ସୋର/ ପାରଳାଖେମୁଣ୍ଡି/କଟକ(ଓଡ଼ିଶା ରିପୋର୍ଟର): ACF ସୌମ୍ୟରଂଜନ ମୃତ୍ୟୁ ମାମଲାର ଖୋଳତାଡ଼ ଯେତିକି ଆଗକୁ ବଢୁଛି, ରହସ୍ୟ ବି ସେତିକି ବଢୁଛି । କାରଣ ଷଡ଼ଯନ୍ତ୍ର ପଛରେ ସୌମ୍ୟଙ୍କ ପରିବାର ଯେଉଁମାନଙ୍କ ନାଁ ନେଇଥିଲେ ଅର୍ଥାତ ଡିଏଫ୍ଓ, ରୋଷେୟା ଏବଂ ଓଆଇସି ମମତା ପଣ୍ଡା ଏକପ୍ରକାର ନିର୍ଦ୍ଦୋଷ ବୋଲି କହିସାରିଛି ଗଜପତି ପୁଲିସ । ଏହାକୁ ନେଇ ପରିବାର ପକ୍ଷରୁ ପ୍ରଶ୍ନ ଉଠିଥିବା ବେଳେ ସୌମ୍ୟଙ୍କ ମୃତ୍ୟୁ ପଛର କାରଣ ଖୋଜିବା ସହ କ୍ରାଇମବ୍ରାଞ୍ଚ ଏବଂ ପୁଲିସ ମିଶି ପ୍ରମାଣ ଯୋଗାଡ଼ କରୁଛନ୍ତି।
ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍ପେନ୍ସ । ନା ଡିଏଫ୍ଓ ନା ରୋଷେୟା ନା ଓଆଇସି । କାହାର ବି ଭୂମିକା ନାହିଁ ବୋଲି ଗଜପତି ଏସପିଙ୍କ ରୋକଠୋକ୍ କହିଛନ୍ତି ।ଯାହାଙ୍କ ଉପରେ ସନ୍ଦେହର ଆଖି ବୁଲାଇଥିଲେ ପରିବାର ଲୋକେ, ସେହି ଡିଏଫ୍ଓଙ୍କୁ କ୍ଲିନଚିଟ୍ ଦିଆଗଲା। କଲ୍ ଡିଟେଲ୍ ଆନାଲିସିସ୍ ଏବଂ କିଛି ଲୋକଙ୍କ ବୟାନ ଆଧାରରେ ଡିଏଫ୍ଓଙ୍କ ସମେତ ୩ ଜଣଙ୍କ ସଂପୃକ୍ତିକୁ ସିଧାସଳଖ ଏସ୍ପି ଖଣ୍ଡନ କରିଛନ୍ତି। ଏପରିକି ସୌମ୍ୟରଂଜନ ଏବଂ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଥିବା କହିଛନ୍ତି ଏସ୍ପି ।
ଅର୍ଥାତ ସୌମ୍ୟରଂଜନଙ୍କ ମୃତ୍ୟୁ ଯେ ସ୍ୱାଭାବିକ ନୁହଁ ତାହା ଏସ୍ପିଙ୍କ ସୂଚନାରୁ ଆଶଙ୍କା କରାଯାଉଛିା ତାହେଲେ ସୌମ୍ୟରଂଜନ ଆତ୍ମହତ୍ୟା କଲେ ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ନା ଦୁର୍ଘଟଣା? ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି, ମୃତ୍ୟୁ କେମିତି ଓ କାହିଁକି ହେଲା ତାହାର ଉଚିତ ତଦନ୍ତ କରିବା ସହ ଆମକୁ ନ୍ୟାୟ ଦରକାର ।
ସୌମ୍ୟଙ୍କ ବାପାଙ୍କ ଏତଲା ଆଧାରରେ ପୁଲିସ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ଏବଂ ରୋଷେୟା ମନ୍ମଥ କୁମ୍ଭ ବିରୋଧରେ ହତ୍ୟା ସହ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫା ଲଗାଇଥିଲା। ତାହାରି ଭିତରେ ସୌମ୍ୟଙ୍କ ପରିବାର ଏବଂ ମୟୁରଭଞ୍ଜ କପ୍ତିପଦା ଯାଇ ବିଦ୍ୟାଭାରତୀଙ୍କ ସମେତ ପରିବାର ଲୋକଙ୍କୁ ପୁଲିସ ପଚରା ଉଚରା କରିଥିଲା। ଗତକାଲି ଡିଏଫ୍ଓ ଏବଂ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପଚରାଉଚରା କରି କ୍ଲିନଚିଟ୍ ଦେଇଥିଲେ ଏସ୍ପି । ଏହାକୁ ନେଇ ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି । ପ୍ରାରମ୍ଭିକ ଅବସ୍ଥାରେ ଥିବା ତଦନ୍ତରେ ଅନେକ ବ୍ୟକ୍ତି ପରିସରଭୁକ୍ତ ଥିବାବେଳେ ତରବରିଆ ଭାବେ କ୍ଲିନଚିଟ୍ ଦେବା ପଛର ଉଦ୍ଦେଶ୍ୟ କଣ? ସୌମ୍ୟ କେମିତି ଜଳିପୋଡ଼ି ଗଲେ ? ଯେଉଁ ସରକାରୀ କ୍ୱାଟର୍ସରେ ସୌମ୍ୟ ଜଳିଗଲେ ବୋଲି କୁହାଯାଇଥିଲା, ସେଠାରୁ ମିଳିଥିବା ପ୍ରମାଣ ଆଧାରରେ ପୁଲିସ କାହିଁକି ସ୍ପଷ୍ଟ କରିପାରୁନି?
ମାମଲାର ତଦନ୍ତ କରୁଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ କହିଛନ୍ତି, ବର୍ତ୍ତମାନ ବି ତଦନ୍ତ ଜାରି ରହିଛିା ପୁଲିସ ଟିମ୍ ବିଦ୍ୟାଭାରତୀ ପ୍ରଶିକ୍ଷଣ ନେଉଥିବା ବଲାଙ୍ଗିରର ଏଲ୍ଆଇ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍କୁ ଯାଇ ବିଦ୍ୟା ଦେଇଥିବା ପାର୍ଟି ସଂପର୍କରେ ଖୋଳତାଡ଼ କରାଯିବ। ଏଥିପାଇଁ ଏକ ଟିମ୍ ବଲାଙ୍ଗିର ଯାଇଛି । ଆବଶ୍ୟକ ସ୍ଥଳେ ବିଦ୍ୟାଭାରତୀଙ୍କୁ ପୁଣି ଥରେ ପଚରାଉଚରା କରାଯିବ ବୋଲି ଏସ୍ପି କହିଛନ୍ତି।
ଘଟଣା ଘଟିବା ଦିନ ଯଦି ଘର ଭିତରରେ କେବଳ ପତିପତ୍ନୀ ଥିଲେ, ତାହେଲେ ଜଣେ ପୋଡି ହୋଇ ପ୍ରାଣ ହରାଇବା ଅବସ୍ଥାକୁ ଆସିବା ଯାଏଁ ଆର ଜଣଙ୍କର ଭୂମିକା କଣ ଥିଲା ? କେଉଁ ସ୍ଥିତିରେ ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ବଞ୍ଚାଇପାରିଲେନି ? ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ଏଣେ ବିଦ୍ୟାଭାରତୀଙ୍କ ଘରେ ତାଲା ଝୁଲୁଛି । ଏସବୁ ଭିତରେ ପତି-ପତ୍ନୀ ଅଶାନ୍ତି ଆଡ଼କୁ ଇସାରା କରୁଥିବା ପୁଲିସ କେବେ ସଠିକ୍ ସିଦ୍ଧାନ୍ତରେ ପହଞ୍ଚୁଛି ଏବେ ତାକୁ ଅପେକ୍ଷା ।