ରାସୋଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା: ବନ୍ଧା ହେଲେ ୯, ମିଳିଲା ପୁଳା ପୁଳା ଟଙ୍କା, ସୁନା

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଗତ ୧୨ ତାରିଖରେ ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ  ବଡ଼ ଧରଣର ଡକାୟତି ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟଙ୍କା ଓ ସୁନା ଜବତ କରିବାରେ ସଫଳ ହୋଇଛି ପୁଲିସ୍‌। ଏହି ଡକାୟତି ଘଟଣାରେ ସମୁଦାୟ ୧୧ ଡକାୟତ ସମ୍ପୃକ୍ତ ଥିବା ବେଳେ ପ୍ରାୟ ୭ କେଜି ସୁନା ଓ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଲୁଟ୍‌ ସାମଗ୍ରୀରୁ ଅଧିକାଂଶ ପୁଲିସ୍‌ ଜବତ କରିଥିବା […]

arrest

Niharika Rout
  • Published: Monday, 17 January 2022
  • , Updated: 17 January 2022, 01:11 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଗତ ୧୨ ତାରିଖରେ ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ  ବଡ଼ ଧରଣର ଡକାୟତି ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟଙ୍କା ଓ ସୁନା ଜବତ କରିବାରେ ସଫଳ ହୋଇଛି ପୁଲିସ୍‌। ଏହି ଡକାୟତି ଘଟଣାରେ ସମୁଦାୟ ୧୧ ଡକାୟତ ସମ୍ପୃକ୍ତ ଥିବା ବେଳେ ପ୍ରାୟ ୭ କେଜି ସୁନା ଓ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଲୁଟ୍‌ ସାମଗ୍ରୀରୁ ଅଧିକାଂଶ ପୁଲିସ୍‌ ଜବତ କରିଥିବା ବେଳେ ସମୁଦାୟ ୯ ଜଣଙ୍କୁ ଧରିବାରେ ସଫଳ ହୋଇଛି।

ଗତ ୧୨ତାରିଖରେ ୪ ଜଣ ମୁଖା ପିନ୍ଧା ଡକାୟତ ରାସୋଳ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପଶିଥିଲେ। ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଷ୍ଟ୍ରଙ୍ଗ ରୁମରୁ କୋଟି କୋଟି ଟଙ୍କାର ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଧରି ଛୁ ମାରିଥିଲେ। ଘଟଣାରେ ମୋଟ ଛଅ ଡକାୟତ ସିଧାସଳଖ ସାମିଲ ଥିବା ବେଳେ ସେମାନଙ୍କୁ ସହଯୋଗ କରିଥିଲେ ଆଉ ୫ ଜଣ।

ଏନେଇ ଖବର ପାଇବା ପରେ ସମଗ୍ର ସହରକୁ ନାକାବନ୍ଦୀ କରି ତଲାସୀ ଆରମ୍ଭ କରିଥିଲା ପୁଲିସ୍‌।  ଘଟଣାର ତିନି ଘଣ୍ଟା ଭିତରେ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟରୁ ପ୍ରଥମେ ପାଞ୍ଚ ଜଣଙ୍କୁ କାବୁ କରିଥିଲା ପୁଲିସ। ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କର ଆଉ ୪ ସହଯୋଗୀମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୁଲିସ।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ପ୍ରାୟ ୭ କେଜି ପାଖାପାଖି ଅଳଙ୍କାର ଲୁଟି ନେଇଥିବା ବେଳେ ୫ କେଜି ୩୫୮ଗ୍ରାମ ସୁନାଗହଣା ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଉର୍ଦ୍ଧ୍ୱ ହେବ। ଏହାବାଦ ୧୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ବେଳେ ସେଥିମଧ୍ୟରୁ ୧୧ ଲକ୍ଷ ୫୫ହଜାର ଟଙ୍କା ମଧ୍ୟ ଜବତ କରିଛି ପୁଲିସ। ଦୁଇଟି ବାଇକ୍‌, ଗୋଟିଏ ସ୍କୁଟି ଓ ଗୋଟିଏ କାର୍‌ ଜବତ କରାଯାଇଛି। ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି।

ଢେଙ୍କାନାଳ ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. କହିଛନ୍ତି,  ଏହି ଘଟଣାରେ ସମୁଦାୟ ୯ ଜଣ ଗିରଫ କରାଯାଇଛି। ସେମାନେ ପ୍ରାୟତଃ ଆନ୍ତଃଜିଲ୍ଲା ଡକାୟତ।

Related story