ମାସିକିଆ ବଟି ମାଗିଥିଲେ ଅତିରିକ୍ତ ତହସିଲଦାର, ୩୦ ହଜାର ଟଙ୍କା ସହ ଧରିଲା ଭିଜିଲାନ୍ସ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଭିଜିଲାନ୍ସ ଜାଲରେ ପଡ଼ିଲେ ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ। ମାଙ୍କଡା ପଥର ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଠାରୁ ତିରିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି। କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ାଉ କରାଯାଇ ଲାଞ୍ଚ ନେଉଥିବା ବେଳେ ଶ୍ରୀ ଦଳେଇଙ୍କୁ ଧରାଯାଇଥିଲା। ସେ ଢେଙ୍କାନାଳ ସ୍ଥିତ ତାଙ୍କ ଭଡ଼ା ଘରେ ଏହି ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ। […]

add.tahasildar

Jitendra Garnayak
  • Published: Tuesday, 19 January 2021
  • , Updated: 07 April 2021, 01:20 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଭିଜିଲାନ୍ସ ଜାଲରେ ପଡ଼ିଲେ ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ। ମାଙ୍କଡା ପଥର ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଠାରୁ ତିରିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି।

କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ାଉ କରାଯାଇ ଲାଞ୍ଚ ନେଉଥିବା ବେଳେ ଶ୍ରୀ ଦଳେଇଙ୍କୁ ଧରାଯାଇଥିଲା। ସେ ଢେଙ୍କାନାଳ ସ୍ଥିତ ତାଙ୍କ ଭଡ଼ା ଘରେ ଏହି ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ।

ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଠାରୁ ତିରିଶ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ଢେଙ୍କାନାଳ ଭିଜିଲାନ୍ସ ଅଫିସକୁ ନେଇ ପଚରାଉଚରା କରୁଛନ୍ତି। ତାଙ୍କର ଦୋଳ ମଣ୍ଡପ ସାହି ସ୍ଥିତ ଭଡ଼ାଘର, ଜନ୍ମମାଟି ବଡ଼ମ୍ବା ସ୍ଥିତ ଘର ଓ ତହସିଲ ଅଫିସରେ ଚଢ଼ାଉ କରି ଅଧିକ ଛାନଭିନ କରାଯିବ ବୋଲି ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଦିଲ୍ଲୀପ ସେନାପତି ନାମକ ଜଣେ ମାଙ୍କଡାପଥର ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କୁ ପ୍ରତି ମାସରେ ତିରିଶ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ ଅତିରିକ୍ତ ତହସିଲଦାର। ଟଙ୍କା ନଦେଲେ ତାଙ୍କ ଟ୍ରାନ୍ସପୋର୍ଟ ବ୍ୟବସାୟ ବନ୍ଦ କରିଦେବା ପାଇଁ ସେ ଧମକ ଦେଇଥିଲେ। ଏନେଇ ଗତକାଲି ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ଦିଲ୍ଲୀପ ସେନାପତି।

ଯୋଜନା ଅନୁଯାୟୀ, ଆଜି ସକାଳେ ଉକ୍ତ ବ୍ୟବସାୟୀ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇଙ୍କୁ ୩୦ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ଚଢ଼ାଉ କରି ଧରିଥିଲା।

ଅନ୍ୟପକ୍ଷରେ ଧରାପଡ଼ିଥିବା ଅତିରିକ୍ତ ତହସିଲଦାର କହିଛନ୍ତି ଯେ ଏହି ହେଉଛି ଫାଇନ୍‌ ଟଙ୍କା। ମାଙ୍କଡ଼ା ପଥର ଚୋରା ଚାଲାଣ ନେଇ ତାଙ୍କୁ ଫାଇନ୍ ଦେବାକୁ କୁହାଯାଇଥିଲା। କିନ୍ତୁ ଫାଇନ୍ ଟଙ୍କା ନେଇ ସେ ଘରକୁ ପଳାଇ ଆସିଥିଲେ। ଅଫିସ୍‌ ଯାଇ ତାଙ୍କୁ ରସିଦ ଦେଇଥା’ନ୍ତି। କିନ୍ତୁ ତା’ପୂର୍ବରୁ ଏସବୁ ଘଟିଗଲା। ଏହା ସଂପୂର୍ଣ୍ଣ ଭାବେ ଫାଇନ୍ ଟଙ୍କା। ଲାଞ୍ଚ ନେଇ ତାଙ୍କର କିଛି ସଂପୃକ୍ତି ନଥିବା ସେ ସଫେଇ ଦେଇଛନ୍ତି।

Related story