ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଭୀମଭୋଇ ମେଡିକାଲରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଲାଗିରହିଛି ଉତ୍ତେଜନା । ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିବା ପରେ ମେଡିକାଲ ପରିସରରେ ଘଟାଇଥିଲେ ତୁମୁଳ କାଣ୍ଡ।
ଏହି ଘଟଣାରେ ପୁଲିସ୍ ମୃତକଙ୍କ ୧୦ ଜଣ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମୃତକଙ୍କ ପରିବାର ଓ ସମ୍ପର୍କୀୟ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବାରୁ ୩ ଦିନ ହେଲାଣି ଶବ ସଂରକ୍ଷଣ ଗୃହରେ ପଡ଼ିରହିଛି ମୃତଦେହ । ପରିବାରର ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ଛାଡ଼ିବା ପରେ ମୃତଦେହ ନିଆଯିବ ବୋଲି ଜିଦ୍ ଧରିଛନ୍ତି ପରିବାର ଲୋକ ।
ଅପରପକ୍ଷେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ନିବେଦନ କ୍ରମେ ପୁଲିସ୍ ଗିରଫ ବ୍ୟକ୍ତିଙ୍କ ବିରୋଧରେ ଲାଗିଥିବା ଦଫାକୁ କୋହଳ କରିଥିବା ସୂଚନା ମିଳିଛି । ଏହାପରେ ବି ମେଡ଼ିକାଲ୍ ପରିସରରେ ଚାପା ଉତ୍ତେଜନା ଲାଗିରହିବା ସହ ଶବ ସଂରକ୍ଷଣ ଗୃହରେ ପଡ଼ିରହିଛି ମୃତଦେହ ।
ସୂଚନାଯୋଗ୍ୟ, ବଲାଙ୍ଗିର ଭୁର୍ସିପାଲି ଗାଁର ମିଟୁ ବେହେରା ନାମକ ଜଣେ ଯୁବକଙ୍କ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଓ ସଂର୍ପକୀୟ ହସ୍ପିଟାଲ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଡାକ୍ତର ଓ ନର୍ସଙ୍କୁ ମାରପିଟ କରିଥିଲେ ।
ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏହି ଘଟଣାରେ ପୁଲିସ୍ ମୃତକଙ୍କ ୧୦ ଜଣ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।