ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କେତେ କୃଷି ଜମିକୁ ଜଳସେଚନ ସୁବିଧା ମିଳିଛି ତାହା ଏବେ ସବୁଠୁ ବଡ଼ ପ୍ରହେଳିକା ପାଲଟିଛି। ଜଳସେଚନ ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ବଜେଟ୍ ବ୍ୟୟବରାଦ କରୁଥିବା ରାଜ୍ୟ ସରକାର ୪୨.୧୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିବା କହୁଥିବାବେଳେ ସଦ୍ୟ ପ୍ରକାଶିତ ରାଜ୍ୟ ପରିସଂଖ୍ୟାନ ଓ ଅର୍ଥନୀତି ନିର୍ଦ୍ଦେଶାଳୟ ପକ୍ଷରୁ ଚଳିତ ମାସରେ ପ୍ରକାଶିତ ରାଜ୍ୟ କୃଷି ଗଣନା ରିପୋର୍ଟ ଏହି ମିଛକୁ ପଦାରେ ପକାଇ ଦେଇଛି। ରାଜ୍ୟରେ ମୋଟ କୃଷିଜମିର ମାତ୍ର ୨୭.୨୫% ଜମିକୁ ଜଳସେଚନ ସୁବିଧା ରହିଛି, ଯାହାର ପରିମାଣ ୧୧.୭୯ଲକ୍ଷ ହେକ୍ଟର ବୋଲି ଏହି ରିପୋର୍ଟ ଦର୍ଶାଇଛି।
ଚଳିତ ମାସରେ ପ୍ରକାଶିତ ରାଜ୍ୟ କୃଷି ଗଣନା ରିପୋର୍ଟ ୨୦୧୫-୧୬ ଅନୁସାରେ ରାଜ୍ୟରେ ମୋଟ ୫୧.୮୩ଲକ୍ଷ ହେକ୍ଟର ଚାଷଜମି ରହିଛି। ଯେଉଁଥିରୁ ୨.୬୭ଲକ୍ଷ ହେକ୍ଟର ଜମି ପଡ଼ିଆ ରହୁଥିବାବେଳେ ୪୩.୨୯ଲକ୍ଷ ହେକ୍ଟର ଜମିରେ ଚାଷ ହେଉଛି। ତେବେ ଚାଷ ହେଉଥିବା ଏହି ଜମିରୁ ମାତ୍ର ୧୧.୭୯ଲକ୍ଷ ହେକ୍ଟର ଜମି(୨୭.୨୫%)କୁ ଜଳସେଚନ ସୁବିଧା ଥିବାବେଳେ ବାକି ୩୧.୪୯ଲକ୍ଷ ହେକ୍ଟର ଜମି(୭୨.୭୫%)କୁ ଜଳସେଚନ ସୁବିଧା ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେତିକି ଜମିକୁ ଜଳସେଚନ ସୁବିଧା ଦିଆଯାଇଛି ସେଥିରେ ୫୮.୩୦% ଜମି ବଡ଼ ଚାଷୀଙ୍କ ମାଲିକାନାରେ ଥିବାବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ମାଲିକାନାରେ ମାତ୍ର ୫୪.୭୪% ଜମି ରହିଛି।
ଏହି ମୋଟ ଚାଷ ଜମି ମଧ୍ୟରୁ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ମାଲିକାନାରେ ୫.୪୮ଲକ୍ଷ ହେକ୍ଟର ଜମି ଥିବାବେଳେ ଅନୁସୂଚିତ ଜନଜାତି ବର୍ଗର ଲୋକ ୧୫.୩୮ଲକ୍ଷ ହେକ୍ଟର ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ମାଲିକାନାରେ ୨୪.୯୯ଲକ୍ଷ ହେକ୍ଟର ଜମି ରହିଛି। ୨୦୧୦-୧୧ କୃଷି ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ଚାଷ ଜମି ୪୮.୫୨ ଲକ୍ଷ ହେକ୍ଟର ଥିବାବେଳେ ୨୦୧୫-୧୬ ରିପୋର୍ଟରେ ଏହା ୪୬.୧୯ଲକ୍ଷ ହେକ୍ଟର ଜମିକୁ ହ୍ରାସ ପାଇଛି। ରାଜ୍ୟରେ ମାତ୍ର ୪.୦୬ ପ୍ରତିଶତ ଜମିର ମାଲିକାନା ସତ୍ତ୍ୱ ୧.୯୭ଲକ୍ଷ ଜଣ ମହିଳାଙ୍କ ନାଁରେ ରହିଛି।
ଅନ୍ୟପକ୍ଷରେ ଗତ ୨୧ତାରିଖରେ ବିଧାନସଭାରେ ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ, ରାଜ୍ୟରେ ମୋଟ ୬୧.୮୦ଲକ୍ଷ ହେକ୍ଟର କୃଷି ଉପଯୋଗୀ ଜମି ରହିଛି। ସେଥିରୁ ୪୨.୧୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯାଇଛି । ବାକି ୧୯.୬୨ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ନାହିଁ। ଏବେ ବିଭିନ୍ନ ଯୋଜନାରେ ୬.୨୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବାର ବ୍ୟବସ୍ଥା ହେଉଛି।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ଜଳସେଚନ ସ୍ଥିତିକୁ ନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ସତ ନା ରାଜ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ସଦ୍ୟ ପ୍ରକାଶିତ ୫ବର୍ଷିଆ ରିପୋର୍ଟ ସତ। ଉଭୟ ତଥ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ କରାଯାଉଥିବାବେଳେ ସାଧାରଣ ଲୋକେ କାହାର ତଥ୍ୟକୁ ବିଶ୍ୱାସକୁ ନେବେ। ଜଳସେଚନକୁ ନେଇ ସରକାର ନିଜର ଆଭିମୁଖ୍ୟ ତଥା ସ୍ଥିତି ସ୍ପଷ୍ଟ କରିବା ଉଚିତ୍ ବୋଲି ସାଧାରଣରେ ଦାବି ହେଉଛି।