କାର୍ତ୍ତିକ ପୂର୍ଣ୍ଣିମା: ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରାଚୀନ ଉତ୍କଳର ଗୌରବମୟ ଐତିହ୍ୟ ତଥା ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାର ଅବସର। ଏହି ଅବସରରେ ଆଜି ଭୋରରୁ ବିଭିନ୍ନ ଜଳାଶୟରେ ଡଙ୍ଗାଭସା ପରମ୍ପରା ପାଳିତ ହୋଇଛି। ନଦୀ, ପୋଖରୀ ଏପରିକି ସମୁଦ୍ରରେ ଲୋକେ ସାଧବ ପୁଅଙ୍କ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରଙ୍ଗବେରଙ୍ଗର ଡଙ୍ଗା ଭସାଇଛନ୍ତି। ସେହିଭଳି କାର୍ତ୍ତିକ ଭଳି ପୂଣ୍ୟ ମାସର ପୂର୍ଣ୍ଣମୀ ଦିନ ଡଙ୍ଗା ଭସାଇ ଧର୍ମ ଅର୍ଜନ କରିବା ବିଶ୍ୱାସ ମଧ୍ୟ ରହିଛି। ତେଣୁ […]

danga-bhasa

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 05:55 PM IST

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରାଚୀନ ଉତ୍କଳର ଗୌରବମୟ ଐତିହ୍ୟ ତଥା ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାର ଅବସର। ଏହି ଅବସରରେ ଆଜି ଭୋରରୁ ବିଭିନ୍ନ ଜଳାଶୟରେ ଡଙ୍ଗାଭସା ପରମ୍ପରା ପାଳିତ ହୋଇଛି। ନଦୀ, ପୋଖରୀ ଏପରିକି ସମୁଦ୍ରରେ ଲୋକେ ସାଧବ ପୁଅଙ୍କ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରଙ୍ଗବେରଙ୍ଗର ଡଙ୍ଗା ଭସାଇଛନ୍ତି। ସେହିଭଳି କାର୍ତ୍ତିକ ଭଳି ପୂଣ୍ୟ ମାସର ପୂର୍ଣ୍ଣମୀ ଦିନ ଡଙ୍ଗା ଭସାଇ ଧର୍ମ ଅର୍ଜନ କରିବା ବିଶ୍ୱାସ ମଧ୍ୟ ରହିଛି। ତେଣୁ ଲୋକେ ଜଳାଶୟରେ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଛନ୍ତି।

ଐତିହାସିକ କଟକ ସହରର ମହାନଦୀ, କାଠଯୋଡ଼ି, ଗଡ଼ଗଡ଼ିଆ ଘାଟରେ ଭୋରରୁ ଡଙ୍ଗାଭସା ପାଇଁ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା।

ରାଜଧାନୀ ଭୁବନେଶ୍ୱରରେ ବି ଧୂମଧାମରେ ପାଳିତ ହୋଇଛି ଡଙ୍ଗାଭସା ଉତ୍ସବ। ଏଥିପାଇଁ ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁସାଗରର ପୋଖରୀରେ ଦେଖିବାକୁ ମିଳିଥିଲା ଗହଳି। ଏହା ସହିତ ସହରର ଅନ୍ୟାନ୍ୟ ଜଳାଶୟରେ ମଧ୍ୟ ଡଙ୍ଗା ଭସାଇବାକୁ ଲୋକଙ୍କ ଭିଡ଼ ଜମି ଥିଲା।

ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡରେ ଫାଟି ପଡୁଛି ଶ୍ରୀକ୍ଷେତ୍ର। ଭୋରରୁ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ବୁଡ଼ ପକାଇଥିଲେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରକୁ ଯାଇ ରତ୍ନସିଂହାସନ ଉପରେ ବିରାଜମାନ ଶ୍ରୀଜୀଉଙ୍କ ସୁନାବେଶକୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ।

ପ୍ରାଚୀନ ନୌବାଣିଜ୍ୟ କେନ୍ଦ୍ରର ଅନ୍ୟତମ ସ୍ମାରକୀ ସ୍ଥଳ କୋଣାର୍କ ଚନ୍ଦ୍ରଭାଗାରେ ବୋଇତ ବନ୍ଦାଣ ଉତ୍ସବ ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପବିତ୍ର ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ଡଙ୍ଗା ଭସାଇଥିଲେ। ଏହାସହ ଶ୍ରଦ୍ଧାଳୁମାନେ ଏଠାରେ ଉଦିତ ସୂର୍ଯ୍ୟଙ୍କ ଦର୍ଶନ କରିଥିଲେ। ସବୁ ବର୍ଷ ଭଳି ଚନ୍ଦ୍ରଭାଗା ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ସୁରେନ୍ଦ୍ରନାଥ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ସାଧବ ପୁଅ ଓ ବୋହୂ ବେଶରେ ସଜାଇ ହୋଇ ବୋଇତ ବନ୍ଦାଣ କରିବା ସହ ସୂର୍ଯ୍ୟ ପୂଜା କରିଥିଲେ। ଏହି ଅବସରରେ ରଙ୍ଗାରଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Related story