କରଞ୍ଜିଆ (ଦୀପକ କୁମାର ମହାନ୍ତ): ସ୍କୁଲରେ ପଶି ପ୍ରଧାନଶିକ୍ଷକଙ୍କୁ ଠେଙ୍ଗାରେ ପିଟିଲା ନିଶାଶକ୍ତ ଯୁବକ। ଠେଙ୍ଗା ମାଡ଼ରେ ଶିକ୍ଷକଙ୍କ ମୁଣ୍ଡ ଫାଟିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ଉନ୍ମତ ଯୁବକକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି ଗାଁ ଲୋକେ।
ଆଜି ଶୁକୃଳି ବ୍ଲକ ଦେଉଳି ଗାଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ରରୁଆଁ ପୁଲିସ ଏହି ନିଶାଶକ୍ତ ଯୁବକକୁ ଥାନାକୁ ନେବା ସହ ଘଟଣାର ତଦନ୍ତ କରୁଛି। ଏହି ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଗୋଗନ ନାୟକ ବୋଲି ଜଣାପଡ଼ିଛି। ଆହତ ପ୍ରଧାନଶିକ୍ଷକଙ୍କ ନାଁ ଶିବଶଙ୍କର ନାୟକ।
ସୂଚନା ମୁତାବକ, ଅପରାହ୍ନରେ ସ୍କୁଲର ଖେଳ ଛୁଟି ହୋଇଥିଲା। ଏହି ସମୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶିବଶଙ୍କର ନାୟକ ସ୍କୁଲରେ ନିଜ ପ୍ରକୋଷ୍ଠରେ ବସିଥିଲେ। ସେତେବେଳେ ଗୋଗନ ସେଠାରେ ପହଞ୍ଚି କାହିଁକି ବସିଛ କହି ଖରାପ ଭାଷାରେ ପ୍ରଧାନଶିକ୍ଷକଙ୍କୁ ଗାଳି କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲା। ମଦ୍ୟପର ଠେଙ୍ଗା ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା ଓ ସେ ନିସ୍ତେଜ ହୋଇ ତଳେ ପଡ଼ିଯାଇଥିଲେ। ଏହା ପରେ ଗଗନ ଅନ୍ୟ ଶିକ୍ଷକମାନଙ୍କୁ ମାରିବାକୁ ଗୋଡ଼ାଇଥିଲା। ଶିକ୍ଷକମାନେ ପ୍ରାଣବିକଳରେ ସ୍କୁଲରୁ ଖସି ଯାଇ ଗାଁ ଲୋକଙ୍କ ସହାୟତା ମାଗିଥିଲେ।
ଗାଁ ଲୋକେ ପହଞ୍ଚି ଗଗନକୁ କାବୁ କରିଥିଲେ। ପରେ ଆହତ ଶିକ୍ଷକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ।
ପ୍ରଧାନଶିକ୍ଷକ ଶିବଶଙ୍କର ନାୟକ କହିଛନ୍ତି ଯେ, ସେ ବସି ଥିବା ବେଳେ ହଠାତ୍ ଅଜଣା ଲୋକଟି ନିଶାଶକ୍ତ ଅବସ୍ଥାରେ ପଶି ଆସିଥିଲା। ତୁମେ ମାନେ କାହିଁକି ବସିଛ ବୋଲି ପଚାରିଥିଲା। ପରେ ଖରାପ ଭାଷାରେ ଗାଳିମନ୍ଦ କରିଥିଲା ଏବଂ ରୁହ ତୁମର ଅବସ୍ଥା କ’ଣ କରୁଛି ବୋଲି କହି ଏକ ଠେଙ୍ଗା ଆଣି ଆକ୍ରମଣ କରିଥିଲା। ଠେଙ୍ଗା ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା।