ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପ୍ରେମିକ ଜିଦ୍ ଆଗରେ ମୁଣ୍ଡ ନୁଆଇଁଲା ପ୍ରେମିକ। ଗାଁ ଦାଣ୍ଡରେ, ସମସ୍ତଙ୍କ ଉପସ୍ଥିତିରେ ହୋଇଛି ବିବାହ। ବିବାହ କରିବା ଦାବିରେ ଧାରଣାରେ ବସିଥିବା ପ୍ରେମିକାଙ୍କୁ ଆପଣାଇଲେ ପ୍ରେମିକ। ଗତକାଲି ରାତିରେ ଏହି ଘଟଣା ଘଟିଛି ଗଞ୍ଜାମ ଭଞ୍ଜନଗର ଗାଲେରୀ ଗାଁରେ। ଏହି ଗାଁର ଦୁଷ୍ମନ୍ତ ସାହୁଙ୍କୁ ବିବାହ କରିଛନ୍ତି ବ୍ରହ୍ମପୁରର ଗୋଶାଣୀ ନୂଆଁଗାଁ ନେହୁରୁ ନଗରର ଟିନା ସାହୁ।
ସୂଚନା ମୁତାବକ, ଗୋଟିଏ ବିବାହ ଉତ୍ସବରେ ଦୁଷ୍ମନ୍ତ ଓ ଟିନାଙ୍କ ଦେଖା। ପ୍ରଥମ ଦେଖାରେ ହୋଇଗଲା ପ୍ରେମ। ୩ ବର୍ଷ ଧରି ଉଭୟ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି କରିଥିଲେ। କଥା ଖୁବ୍ ଆଗକୁ ବଢ଼ି ଯାଇଥିଲା। ହେଲେ ହଠାତ୍ ଟିନାଙ୍କୁ ବିବାହ କରିବାକୁ ମନା କରିଥିଲେ ଦୁଷ୍ମନ୍ତ। ଯାହାକୁ ନେଇ ପ୍ରେମିକଙ୍କ ଘର ଆଗରେ ଗତ ୫ ଦିନ ଧରି ଧାରଣାରେ ବସିଥିଲେ ଟିନା।
ଟିନାଙ୍କ ଦୁଃଖରେ ଦଃଖି ହୋଇ ତାଙ୍କୁ ସମର୍ଥନ ଦେଇଥିଲେ ଦୁଷ୍ମନ୍ତଙ୍କ ଗାଁ ଲୋକ। ଏହି ପ୍ରେମକୁ ବିବାହରେ ପରିଣତ କରିବାକୁ ଗାଁ ଲୋକେ ଉଦ୍ୟମ କରିଥିଲେ। ଶେଷରେ ଗାଁ ଲୋକ, ସ୍ଥାନୀୟ ସରପଞ୍ଚ ଓ ସାମାଜିକ କର୍ମୀଙ୍କ ଉଦ୍ୟମ କ୍ରମେ ବିବାହ କରିବାକୁ ବାଧ୍ୟ ହୋଇଥିଲେ ଦୁଷ୍ମନ୍ତ।
ଦୁଷ୍ମନ୍ତଙ୍କ ଘର ସମ୍ମୁଖରେ ହୋଇଥିଲା ବାହାଘର। ହେଲେ ନା ଥିଲା ବେଦୀ କିମ୍ବା ରୋଷଣୀ। ସମସ୍ତଙ୍କ ଉପସ୍ଥିତିରେ ବର କନିଆ ମୁକୁଟ ପିନ୍ଧିଥିଲେ, ସାତ ଜନ୍ମର ସାଥି ଭାବେ ଟିନାଙ୍କୁ ସିନ୍ଦୁର ପିନ୍ଧାଇ ଆପଣାଇଥିଲେ ଦୁଷ୍ମନ୍ତ।
ଗଞ୍ଜାମ ଜିଲ୍ଲାରେ ଏହି ଘଟଣା ନୂଆ ନୁହେଁ। ପୂର୍ବରୁ ସୁମିତ-ତପସ୍ୱିନୀ, ଦୀପିକା-ଦିନେଶଙ୍କ କ୍ଷେତ୍ରରେ ସାମ୍ନାକୁ ଆସିଛି ପ୍ରେମ, ପ୍ରତାରଣା ଓ ଧାରଣା ଘଟଣା। ହେଲେ ଗୋଟିଏ ଝିଅକୁ ତାର ହକ୍ ମିଳିବା ପରେ ଏବେ ଅନ୍ୟମାନେ ଏହାଠାରୁ ଖୁବ୍ ପ୍ରୋତ୍ସାହିତ ହୋଇଛନ୍ତି।
ଦୁଷ୍ମନ୍ତଙ୍କ ଗାଁ ଲୋକେ କହିଛନ୍ତି, ଏହି ବିବାହ କରାଯିବାର ଅର୍ଥ ଯୁବପିଢ଼ିମାନେ ଶିକ୍ଷା କରନ୍ତୁ ଯେ ଏମିତି ଭୁଲ କରିବାକୁ କେବେବି ଚେଷ୍ଟା ନ କରନ୍ତୁ। ନଚେତ ଏମିତି ଗାଁ ଦାଣ୍ଡରେ ବାହା ହେବାକୁ ପଡ଼ିବ। ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ କହିଛନ୍ତି, ଝିଅକୁ ତାର ହକ୍ ମିଳିଛି। ତା ମୁହଁରେ ହସ ଫୁଟିଛି। ଏହା ବଡ଼ କଥା।