କୋଣାର୍କ(ସଞ୍ଜୟ ପତି): ଭତ୍ତା ଟଙ୍କା ନଦେବାରୁ ବାପାକୁ କାଠ ଫାଳିଆରେ ବାଡ଼େଇ ହତ୍ୟା କଲା ପୁଅ। ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ବଡ଼ଗାଁ ପଂଚାୟତ ଅଲଣ୍ଡା ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ଗ୍ରାମର ସର୍ବେଶ୍ୱର ଭୋଇ।
ଆଜି ସକାଳେ ସେ ଘର ବାରଣ୍ଡାରେ ବସିଥିବା ବେଳେ ତାଙ୍କ ପୁଅ ସୁକାନ୍ତ ଭୋଇ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ସର୍ବେଶ୍ୱରଙ୍କ କାନରେ ମାଡ଼ ବାଜିଥିଲା। ପ୍ରବଳ ରକ୍ତସ୍ରାବ ସହ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ଗ୍ରାମବାସୀମାନେ ସୁକାନ୍ତକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ରାମଚଣ୍ଡୀ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି।
ଲୋକଙ୍କ କହିବା ମୁତାବକ ସୁକାନ୍ତ ସବୁବେଳେ ନିଶାଗ୍ରସ୍ତ ରୁହେ। ଆଜି ସକାଳେ ବାପା ପାଇଥିବା ଭତ୍ତା ଟଙ୍କାକୁ ମାଗିଥିଲା। ବାପା ଟଙ୍କା ନଦେବାରୁ ରାଗରେ ପଞ୍ଚମ ହୋଇ ଏହି ହତ୍ୟାକାଣ୍ଡ ଘଟାଇଛି।
ରାମଚଣ୍ଡୀ ଥାନା ଆଇଆଇସି ସୁରେଶ ଚନ୍ଦ୍ର ପୃଷ୍ଟି କହିଛନ୍ତି, ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି।