ଦିନକ ପରେ ଲାଗିବ ଯୋଗ୍ୟ ହିତାଧିକାରୀ ତାଲିକା, ଏବେଠୁ ତୁତୁ ମେମେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ତିନି ବର୍ଷ କାଳ କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଏବେ ରାଜ୍ୟର ପ୍ରାୟ ସାଢେ ୯ ଲକ୍ଷରୁ ଅଧିକ ହିତାଧିକାରୀ ପାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ। ଆଉ ମାତ୍ର ଦିନକ ପରେ ଲାଗିବ ଯୋଗ୍ୟ ହିତାଧିକାରୀ ତାଲିକା। ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ହିତାଧିକାରୀ ଏବଂ ଫନି ପାଇଁ ସ୍ୱତନ୍ତ୍ର ଭାବେ ୧ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଘର ଦେବାକୁ ମଂଜୁରି ଦେଇଛି କେନ୍ଦ୍ର। ହେଲେ କେମିତି ହେବ ଏ […]

nmb

  • Published: Saturday, 14 January 2023
  • , Updated: 14 January 2023, 08:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ତିନି ବର୍ଷ କାଳ କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଏବେ ରାଜ୍ୟର ପ୍ରାୟ ସାଢେ ୯ ଲକ୍ଷରୁ ଅଧିକ ହିତାଧିକାରୀ ପାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ। ଆଉ ମାତ୍ର ଦିନକ ପରେ ଲାଗିବ ଯୋଗ୍ୟ ହିତାଧିକାରୀ ତାଲିକା। ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ହିତାଧିକାରୀ ଏବଂ ଫନି ପାଇଁ ସ୍ୱତନ୍ତ୍ର ଭାବେ ୧ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଘର ଦେବାକୁ ମଂଜୁରି ଦେଇଛି କେନ୍ଦ୍ର। ହେଲେ କେମିତି ହେବ ଏ ଆବଣ୍ଟନ? କେଉଁ ଆଧାରରେ ଚୟନ ହେବେ ହିତାଧିକାରୀ ? ପୂର୍ବଭଳି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ବିଜେଡି କର୍ମୀଙ୍କୁ ଦିଆଯିବନି ତ ଘର? ଏସବୁ ପ୍ରଶ୍ନ ଭିତରେ ଆବାସ ବାଣ୍ଟିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଆରମ୍ଭ ହୋଇଛି ତୁତୁ ମେମେ।

ଆସନ୍ତା ୧୬ରୁ ୨୪ ତାରିଖ ଭିତରେ ପ୍ରତି ଗ୍ରାମ ପଂଚାୟତ, ସ୍କୁଲ୍, ଅଙ୍ଗନଓ୍ୱାଡି ସେଣ୍ଟର ଓ ପ୍ରମୁଖ ସ୍ଥାନଗୁଡ଼ିକରେ ଚିଠା ତାଲିକା ଲଗାଯିବ। କାହାର କିଛି ଆପତ୍ତି ଥିଲେ ସେମାନେ ଏସଂପର୍କିତ ଅଭିଯୋଗ ବାକ୍ସରେ ଅଭିଯୋଗ ପକାଇ ପାରିବେ। ପ୍ରତି ପଂଚାୟତ ପାଇଁ ୩ ଜଣିଆ କମିଟି ରହି ଏସବୁ କାର୍ଯ୍ୟକୁ ତଦାରଖ କରିବେ। ତେବେ ଆପତ୍ତି ଅଭିଯୋଗ ଉପରେ ସ୍ୱତନ୍ତ୍ର ଭାବେ ଗ୍ରାମସଭା ବସି ହିତାଧିକାରୀଙ୍କ ତାଲିକା ଚୂଡାନ୍ତ ହେବା ପରେ ଓ୍ୱାର୍କ ଅଡର୍ ଦିଆଯିବ। ଅନ୍ୟପଟେ ବିଜେପି ଚେତାବନୀ ଦେଇଛିି, ଏଥର ବି ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ, ତାହେଲେ ବ୍ଲକ୍ ଅଫିସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦିଆଯିବ।

ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଗତମାସ ୨୦ ତାରିଖରୁ ପକ୍କାଘର ପ୍ରଦାନ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ମରାଯିବା କଥା ଏବଂ ଗତମାସ ୩୧ ତାରିଖ ସୁଦ୍ଧା କାର୍ଯ୍ୟାଦେଶ ଦିଆଯିବାକୁ ସମୟ ନିର୍ଦ୍ଧାରିତ ହୋଇଥିଲା। ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ବିଳମ୍ବିତ କରିଛନ୍ତି। ଆସନ୍ତାକାଲି ଠାରୁ ଏହି ତାଲିକା ମାରିବାକୁ ଏବେ ପଦକ୍ଷେପ ନେଇଛନ୍ତି। ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ପକ୍କାଘର ପାଉଛନ୍ତି ଓ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ୁଛନ୍ତି ତେବେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ। ସବୁ ବ୍ଲକ ଅଫିସ୍‌କୁ ତାଲା ପକାଇ ଦିଆଯିବ। ଏମିତି ବ୍ଲକ କାର୍ଯ୍ୟାଳୟ ଆମର ଆବଶ୍ୟକ ନାହିଁ।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପକ୍କାଘର କାର୍ଯ୍ୟାଦେଶ ବଣ୍ଟନରେ ସରକାର ସ୍ୱଚ୍ଛତା ରକ୍ଷା କରିବା ନିମନ୍ତେ ଗାଇଡ୍‌ ଲାଇନ୍ କରିଛନ୍ତି। ମାତ୍ର ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାର ପକ୍କାଘର କାର୍ଯ୍ୟାଦେଶ ଦେବା ନିମନ୍ତେ ବିଭାଗୀୟ ୱେବ୍‌ସାଇଟ୍‌କୁ ଖୋଲୁ ନାହାନ୍ତି। ହେଲେ ସେପଟେ କହୁଛନ୍ତି ଆମେ ଦେଇଦେଲୁ। ଯେମିତି ଚାଉଳକୁ ନେଇ ରାଜନୀତି କରାଯାଉଛି, ଠିକ୍‌ ସେମିତି ପକ୍କାଘର ପ୍ରଦାନକୁ ନେଇ କେନ୍ଦ୍ର ସରକାର ଅଯଥା ରାଜନୀତି କରୁଛନ୍ତି।

ସେପଟେ ଜଣାପଡ଼େ ଗ୍ରାମାଞ୍ଚଳରେ ବସବାସ କରୁଥିବା ୧୨ ଲକ୍ଷରୁ ଅଧିକ ପରିବାର ଏବେ ବି ପକ୍କାଘର ଖଣ୍ଡେ ପାଇବାକୁ ଅପେକ୍ଷା କରି ବସିଛନ୍ତି। ଅର୍ଥ ଅଭାବରୁ ସେମାନେ କଚ୍ଚା ଘରେ ବିପଦପୂର୍ଣ୍ଣ ଜୀବନ ବିତାଉଛନ୍ତି।

ମାସକ ତଳେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ୍ ଦେଇଥିବା ଉତ୍ତରରୁ ଜଣାପଡ଼େ ରାଜ୍ୟ ସରକାର ଆଉ ୧୨.୨୪ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ଚିହ୍ନଟ କରିଛନ୍ତି । ଏବାବଦରେ ୧୫,୫୪୫କୋଟି ଟଙ୍କା ବ୍ୟୟ ଅଟକଳର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସର୍ବାଧିକ ୧.୬୪ଲକ୍ଷ ଘର ମୟୂରଭଞ୍ଜ ଜିଲ୍ଲାକୁ ଓ ସର୍ବନିମ୍ନ ୧୪୪୬ଟି ଘର ଦେବଗଡ଼କୁ ଆବଂଟନ ପାଇଁ ଚିହ୍ନଟ ହୋଇଛି।

ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ରାଜ୍ୟରେ ଗତ ୨୦୧୪-୧୫ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ମୋଟ ୩୧.୩୯ ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ଏହି ୯ବର୍ଷ ମଧ୍ୟରେ ମୋଟ ୩୧ଲକ୍ଷ ୩୯ହଜାର ୮୦୪ଟି ପକ୍କାଘର ଗ୍ରାମାଂଚଳରେ ନିର୍ମାଣ ହୋଇଥିବାବେଳେ ଏଥିରେ ବିଜୁ ପକ୍କାଘର ଯୋଜନାରେ ମାତ୍ର ୩ଲକ୍ଷ ୧୬ହଜାର ୪୭ଟି ଘର ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଓ ଇନ୍ଦିରା ଆବାସ ଯୋଜନାରେ ପ୍ରାୟ ୨୭.୭୦ଲକ୍ଷ ଘର ନିର୍ମାଣ ହୋଇଛି।

ସେହିପରି ରାଜ୍ୟର ବିଭିନ୍ନ ପୌରାଂଚଳରେ ବାସହୀନ ପରିବାରକୁ ପକ୍କାଘର ଯୋଗାଇବା ସମ୍ପର୍କରେ ରାଜ୍ୟ ଗୃହନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଥିଲେ, ୨୦୧୭-୧୮ ଆର୍ଥିକ ବର୍ଷରେ ହୋଇଥିବା ସମସ୍ତଙ୍କୁ ବାସଘର ସର୍ଭେ ଅନୁସାରେ ଓଡ଼ିଶାର ସମସ୍ତ ପୌରାଂଚଳରେ ମୋଟ ୩ଲକ୍ଷ ୫୩ହଜାର ୧୮୨ଟି ବାସହୀନ ପରିବାର ତଥା ପକ୍କାଘର ନଥିବା ପରିବାରକୁ ଚିହ୍ନଟ କରାଯାଇଥିଲା । ଗତ ୧୨ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଏପର୍ଯ୍ୟନ୍ତ ମୋଟ ୨ଲକ୍ଷ ୧୫ହଜାର ୧୬୪ଟି ବାସହୀନ ପରିବାରକୁ ବାସଗୃହ ଯୋଗାଇ ଦେବାକୁ ସରକାର ମଞ୍ଜୁରୀ ଦେଇ ସାରିଛନ୍ତି । ଏବାବଦରେ ମୋଟ ୨୮୪୬ କୋଟି ଟଙ୍କା ବ୍ୟୟ ହୋଇଛି।

Related story