ରହିବନି ନିର୍ଦ୍ଦେଶାଳୟ, ଏଣିକି କେବଳ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ କୌଣସି ନିର୍ଦ୍ଦେଶାଳୟ ରହିବନି ଓ ସମସ୍ତ ନିର୍ଦ୍ଦେଶାଳୟ ଏଣିକି ନିଜ ନିଜର ମୂଳ ପ୍ରଶାସନିକ ବିଭାଗରେ ବିଲୟ ହେବେ। ଏବେ ନିର୍ଦ୍ଦେଶାଳୟରେ ଥିବା କର୍ମଚାରୀମାନଙ୍କ ପଦୋନ୍ନତି, ଅବସର ଅବା ମୃତ୍ୟୁ ହେଲେ ସେହି ପଦବୀଗୁଡ଼ିକ ଆପେଆପେ ଉଚ୍ଛେଦ ହୋଇଯିବ। ଏଣିକି ପ୍ରତ୍ୟେକ ଫାଇଲ୍ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସିଧାସଳଖ ସରକାରଙ୍କ ସମ୍ପୃକ୍ତ ବିଭାଗକୁ ଆସିବ ଓ ତା’ପୁଣି ଅନଲାଇନ ‘ୱସାସ’ ମାଧ୍ୟମରେ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି […]

secretariat-odisha

Manoranjan Sial
  • Published: Wednesday, 21 August 2019
  • , Updated: 21 August 2019, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ କୌଣସି ନିର୍ଦ୍ଦେଶାଳୟ ରହିବନି ଓ ସମସ୍ତ ନିର୍ଦ୍ଦେଶାଳୟ ଏଣିକି ନିଜ ନିଜର ମୂଳ ପ୍ରଶାସନିକ ବିଭାଗରେ ବିଲୟ ହେବେ। ଏବେ ନିର୍ଦ୍ଦେଶାଳୟରେ ଥିବା କର୍ମଚାରୀମାନଙ୍କ ପଦୋନ୍ନତି, ଅବସର ଅବା ମୃତ୍ୟୁ ହେଲେ ସେହି ପଦବୀଗୁଡ଼ିକ ଆପେଆପେ ଉଚ୍ଛେଦ ହୋଇଯିବ। ଏଣିକି ପ୍ରତ୍ୟେକ ଫାଇଲ୍ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସିଧାସଳଖ ସରକାରଙ୍କ ସମ୍ପୃକ୍ତ ବିଭାଗକୁ ଆସିବ ଓ ତା’ପୁଣି ଅନଲାଇନ ‘ୱସାସ’ ମାଧ୍ୟମରେ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ପ୍ରକାଶନ ସହ ତତ୍କାଳ ପ୍ରଭାବରୁ ଏହା ଲାଗୁ ହେଲା ବୋଲି କୁହାଯାଇଛି।

ବିଜ୍ଞପ୍ତି ଅନୁସାରେ ନିର୍ଦ୍ଦେଶାଳୟଗୁଡ଼ିକର ବିଲୟ ପରେ ସେଠାରେ ଥିବା କର୍ମଚାରୀମାନେ ସିଧାସଳଖ ସେମାନଙ୍କର ମୂଳ ପ୍ରଶାସନିକ ବିଭାଗ ଅଧୀନକୁ ଆସିଯିବେ। ଏହି ବିଲୟ ପରେ ଯଦି କୌଣସି ବିଭାଗରେ ଅଧିକ ସଂଖ୍ୟକ କର୍ମଚାରୀ ଥିବେ, ତା’ହେଲେ ବଳକା କର୍ମଚାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇ ଦେବେ।

ତଳସ୍ତରରେ ଥିବା ଖାଲି ପଦବୀଗୁଡ଼ିକୁ ଅର୍ଥ ବିଭାଗର ଗାଇଡଲାଇନ ଅନୁସାରେ ଉଚ୍ଛେଦ କରାଯିବ। ନିର୍ଦ୍ଦେଶାଳୟର ବିଲୟ ପରେ ସମ୍ପୃକ୍ତ ପ୍ରଶାସନିକ ବିଭାଗଗୁଡ଼ିକ ଗୋଟିଏ ପରିସରରେ କାର୍ଯ୍ୟ କରିବେ। ତା’ଛଡ଼ା ଏଣିକି ୱସାସ୍ ମାଧ୍ୟମରେ ସିଙ୍ଗଲ ଫାଇଲ୍ ସିଷ୍ଟମ କାର୍ଯ୍ୟ କରିବ। ଯେଉଁ ପ୍ରସ୍ତାବ ନିର୍ଦ୍ଦେଶାଳୟରୁ ଆସିଥିବ ତାକୁ ବିଭାଗଗୁଡ଼ିକ ସାନି ଆରମ୍ଭ କିମ୍ବା ଯାଞ୍ଚ କରିପାରିବେ ନାହିଁ। ଏହାଫଳରେ ଗୋଟିଏ କାର୍ଯ୍ୟକୁ ବାରମ୍ବାର କରାଯିବା ଓ ସମୟ ଅପଚୟରୁ ମୁକ୍ତି ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ନିର୍ଦ୍ଦେଶାଳୟର ବିଲୟ ସତ୍ତେ୍ୱ ସମ୍ପୃକ୍ତ କ୍ୟାଡର ଓ ସେବାର କର୍ମଚାରୀମାନଙ୍କୁ ନିଜ ନିଜ କ୍ୟାଡରର ସୁବିଧାସୁଯୋଗ ମିଳିବ। ତେବେ କର୍ମଚାରୀଙ୍କ ପଦୋନ୍ନତି, ମୃତ୍ୟୁ, ଇସ୍ତଫା ଅବା ଅନ୍ୟାନ୍ୟ କ୍ଷେତ୍ରରେ ବିଭାଗୀୟ ମୁଖ୍ୟ ଦପ୍ତରରେ ଥିବା ମୂଳ ପଦବୀଗୁଡ଼ିକ ଉଚ୍ଛେଦ ହୋଇଯିବ। ଯଦି କିଛି କର୍ମଚାରୀଙ୍କ ଆବଶ୍ୟକତା ପଡ଼େ, ତା’ହେଲେ ଅର୍ଥ ବିଭାଗର ସମ୍ମତି ନେଇ ତାହା ସଚିବାଳୟ କମନ କ୍ୟାଡର ମାଧ୍ୟମରେ ପୂରଣ ହେବ। ଅବଶ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଭାଗୀୟ ମୁଖ୍ୟ ଦପ୍ତରରେ ଜୁନିୟର ଆସିଷ୍ଟାଣ୍ଟ ବର୍ଗର ପଦବୀରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ। ଅର୍ଥ ବିଭାଗ ସହ ପରାମର୍ଶ କରି ପ୍ରଶାସନିକ ବିଭାଗଗୁଡ଼ିକ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିବେ।

ସଚିବାଳୟରେ କାର୍ଯ୍ୟକ୍ଷମ ଥିବା ଓସ୍ୱାସ୍ ସିଷ୍ଟମରେ ତୁରନ୍ତ ନିର୍ଦ୍ଦେଶାଳୟଗୁଡ଼ିକରେ ସାମିଲ କରାଯିବ। ନିର୍ଦ୍ଦେଶାଳୟଗୁଡ଼ିକ ଏବେ ରହିଥିବା ନିଜର ସମସ୍ତ ଫାଇଲକୁ ସ୍କାନ୍ କରି ଇଲେକ୍ଟ୍ରୋନିକ ଫାଇଲ୍ ମାଧ୍ୟମରେ ପୈଠ କରିବେ।

ଉଲ୍ଲେଖଯୋଗ୍ୟ, ଅର୍ଥ ବିଭାଗର ଅନୁମୋଦନ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଏହି ରିଜଲ୍ୟୁସନ୍ ପ୍ରକାଶ ପାଇଛି।

Related story