ବୌଦ୍ଧ(ଦୀପକ ଅଦର): ମାଧପୁର ବନ ବିଭାଗ କର୍ମଚାରୀଙ୍କ ନିର୍ଯାତନା ପାଇଁ ବିଷପିଇ ଆତ୍ମହତ୍ୟା ଅଭିଯୋଗ। ମାଧପୁର ରେଞ୍ଜ ମୁଣ୍ଡାପଡ଼ା ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ଅନୁଗୁଳ ଜିଲ୍ଲା ଆଠମଳିକ ବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମର ଚାଷୀ ଦାଶରଥି ନାୟକ। ଗତକାଲି ସେ ବିଷ ପିଇ ଦେଇଥିଲେ, ଆଜି ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି।
ହାତୀ ହତ୍ୟା ମାମଲାରେ ତାଙ୍କୁ ଫରେଷ୍ଟର ବାରମ୍ବାର ବନ ବିଭାଗ ଅଫିସ୍କୁ ଆଣି ନିର୍ଯାତନା ଦେଉଥିବାରୁ ଏଭଳି ଘଟଣା ଘଟିଲା ବୋଲି ପତ୍ନୀ ଅଭିଯୋଗ କରିଛନ୍ତି। ପ୍ରତିବାଦରେ କିଆକଟା ମାଧପୁର ବନାଞ୍ଚଳ ଅଫିସ ଆଗରେ ଶବ ରଖି ଧାରଣା ଦେଉଛନ୍ତି ପରିବାର ଓ ଗାଁ ଲୋକେ। ଏଥିସହ ଫରେଷ୍ଟରଙ୍କୁ ନିଲମ୍ବନ ଓ ୧୦ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି।
ଅଭିଯୋଗ ମୁତାବକ, କିଛିଦିନ ତଳେ ଦାଶରଥିଙ୍କ ବିଲ ନିକଟରେ ଏକ ଜଙ୍ଗଲୀ ହାତୀର ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ହୋଇଥିଲା। ମାଧପୁର ବନ ବିଭାଗ ଦାଶରଥି ନାୟକଙ୍କୁ ପଚରାଉଚରା କରିବା ପାଇଁ ଦିନକ ତଳେ ରାତି ଅଧରେ ଉଠାଇ ନେଇଥିଲା। ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କୁ ଆହତ ଅବସ୍ଥାରେ ଆଣି ଘରେ ଛାଡ଼ି ଦେଇଥିଲା। ଏକଥା ସହ୍ୟ କରି ନ ପାରି ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ବୌଦ୍ଧ ମେଡ଼ିକାଲ ଆଣିଥିଲେ। ପରେ ବୁର୍ଲା ସ୍ଥାନାନ୍ତରିତ କରିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ବୁର୍ଲା ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଏହାପରେ ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଆଠମଲ୍ଲିକ କିଆକଟା ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଶବରଖି ଧାରଣାରେ ବସିଛନ୍ତି।
ସେପଟେ ଖବର ଘଟଣାସ୍ଥଳରେ ପୁଲିସ ସହ ଆଠମଲ୍ଲିକ ତହସିଲଦାର ଯୋଷୋବନ୍ଦ୍ ଦେହୁରୀ ପହଞ୍ଚିଥିଲେ। ପ୍ରଶାସନିକ ପାଣ୍ଠିରୁ ଯଥା ସମ୍ଭବ ସହାୟତା କରାଯିବ ବୋଲି ବୁଝାଇଥିଲେ। ହେଲେ ଦାବିପୂରଣ ନ ହେବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି ଅନ୍ଦୋଳନକାରୀ ଜିଦ ଧରି ବସିଛନ୍ତି।