ପୁରୀ(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି । ମେ ୧୫ ତାରିଖ ଯାଏ ମଠ, ମନ୍ଦିର, ମସ୍ଜିଦ ଓ ଚର୍ଚ୍ଚ ବନ୍ଦ ରଖିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସମସ୍ତ ଧର୍ମାନୁଷ୍ଠାନରେ କେବଳ ରୀତିନୀତି ପାଳନ ହେବ । ହେଲେ କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ମେ ୧୫ ପରେ ସେତେବେଳର ସ୍ଥିତିକୁ ନଜରରେ ରଖି ପୁଣି ନିଷ୍ପତ୍ତି ନିଆଯିବ ବୋଲି ଉପ ଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି । ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରକୁ ମେ ୧୫ ଯାଏ ବନ୍ଦ ରଖାଯାଇଛି ।
ସୂଚନାଯୋଗ୍ୟ, କରୋନାର କୋପକୁ ଦେଖି ମେ ୧୫ ତାରିଖ ଯାଏ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ କିନ୍ତୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଯଥାରୀତି ଅନୁଯାୟୀ ଚାଲିବ।
କରୋନାର ଦ୍ୱିତୀୟ ଲହରରେ ବହୁ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଆଗକୁ ସ୍ଥିତି ଅଧିକ ସାଂଘାତିକ ହୋଇପାରେ । ତେଣୁ ଶ୍ରୀଜିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ସେପଟେ ଆସନ୍ତା ୧୫ ତାରିଖରୁ ଶ୍ରୀଜିଉଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ହେବା କଥା । ତାଙ୍କର ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ଯାଇ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ନା ଗତ ବର୍ଷ ପରି ଏଥର ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ହେବ, ସେ ସଂପର୍କରେ ଆସନ୍ତା ୬ ତାରିଖରେ ଏକ ବୈଠକ କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଏହାବ୍ୟତୀତ , ଗତକାଲିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବଦାହକୁ ବାରଣ କରାଯାଇଛି। ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ । ପୁରୀ ଜିଲ୍ଲାର ଲୋକଙ୍କର କୋଭିଡ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସେମାନଙ୍କ ଶବଦାହ କରିପାରିବେ। ହେଲେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଅସ୍ଥି ବିସର୍ଜନ କରିପାରିବେ ନାହିଁ ।
ସେହିଭଳି ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରର କୌଣସି ବ୍ୟକ୍ତି ଏବେ ମହୋଦଧି ଓ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ କରିପାରିବେ ନାହିଁ କିମ୍ବା ଅସ୍ଥି ବିସର୍ଜନ କରିପାରିବେ ନାହିଁ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୁରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଚିନ୍ତା ବଢ଼ାଉଛି। ଗତ ୪ ଦିନ ହେବ ରାଜ୍ୟରେ ୬ ହଜାର ଉପରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ପୁରୀରୁ ୧୪୫, ରବିବାର ୧୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଜିଲ୍ଲାରୁ ୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।