ପୁଲିସ ହେବାର ସ୍ୱପ୍ନ ଦେଖିଥିଲା ପୁଅ, ଭିକାରୀ କଲା ବାପାର ପରକୀୟା ପ୍ରୀତି

ବାଲେଶ୍ୱର(ରଞ୍ଜିତ ପାକଳ):କଅଁଳ ବୟସରେ ସେ ଦେଖିଥିଲା ବଡ଼ ସ୍ୱପ୍ନ। ପାଠ ପଢ଼ିବ । ବଡ଼ ମଣିଷ ହେବ । ଆଉ ପୁଲିସ ଚାକିରି କରିବ। ଆଖିରେ ଆଖିଏ ସ୍ୱପ୍ନ ନେଇ ଯାହା କାନ୍ଧରେ ବସି ଆଗକୁ ବଢ଼ିବ ବୋଲି ଆଶା କରିଥିଲା ସେମାନେ ଯେ, ତାକୁ ଅନାଥ କରିଛାଡ଼ି ଚାଲିଯିବେ ତାହା ସେ ଜାଣି ନ ଥିଲା। ଯେଉଁ ବୟସର ବସ୍ତାନି ଧରି ସ୍କୁଲ ଯିବା କଥା ସେହି ବୟସରେ ବାରଦୁଆର ଶୁଣ୍ଢିପିଣ୍ଡା ହେବା ସହ ଶେଷରେ […]

p-11

Tapas Behera
  • Published: Tuesday, 27 August 2019
  • , Updated: 27 August 2019, 07:23 PM IST

ବାଲେଶ୍ୱର(ରଞ୍ଜିତ ପାକଳ):କଅଁଳ ବୟସରେ ସେ ଦେଖିଥିଲା ବଡ଼ ସ୍ୱପ୍ନ। ପାଠ ପଢ଼ିବ । ବଡ଼ ମଣିଷ ହେବ । ଆଉ ପୁଲିସ ଚାକିରି କରିବ। ଆଖିରେ ଆଖିଏ ସ୍ୱପ୍ନ ନେଇ ଯାହା କାନ୍ଧରେ ବସି ଆଗକୁ ବଢ଼ିବ ବୋଲି ଆଶା କରିଥିଲା ସେମାନେ ଯେ, ତାକୁ ଅନାଥ କରିଛାଡ଼ି ଚାଲିଯିବେ ତାହା ସେ ଜାଣି ନ ଥିଲା।

ଯେଉଁ ବୟସର ବସ୍ତାନି ଧରି ସ୍କୁଲ ଯିବା କଥା ସେହି ବୟସରେ ବାରଦୁଆର ଶୁଣ୍ଢିପିଣ୍ଡା ହେବା ସହ ଶେଷରେ ଭିକ୍ଷା ବୃତ୍ତି ଆପଣେଇଲା ୮ ବର୍ଷର ପିଲା। ପରକୀୟା

ପ୍ରୀତିରେ ମାତି ବାମା-ମା ଚାଲିଗଲା ପରେ ଅନାଥ ହୋଇଥିବା ୮ ବର୍ଷ ପିଲାଟି ସମ୍ପର୍କରେ ପଦାକୁ ଆସିଛି ଏମିତି କିଛି କରୁଣ କାହାଣୀ। କେବଳ ପୁଅଟି ନୁହେଁ ତା’ ସହିତ ତା’ର କୁନି ଭଉଣୀ ମଧ୍ୟ ଅନାଥ ହୋଇଯାଇଛି। ପୁଅଟିକୁ ଏବେ ସିଡବ୍ଲୁସି ଉଦ୍ଧାର କରିଛି ସତ ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ଅଞ୍ଚଳର ଏହି ଦୁଇ ଭାଇ ଭଉଣୀଙ୍କ ବିଷୟରେ ଯେଉଁ କାହାଣୀ ଆସିଛି ତାହା ଜାଣିଲେ ଆପଣଙ୍କ ଆଖି ବି ଛଳ ଛଳ ହୋଇଯିବ। ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୭ ମାସ ଧରି ଭିକ ମାଗିବା ପରେ ଘଟଣା ପଦାକୁ ଆସିଥିଲା।

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳର ସମ୍ପୃକ୍ତ ୮ ବର୍ଷ ପିଲାଟିର ବାପା ହେଉଛନ୍ତି ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ପିଲାଟି ସହ ନିଜ ମା’ ଓ କୁନି ଭଉଣୀ ମଧ୍ୟ ଅଛନ୍ତି। ପ୍ରଥମେ ସେମାନଙ୍କ ପରିବାର ଠିକ୍‌ଠାକ୍‌ ଚାଲିଥିଲା। ହେଲେ ହଠାତ୍‌ ଦିନେ ପିଲାଟିର ମା’ ପ୍ରେମିକ ସହିତ ପଳାଇଗଲେ। ଆଉ ସ୍ତ୍ରୀ ପଳାଇ ଗଲାପରେ ବାପା ମଧ୍ୟ ଜଣେ ମହିଳାଙ୍କ ସହ ପଳାଇଗଲେ।

ବାପା-ମା’ ପଳାଇଯିବା ପରେ ଭାଇ ଭଉଣୀ ଦୁଇ ଜଣ ଅଜାଘରକୁ ପଳାଇ ଆସିଥିଲେ।  ଜନ୍ମକଲା ବାପା-ମା ପର କରିଦେଲା ପରେ ଅଜାଆଈଙ୍କ ଘରେ ଦିନ କଟିଯିବ ବୋଲି ଯେଉଁ ଅଶା ଥିଲା ସେତକ ବି ଧୂଳିସାତ ହୋଇଗଲା। ସେଠାରେ ଅଜାଆଈଙ୍କ ନିର୍ଯାତନା ତାଙ୍କ ପାଇଁ ଅସହ୍ୟ ହେଲା। ଖାଇବାକୁ ନଦେଇ ଯନ୍ତ୍ରଣା ଦେଲେ। ଶେଷରେ ଭାଇ ଅଜା ଘର ଛାଡ଼ିଦେଲା। ପାଠପଢ଼ିବାକୁ ଇଚ୍ଛା ଥିଲେ ବି ଭିକ୍ଷାବୃତ୍ତିକୁ ଆପଣାଇଲା। ଦିନସାରା ଭିକ ମାଗି ଯାହା ଆଣେ ବେଳେବେଳେ ସେଥିରୁ କିଛି ଆଣି ନିଜ ଭଉଣୀକୁ ମଧ୍ୟ ଦିଏ। ଏମିତି ପ୍ରାୟ ୫ରୁ ୭ ମାସ ଭିକ ମାଗିଲା ଭାଇ। କୁନିପିଲା ଜଣକ ଭିକ ମାଗୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା।

ଏନେଇ ବାଲେଶ୍ୱରର ଇମାମି ବଜାରର କିଛି ଲୋକ ପୁଲିସକୁ ପିଲାଟି ବିଷୟରେ ଖବର ଦେଇଥିଲେ। ପୁଲିସ ଭାଇକୁ ଉଦ୍ଧାର କରିବା ପରେ ସବୁକଥା ଜଣାପଡ଼ିଥଲା। ପୋଲିସ ତାକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଦେଇଥିଲା । ଚାଇଲ୍ଡ ଲାଇନର ସଦସ୍ୟ ପିଲାଟିକୁ ଜିଲ୍ଲା ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛନ୍ତି । ଭଉଣୀ ବିଷୟରେ ଭାଇ ଜଣକ ବିଶେଷ କିଛି କହିପାରୁ ନଥିବା ବେଳେ ସେ ଅଜା ଘରେ ଥିବ ବୋଲି ଅନୁମାନ କରାଯାଉଛି।

କୁହାଯାଏ ପ୍ରେମ ତ୍ୟାଗର ବାର୍ତ୍ତା ଦିଏ। ସ୍ନେହ ବନ୍ଧନର କଥା କୁହେ। ହେଲେ ଅନୈତିକ ପ୍ରେମ ଯେ, କେମିତି ପରିବାରର ସୁଖ ଶାନ୍ତିକୁ ଉଜାଡ଼ି ଦେଇପାରେ ତା’ର ଉଦାହରଣ ହେଉଛି ଏହି କୁନି କୁନି ଭାଇ-ଭଉଣୀ। ଏବେ ପ୍ରଶ୍ନ, କୁନି ପିଲାଟିର ପୁଲିସ ହେବାର ସ୍ୱପ୍ନ ପୂରଣ ହେବ ତ ? ନା ପରିସ୍ଥିତି ଓ କାଳର ମୋଡ଼ରେ ତା’ର ଆଶା ଅଧାରେ ରହିଯିବ।

Related story