ଯାଜପୁର (ଗୁଲାମ ଗସ୍): ଭୋଗକୁ ପବିତ୍ର ବୋଲି ଭାବି ଖାଇଥିଲେ। କିନ୍ତୁ କିଏ ଜାଣିଥିଲା ତାହା ଏମିତି କାଣ୍ଡ କରିବ ବୋଲି! ଶିରିଣି ଭୋଗ ଖାଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅଂଚଳରେ ଆଜି ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି। ପଢ଼ନ୍ତୁ କଣ ଥିଲା ପୂରା ଘଟଣା।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସୋଲରେ ଗ୍ରାମରେ ଶିରିଣି ଭୋଗ ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଗତକାଲି ଗଁ।ରେ ଜଣକ ଘରେ ପୁଅ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଅବସରରେ ଘରଲୋକେ ଶିରିଣି ଭୋଗ ପ୍ରସ୍ତୁତ କରିଥିଲେ। ରାତିରେ ପୂଜା ପରେ ଯେତିକି ଲୋକ ଭୋଗ ଖାଇଲେ ଖାଇଲେ, ଯାହା ବଳିଲା ତାକୁ ରଖି ଦେଇଥିଲେ। ସେଇ ବଳକା ଭୋଗକୁ ପୁଣି ସକାଳେ ସାହିରେ ବଂଟା ଯାଇଥିଲା। ଏହାକୁ ଖାଇବା ପରେ ହିଁ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ। କେତେକଙ୍କର ବାନ୍ତି ମଧ୍ୟ ହୋଇଥିଲା।
ଅସୁସ୍ଥମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସାଲାଇନ୍ ଓ ମେଡିସିନ୍ ଦେବା ପରେ ସମସ୍ତେ ବିପଦମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର ଏସ.ବି. ବେହେରା କହିଛନ୍ତି।