ପୁରୀ (ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ଲିଫ୍ଟରେ ଫସିଗଲେ ୮ ଜଣ ଆଇନଜୀବୀ। ପ୍ରାୟ ୨୦ ମିନିଟ୍ ଧରି ସେମାନେ ଲିଫ୍ଟ ଭିତରେ ଫସି ଯାଇଥିଲେ। ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲାପାଳଙ୍କ ଅଫିସ୍ରେ।
ପୁରୀବାସୀଙ୍କ ପାଇଁ ପୂର୍ବଭଳି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ରଖିବା ତଥା ଅନ୍ୟ କିଛି ଦାବିରେ ପୁରୀ ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାମାନେ ଏକ ଦାବିପତ୍ର ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେମାନେ ଜିଲ୍ଲାପାଳଙ୍କୁ ଭେଟି ଫେରୁଥିବା ବେଳେ ଲିଫ୍ଟ ଭିତରେ ଫସି ଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। କେହି କେହି ସେତେବେଳକୁ ଅଣନିଃଶ୍ୱାସୀ ଅନୁଭବ କରୁଥିଲେ ବୋଲି ଅଭିଯୋଗ ହୋଇଛି।
ପ୍ରଶାସନିକ ଅବହେଳା ଓ ନିମ୍ନମାନର ଲିଫ୍ଟଯୋଗୁ ଏଭଳି ଏକ ଘଟଣା ଘଟିଥିଲା ବୋଲି ଏହି ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଟେକ୍ନିକାଲ୍ ଇଞ୍ଜିନିୟରଙ୍କ ପାଖରେ ଲିଫ୍ଟର ଚାବି ଥିଲା। କିନ୍ତୁ ସେ ଲିଫ୍ଟ ଖୋଲିବା ପାଇଁ ଉଦ୍ୟମ କରି ନଥିଲେ। ଅନ୍ୟପକ୍ଷରେ ଉପଜିଲ୍ଲାପାଳ କହିଛନ୍ତି ଯେ ଆଗାମୀ ଦିନରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନଘଟିବ, ତା’ ଉପରେ ଧ୍ୟାନ ଦିଆଯିବ।
ରାଜରାସ୍ତାକୁ ଓହ୍ଲାଇବାକୁ ଓକିଲଙ୍କ ଚେତାବନୀ
ସଂଘ ପକ୍ଷରୁ ଆହୁରି କୁହାଯାଇଛି, ବଡ଼ଦାଣ୍ଡ ଜାତୀୟ ରାଜପଥ ମାନ୍ୟତା ପାଇଛି। କିନ୍ତୁ ଶୃଙ୍ଖଳିତ ଦର୍ଶନ ନାଁରେ ପ୍ରଶାସନ ତାହାକୁ ଅବରୋଧ କରି ସେଠାରେ ଲମ୍ବା ବ୍ୟାରିକେଡ ସହ ଅସ୍ଥାୟୀ ଶେଡ୍ ନିର୍ମାଣ କରିଛି। ଏହା ଆଇନ ବିରୋଧୀ। ସେହିପରି ଟାଟା ପାୱାର ଲିମିଟେଡ଼ର ଗ୍ରାହକ ମାରଣ ନୀତିକୁ ସଂଘ ସମାଲୋଚନା କରିଛି।
ଏସବୁ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ଓକିଲ ସଂଘ ୧୫ ଦିନ ମହଲତ ଦେଇଛି। ୧୫ ଦିନ ମଧ୍ୟରେ ପ୍ରଶାସନ ପଦକ୍ଷେପ ନନେଲେ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଅନ୍ୟପକ୍ଷରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।