ଅଧାରେ ରହିଛି ସ୍ୱପ୍ନ; କେବେ ସରିବ ସେତୁ କାମ  

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ତାଳଦା ଦ୍ୱୀପାଞ୍ଚଳକୁ ସଂଯୋଗ ପାଇଁ ଦେବୀ ନଦୀ ଉପରେ ନିର୍ମାଣ ହେଉଥିବା ସେତୁ କାର୍ଯ୍ୟ ସରିବାରେ ଅହେତୁକ ବିଳମ୍ବ ହେଉଛି। ୨୦୧୬ ମସିହାରେ ଏହି ସେତୁର ନିର୍ମାଣ କାର୍ଯ୍ୟ ସରିବାର କଥା। ହେଲେ ଏହି ଅବିଧି ସରିବାର ୨ ବର୍ଷ ପରେ ବି କାମ ସରିନି। କାମ ଶୀଘ୍ର ସାରିବାକୁ ବାରମ୍ବାର ଦାବି  ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇନି। ତାଳଦା ଦ୍ୱୀପାପାଞ୍ଚଳ ବାସୀଙ୍କ ସ୍ୱପ୍ନ ଥିଲା […]

puri

Jyoshna Pradhan
  • Published: Sunday, 01 September 2019
  • , Updated: 01 September 2019, 01:42 PM IST

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ତାଳଦା ଦ୍ୱୀପାଞ୍ଚଳକୁ ସଂଯୋଗ ପାଇଁ ଦେବୀ ନଦୀ ଉପରେ ନିର୍ମାଣ ହେଉଥିବା ସେତୁ କାର୍ଯ୍ୟ ସରିବାରେ ଅହେତୁକ ବିଳମ୍ବ ହେଉଛି। ୨୦୧୬ ମସିହାରେ ଏହି ସେତୁର ନିର୍ମାଣ କାର୍ଯ୍ୟ ସରିବାର କଥା। ହେଲେ ଏହି ଅବିଧି ସରିବାର ୨ ବର୍ଷ ପରେ ବି କାମ ସରିନି। କାମ ଶୀଘ୍ର ସାରିବାକୁ ବାରମ୍ବାର ଦାବି  ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇନି।

ତାଳଦା ଦ୍ୱୀପାପାଞ୍ଚଳ ବାସୀଙ୍କ ସ୍ୱପ୍ନ ଥିଲା ଏଠାରେ ସେତୁଟିଏ ନିର୍ମାଣ ହେଲେ ସେମାନଙ୍କ ଦୁଃଖ ଦୂର ହେବ। ଯିବାଆସିବାରେ ଆଉ ଅସୁବିଧା ହେବ ନାହିଁ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ଶୁଣିଥିଲେ। ୨୦୧୪ ମସିହାରେ ନିର୍ବାଚନ ପୂର୍ବରୁ ଏଠାରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ଏହି ସେତୁ ପାଇଁ  ୩୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ହେଲେ ଅଭିଯୋଗ ହେଉଛି, ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ଯୋଗୁ ଏହା ମଧ୍ୟରେ ଦୁଇଟି ସାଧାରଣ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ।

ସେତୁ ନିର୍ମାଣ କାର୍ଯ୍ୟ ସରୁ ନଥିବା ଯୋଗୁ  ପ୍ରତିଦିନ ଏହି ଅଞ୍ଚଳର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ଏବେ ତ ବର୍ଷା ଋତୁ ଚାଲିଛି। ତେଣୁ ଲୋକଙ୍କ ସମସ୍ୟା ଦୁଇ ଗୁଣ ହୋଇଯାଇଛି। ବର୍ଷାଦିନେ ମହାନଦୀରେ ପ୍ରବାହିତ ବନ୍ୟାଜଳରୁ ଅର୍ଦ୍ଧାଧିକ ଦେବୀ ନଦୀ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ତେଣୁ ଦେବୀ ନଦୀ ମୁହାଣର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବନ୍ୟାଜଳ ଦୁଇ ପାର୍ଶ୍ୱ ବନ୍ଧୁକୁ ଛୁଇଁଯାଏ। ତଥାପି ଉଛୁଳା ନଦୀରେ ଜୀବନକୁ ପାଣି ଛଡ଼ାଇ ଏହି ଅଞ୍ଚଳବାସୀ ଡଙ୍ଗାରେ ଯାତ୍ରା କରିଥା’ନ୍ତି। ସେମାନେ ଡଙ୍ଗାରେ ନଦୀ ପାର ହୋଇ ଅସ୍ତରଙ୍ଗ ଓ କାକଟପୁର ଆଦି ଅଞ୍ଚଳକୁ ଆସିଥା’ନ୍ତି।

ଏନେଇ ତଳଦା ଦ୍ୱୀପାଞ୍ଚଳର ଜଣେ ବାସିନ୍ଦା ସୁରେନ୍ଦ୍ର ମହାନ୍ତି କହିଛନ୍ତି,“ଚଉଦ ପୁରୁଷରୁ ଆମେ ଏହି ଅସୁବିଧାର ସମ୍ମୁଖୀନ ହେଉଛୁ। ଭୟ ଲାଗିଲେ ବି ବାଧ୍ୟ ହୋଇ ଡଙ୍ଗାରେ ନଦୀ ପାର ହେବାକୁ ପଡ଼ୁଛି। ଅସ୍ତରଙ୍ଗରେ ଥାନା ଓ ବ୍ଲକ୍ ଅଫିସ୍‌ ରହିଛି। ଏଥିସହ କାକଟପୁରରେ କଲେଜ୍ ଓ ଡାକ୍ତରଖାନା ଅଛି। ତେଣୁ ପ୍ରତିଦିନ ଆମ ଅଞ୍ଚଳର ଲୋକେ ଡଙ୍ଗାରେ ଯା’ଆସ କରନ୍ତି। ଏହାଛଡ଼ା ଆଉ କିଛି ଉପାୟ ନାହିଁ।”

ସେହିପରି ଏ ଅଞ୍ଚଳରେ ଆଉ ଜଣେ ବସିନ୍ଦା ମହେନ୍ଦ୍ର ବେହେରା କହିଛନ୍ତି,“ଆମେ ବହୁ ଅସୁବିଧାରେ ରହୁଛୁ। ଆମ ଜୀବନ ପ୍ରତି କିଛି ଭରସା ନାହିଁ। ନିର୍ମାଣ ହେଉଥିବା ବ୍ରିଜ୍‌ର ଦୁଇଟି ଖୁଣ୍ଟି ଗଳି ପଡ଼ିଛି। କଣ୍ଟ୍ରାକ୍ଟର ଆସୁନାହିଁ କି କିଛି ପଦକ୍ଷେପ ନିଆଯାଉ ନାହିଁ।”

ସେତୁ ନିର୍ମାଣ କାର୍ଯ୍ୟ ସାରିବାକୁ ଯେଉଁ ସମୟ ସୀମା ରଖାଯାଇଥିଲା, ତାହା ସରି ଆହୁରି ଦୁଇ ବର୍ଷ ବିତି ଯାଇଥିବା ବେଳେ ଏଯାବତ୍ ୨୬ଟି ସ୍ପାନ୍‌ରୁ ୨୨ଟିର କାମ ଶେଷ ହୋଇଛି।

ଏ ନେଇ କନିଷ୍ଠ ଯନ୍ତ୍ରୀ ରତନ କୁମାର ନାୟକ କହିଛନ୍ତି,“ତିନୋଟି ସ୍ପାନ୍‌ ପାଇଁ ନିର୍ମାଣ ହୋଇଥିବା ପିଲାର ନଦୀ ଗର୍ଭରେ ଦବି ଯାଇଛି। ପୁଣି ଥରେ ପିଲାର ନିର୍ମାଣ ପାଇଁ  ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନକ୍ସା ପ୍ରସ୍ତୁତ କରାଯାଉଛି। ଶୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ଓ ଆସନ୍ତା ବର୍ଷା ଦିନ ପୂର୍ବରୁ ଏହାକୁ ଶେଷ କରାଯିବ।”

Related story