ନାରାୟଣପାଟଣା (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସ୍ବିଆଇ ଶାଖାରୁ ସୁନାଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍। ଏହି ଘଟଣାରେ ପୁଲିସ୍ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆଙ୍କୁ ଗିରଫ କରିଛି। ଏହା ସହିତ ନାରାୟଣପାଟଣା ଥାନା ଅଧୀନ ତାଙ୍କ ବିକ୍ରମପୁର ଘରୁ ୧ କେଜି ୧୮୯ ଗ୍ରାମ ସୁନାଗହଣା ଜବତ କରିଛି।
ଲକ୍ଷ୍ମୀପୁର ଏସ୍ବିଆଇ ଲକରରୁ ଗ୍ରାହକମାନଙ୍କର ୧୬୧୦.୬୯ ଗ୍ରାମ ସୁନାଗହଣା ଚୋରି ହୋଇଥିବା ନେଇ ଗତ ୧୪ ତାରିଖରେ ଶାଖା ପରିଚାଳକ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ଲକ୍ଷ୍ମୀପୁର ଥାନା ପୁଲିସ୍ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଆଉ ଏଥିରୁ ଧରା ପଡ଼ିଯାଇଥିଲେ ଶେଖର କୁଳଦିପିଆ।
ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ୪୩ ବର୍ଷୀୟ ଶେଖର ଲକ୍ଷ୍ମୀପୁର ଏସ୍ବିଆଇର ମେସେଞ୍ଜର ଭାବେ ୨୦୧୪ରୁ ୨୦୨୦ ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। କିନ୍ତୁ ଦୁର୍ବ୍ୟବହାର ଯୋଗୁଁ ତାଙ୍କୁ ବାହାର କରି ଦିଆଯାଇଥିଲା। କିନ୍ତୁ ସେ ବରାବର ଏହି ବ୍ୟାଙ୍କକୁ ଆସୁଥିଲେ। ମେସେଞ୍ଜର ଥିବା ସମୟରେ ସେ ବ୍ୟାଙ୍କର ସମସ୍ତ ବିଷୟରେ ଅବଗତ ଥିଲେ। ଷ୍ଟ୍ରଙ୍ଗ ରୁମ୍ ଓ ଆଇରନ୍ ଚେଷ୍ଟର ଚାବି କେଉଁଠି ରହେ ବି ସେ ଜାଣିଥିଲେ।
ବ୍ୟାଙ୍କର ମେସେଞ୍ଜର ଚାକିରି ହରାଇବା ପରେ ତାଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା। ତେଣୁ ସେ ବ୍ୟାଙ୍କରୁ ସୁନାଗହଣା ଲୁଟ୍ କରିବାକୁ ଉପାୟ ପାଞ୍ଚି ଥିଲେ। ନିଜ ଯୋଜନା ମୁତାବକ ଗତ ବର୍ଷ ନଭେମ୍ବର ୧୧ ତାରିଖ ଅପରାହ୍ଣ ପ୍ରାୟ ୩ଟା ବେଳେ ଶେଖର ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କ ଭିତରେ ଏଣେତେଣେ ବୁଲିଥିଲେ। ସୁବିଧା ଦେଖି ସେ ବ୍ୟାଙ୍କର ସର୍ଭର ରୁମ୍କୁ ପଶି ଯାଇଥିଲେ। ସେ ସେଠାରେ ନିଜକୁ ଆବଦ୍ଧ କରି ରଖିଥିଲେ। ରାତି ପ୍ରାୟ ୮ଟା ବେଳେ ମ୍ୟାନେଜର ଓ ଅନ୍ୟ କର୍ମଚାରୀ ବ୍ୟାଙ୍କରେ ତାଲା ପକାଇ ଘରକୁ ପଳାଇଥିଲେ। ଏହା ପରେ ଶେଖର କୁଳଦିପିଆ ସର୍ଭର ରୁମ୍ରୁ ବାହାରିଥିଲେ ଏବଂ ଶାଖା ପରିଚାଳକଙ୍କ ରୁମ୍କୁ ଯାଇ ଷ୍ଟ୍ରଙ୍ଗ ରୁମ୍ ଓ ଆଇରନ୍ ଚେଷ୍ଟର ଚାବି ଖୋଜି ଥିଲେ।
[caption id="attachment_706823" align="aligncenter" width="650"]
ଚାବି ପାଇବା ପରେ ଶେଖର କୁଳଦିପିଆ ଷ୍ଟ୍ରଙ୍ଗରୁମ୍କୁ ଯାଇଥିଲେ ଓ ଆଇରନ ଚେଷ୍ଟ ଖୋଲି ସେଥିରୁ ୨୧ଟି ପ୍ୟାକେଟ୍ରେ ଥିବା ସୁନାଗହଣା ଉଠାଇଥିଲେ ଏବଂ ଏକ ସବୁଜ ରଙ୍ଗର ବ୍ୟାଗରେ ଭର୍ତ୍ତି କରିଥିଲେ। ଏହା ପରେ ସେ ଉଭୟ ଆଇରନ ଚେଷ୍ଟ ଓ ଷ୍ଟ୍ରଙ୍ଗରୁମ୍ରେ ତାଲା ପକାଇ ଚାବିକୁ ଯଥାସ୍ଥାନରେ ରଖି ଦେଇଥିଲେ। ତା’ପରେ ସେ ସାରା ରାତି ବ୍ୟାଙ୍କ ଭିତରେ ରହିଥିଲେ।
ସକାଳ ପ୍ରାୟ ୯ଟା ୪୫ରୁ ୧୦ଟା ମଧ୍ୟରେ ବ୍ୟାଙ୍କ କର୍ମଚାରୀମାନେ ଆସିଥିଲେ ଓ କାମ ଆରମ୍ଭ କରିଥିଲେ। ଏହି ସମୟରେ ସୁଯୋଗ ଦେଖି ଶେଖର କୁଳଦିପିଆ ସେଠାରୁ ଫେରାର ହୋଇଯାଇଥିଲେ।
ଏ ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଥିବା ବେଳେ ପୁଲିସ୍ ଶେଖରଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ସବୁ କଥା ସ୍ୱୀକାର କରିଥିଲେ। ତାଙ୍କ ଘରୁ ୧କେଜି ୧୮୯ ଗ୍ରାମ ସୁନାଗହଣା ଜବତ କରାଯାଇଛି। ଏହା ସହିତ ନଗଦ ୨ଲକ୍ଷ ୯୫ ହଜାର ଟଙ୍କା ଜବତ କରାଯାଇଛି। ସେହିଭଳି ୧ଲକ୍ଷ ୧୦ ହଜାର ୬୦୦ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଲକ୍ଷ୍ମୀପୁରର ଭତ୍ରା କଲୋନୀରେ ସେ ଏକ ଘର ମଧ୍ୟ ନିର୍ମାଣ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ବ୍ୟାଙ୍କ ଶାଖା ପରିଚାଳକ ଯାଞ୍ଚ କଲା ବେଳେ ଗ୍ରାହକଙ୍କ ସୁନାଗହଣା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।