ପୁଲିସ୍‌ ହେପାଜତରେ ଯୁବକଙ୍କ ମୃତ୍ୟୁ! ବରଗଡ଼ରେ ତୁମୁଳକାଣ୍ଡ

ବରଗଡ଼ (ଦୀପକ ଶର୍ମା): ଏକ ପୁରୁଣା ମାମଲାରେ ବରଗଡ଼ ଟାଉନ୍‌ ଥାନା ପୁଲିସ୍ ଜଣେ ଯୁବକଙ୍କୁ ରାତି ଅଧିଆ ଉଠାଇ ନେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ୍ ହେପାଜତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ଆଜି ରଣକ୍ଷେତ୍ର ପାଲଟିଛି ବରଗଡ଼ ଡାକ୍ତରଖାନା ଓ ଗାନ୍ଧି ଛକ। ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ଉତ୍ତ୍ୟକ୍ତ ଲୋକେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ଲାଠିଚାର୍ଜ ମଧ୍ୟ କରିଛି। ଜୁଲାଇ ମାସରେ […]

Bargarh

Manoranjan Sial
  • Published: Saturday, 25 September 2021
  • , Updated: 25 September 2021, 06:33 PM IST

ବରଗଡ଼ (ଦୀପକ ଶର୍ମା): ଏକ ପୁରୁଣା ମାମଲାରେ ବରଗଡ଼ ଟାଉନ୍‌ ଥାନା ପୁଲିସ୍ ଜଣେ ଯୁବକଙ୍କୁ ରାତି ଅଧିଆ ଉଠାଇ ନେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ୍ ହେପାଜତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ଆଜି ରଣକ୍ଷେତ୍ର ପାଲଟିଛି ବରଗଡ଼ ଡାକ୍ତରଖାନା ଓ ଗାନ୍ଧି ଛକ। ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ଉତ୍ତ୍ୟକ୍ତ ଲୋକେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ଲାଠିଚାର୍ଜ ମଧ୍ୟ କରିଛି।

ଜୁଲାଇ ମାସରେ ଘଟିଥିବା ଏକ ମାରପିଟ୍‌ ମାମଲାରେ ଟାଉନ ଥାନା ପୁଲିସ ତୋରା ଗାଁର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦଙ୍କୁ ଶୁକ୍ରବାର ରାତିରେ ଉଠାଇ ନେଇଥିଲା। ଆଜି ଭୋରରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଛନ୍ତି।

ଗୋବିନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମେଡିକାଲ୍‌ରେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିଲେ। ଗୋବିନ୍ଦଙ୍କୁ ପୁଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏବେ ଘଟଣାକୁ ଚପାଇ ଦେବା ପାଇଁ ପୁଲିସ ଉଦ୍ୟମ କରୁଥିବା ଗୋବିନ୍ଦଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ପୁଲିସ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଗୋବିନ୍ଦଙ୍କ ଭାଇ ଜିତେନ୍ କୁମ୍ଭାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସାତ ମହଲା କୋଠା ଉପରକୁ ଚଢ଼ି ସେଠାରୁ ଡେଇଁ ଆତ୍ମହତ୍ୟା ଧମକ ଦେଇଥିଲେ।

ଗୋବିନ୍ଦଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ନେଉଥିବା ବେଳେ ଛଡ଼ାଇ ନେଇଥିଲେ ଉତ୍ତ୍ୟକ୍ତ ଲୋକେ। ସେମାନେ ମୃତଦେହ ଧରି ଏସ୍‌ପିଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଉଥିଲେ। ତେବେ ଗାନ୍ଧି ଛକରେ ପୁଲିସ୍‌ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ୍‌ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା।  ପୁଲିସ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ ପିଟିଥିବା ଦେଖିବାକୁ ମିଳିଥିଲା। ଫଳରେ ଛତ୍ରଭଙ୍ଗ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।

Related story