ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଜମିବାଡ଼ି ବିବାଦକୁ ନେଇ ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି। ଭାଇକୁ ଗୁଳି ମାରିଲା ଭାଇ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗାଁରେ ଘଟିଛି ଏହି ଘଟଣା।
ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ବୀରେନ ଦଳେଇ (୨୩)। ଅଭିଯୁକ୍ତର ନାଁ ସୁରଥ ଦଳେଇ ଓରଫ ବାବୁ। ବାବୁ ହେଉଛି ବୀରେନଙ୍କ ଦାଦାପୁଅ ଭାଇ। ବାବୁ ବୟସରେ ବୀରେନ ଠାରୁ ବଡ଼।
ଆଜି ଦିନ ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିଲା। ବୀରେନ ଘରେ ଶୋଇଥିବା ବେଳେ ବାବୁ ତାଙ୍କ ଉପରକୁ ଗୁଳି କରିଥିଲା। ବୀରେନଙ୍କ ଶରୀରରେ ୪ଟି ଗୁଳି ବାଜିଥିଲା। ଦୁଇଟି ହାତରେ ବାଜିଥିବା ବେଳେ ଗୋଟିଏ ଛାତିରେ ଓ ଗୋଟିଏ ଜଙ୍ଘରେ ବାଜିଥିଲା।
ବୀରେନଙ୍କୁ ସଙ୍ଗେ ସଙ୍ଗେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହାତରେ ବାଜିଥିବା ଦୁଇଟି ଗୁଳିକୁ ସେଠାରେ ବାହାର କରାଯାଇଥିଲା। ତା’ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶେଷ ଖବର ମିଳିବା ସୁଦ୍ଧା ବୀରେନଙ୍କ ଅବସ୍ଥା ସ୍ଥିର ରହିଛି।
ଏହି କାଣ୍ଡ ଘଟାଇ ସୁରଥ ଦଳେଇ ଓରଫ ବାବୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ତା’ ବାପାମା’ଙ୍କୁ ଅଟକ ରଖିଛି ଏବଂ ଘଟଣାର ତଦନ୍ତ କରୁଛି। ବାବୁ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବୀରେନଙ୍କ ବାପା ଓ ବାବୁଙ୍କ ବାପାଙ୍କ ମଧ୍ୟରେ ବର୍ଷେ ହେଲାଣି ଜମି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଛି। ଏ ଭିତରେ ଉଭୟ ପରିବାର ମଧ୍ୟରେ ଅନେକ ଥର କଳିଝଗଡ଼ା ହୋଇଛି। ଏହି ବିବାଦକୁ ନେଇ ରାଗ ରଖି ଆଜି ବୀରେନଙ୍କୁ ଗୁଳି କରିଛି ବାବୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।