ଫୁଲବାଣୀ (ତ୍ରିନାଥ ସାହୁ): ଫୁଡ୍ ପାଇପ୍ ବଦଳାଇବାକୁ ଚାଲି ଚାଲି ଡାକ୍ତରଖାନା ଆସିଲେ, କିନ୍ତୁ ୧୦ ମିନିଟ୍ ପରେ ଶବ ହୋଇ ଘରକୁ ଫେରିଲେ। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା।
ମୃତକ ଜଣକ ସ୍ଥାନୀୟ ଟିକାବାଲି ଅଞ୍ଚଳର ପ୍ରଦୀପ ସେଠୀ(୪୮)। ସେ ମୁଖ ଗହ୍ୱର କର୍କଟ ରୋଗରେ ପୀଡ଼ିତ ଥିଲେ। ନାକ ଦେଇ ଲାଗିଥିବା ଫୁଡ ପାଇପକୁ ଗତକାଲି ରାତିରେ ଡାକ୍ତର ବଦଳାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଡାକ୍ତରଙ୍କ ଆବଶ୍ୟକ ଜ୍ଞାନ ନ ଥିବାରୁ ଏଭଳି ଘଟଣା ଘଟିଲା ବୋଲି ପ୍ରଦୀପଙ୍କ ପୁଅ ରୁଦ୍ରପ୍ରତାପ ସେଠୀ ଅଭିଯୋଗ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଡାକ୍ତର।
ରୁଦ୍ର କହିଛନ୍ତି ଯେ, ତାଙ୍କ ବାପା ପ୍ରାୟ ୮ ମାସ ହେବ ମୁଖଗହ୍ୱର କର୍କଟ ରୋଗରେ ପୀଡ଼ିତ ଥିଲେ। ତେଣୁ ସେ ଫୁଡ୍ ପାଇପ ମାଧ୍ୟମରେ ଖାଦ୍ୟ ଗ୍ରହଣ କରୁଥିଲେ। କିନ୍ତୁ ଗତକାଲି ରାତିରେ ହଠାତ୍ ସେହି ଫୁଡ ପାଇପରେ କୌଣସି ସମସ୍ୟା ଦେଖାଦେଇଥିଲା। ତେଣୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫୁଡ୍ ପାଇପ୍ ବଦଳାଇବାକୁ ଆସିଥିଲେ। ଏହି ସମୟରେ ଚିକିତ୍ସାଳୟର ଜରୁରୀକାଳୀନ ସେବା ବିଭାଗର ଡାକ୍ତର ତାଙ୍କୁ ଯାଞ୍ଚ କରିଥିଲେ। ବାପାଙ୍କ ନାକରେ ଲାଗିଥିବା ଫୁଡ ପାଇପକୁ ବାହାର କରିଥିଲେ। ଏହି ସମୟରେ ହଠାତ୍ ବାପାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ମୃତ୍ୟୁର ମାତ୍ର ୧୦ ମିନିଟ ପୂର୍ବରୁ ବାପା ଚିକିତ୍ସାଳୟକୁ ଚାଲି ଚାଲି ଆସିଥିଲେ। ମୋବାଇଲ୍ ବ୍ୟବହାର ସହ ଲେଖାପଢ଼ା ବି କରି ପାରୁଥିଲେ। ଫୁଡ୍ ପାଇପ ସମସ୍ୟା ବ୍ୟତୀତ ତାଙ୍କର ଆଉ କୌଣସି ସମସ୍ୟା ନ ଥିଲା। ସବୁ କିଛି ସ୍ୱାଭାବିକ ରହିଥିଲା। ଡାକ୍ତରଙ୍କ ଭୁଲ୍ ଯୋଗୁ ବାପାଙ୍କ ମୃତ୍ୟୁ ହେଲା ବୋଲି ରୁଦ୍ର ଅଭିଯୋଗ କରିଛନ୍ତି।
ଚିକିତ୍ସା କରିଥିବା ଡାକ୍ତର ବିଶ୍ଵରଞ୍ଜନ ଦାସ କହିଛନ୍ତି ଯେ, ରୋଗୀ ଜଣଙ୍କ ଚିକିତ୍ସାଳୟକୁ ଚାଲି ଚାଲି ଆସିଥିଲେ। କିନ୍ତୁ ଏହାର ଅର୍ଥ ନୁହଁ ଯେ ସେ ଗୁରୁତର ନଥିଲେ। ଚିକିତ୍ସାରେ କୌଣସି ଅବହେଳା ହୋଇନି। ଫୁଡ୍ ପାଇପ୍ କାଢ଼ିବା ବେଳେ ରୋଗୀଙ୍କ ମୃତ୍ୟୁ ହୋଇଛି। ଫୁଡ୍ ପାଇପ୍ରେ ଲିକେଜ୍ ଯୋଗୁ ଏଭଳି ହୋଇଥାଇପାରେ।