତ୍ୟା, ବନ୍ୟା ପ୍ରାୟତଃ ଏହି ଅଞ୍ଚଳକୁ ଲାଗି ରହୁଛି।  ବରୁଣେଇ ପାର୍ଶ୍ୱରେ ଥିବା ଜଙ୍ଗଲ ସମୁଦ୍ରକୁ ଅଟକାଇ ରଖିଛି। ହେଲେ ସାତାଭାୟା ପଟେ ଜଙ୍ଗଲ ନ ଥିବାରୁ ସମୁଦ୍ର ମାଡ଼ି ଆସୁଛି। ପେଣ୍ଠ ଅଞ୍ଚଳର ସୁରକ୍ଷା ନିମନ୍ତେ ପ୍ରଶାସନ ଜିଓ ଟ୍ୟୁବ ପଥର ବନ୍ଧ କରିବା ପରେ ଏହି ଅଞ୍ଚଳ ସୁରକ୍ଷିତ ଥିବା ଲାଗୁଛି। ହେଲେ ଏହା କେତେ ଦିନ ଦେଖିବାର କଥା।

ସମୁଦ୍ର ମାଡ଼ି ଆସିବା ଯୋଗୁ ସାତଭାୟା ଗାଁ ଛାଡ଼ି କିଛି ଦୂରକୁ ପଳାଇ ଥିବା ବିଦୁଭୂଷଣ ରାଉତ, ଜଗବନ୍ଧୁ ବେହେରା, ପ୍ରଭାକର ବେହେରା ପ୍ରମୁଖ ଥଇଥାନ ଅପେକ୍ଷାରେ ପରିବାର ଧରି ପଡ଼ି ରହିଥିବା ପ୍ରକାଶ କରିଛନ୍ତି। ସମୁଦ୍ର ଯେଉଁ ଗତିରେ ଆଗକୁ ବଢ଼ୁଛି ତୁରନ୍ତ ସେମାନଙ୍କୁ ଥଇଥାନ ନ କରାଗଲେ ରହୁଥିବା ଘର ମଧ୍ୟ ଭାସି ଯିବ ବୋଲି ସେମାନେ କହିଛନ୍ତି।

Related story